ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିନ୍ଦୀ ଟେଲିଭିଜନ ଜଗତରେ ଏକ ପରିଚିତ ନାଁ ହେଉଛି ଶ୍ୱେତା ତିୱାରୀ। ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ସେ ଖୁବଶୀଘ୍ର ହିନ୍ଦୀ ଟେଲିଭିଜନ ଜଗତରେ ଲୋକପ୍ରିୟ ହୋଇପାରିଥିଲେ। ଏହି ଅଭିନେତ୍ରୀ ଜଣକ ୧୯୮୦ ମସିହା ଅକ୍ଟୋବର ୪ରେ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଜନ୍ମଗ୍ରହଣ କରିଥିଲେ।
ଏହି ଲୋକପ୍ରିୟ ଅଭିନେତ୍ରୀ ଆଜି ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଟେଲିଭିଜନ ସୋ’ ‘କହିଁ କିଶି ରୋଜ୍’ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ‘କସୌଟୀ ଜିନ୍ଦେଗୀ କେ’ରେ ମୁଖ୍ୟ ଚରିତ୍ର ପ୍ରେରଣା ଭୂମିକାରେ ନଜର ଆସିଥିଲେ। ଏହି ସିରିଏଲ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। କେବଳ ଧାରାବାହିକ ନୁହେଁ ସେ ଅନେକ ହିନ୍ଦୀ ଓ ଭୋଜପୁରୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

୨୦୦୪ରେ ପ୍ରଥମ କରି ରୁପେଲି ପରଦାରେ ଦେଖାଦେଇଥିଲେ ଶ୍ୱେତା। ବିପାଶା ବାସୁ ଅଭିନୀତ “ମଦହୋଷୀ” ଫିଲ୍ମରେ ସହ କଳାକାର ଭାବେ ଅଭିନୟ କରିଥିଲେ। ଏହାପରେ “ମିଲେ ନା ମିଲେ ହମ୍”, “ଆବ୍ରା କା ଡାବ୍ରା” ଭଳି କେତେକ ହିନ୍ଦୀ ଏବଂ ଭୋଜପୁରୀ ସିନେମାରେ ଶ୍ୱେତାଙ୍କୁ ଦେଖିବାକୁ ମିଳିଥିଲା।

ଏହାସହ ସେ ବିଗବସ ସିଜିନ୍-୪ରେ ଭାଗନେଇ ବିଜେତା ମଧ୍ୟ ହୋଇଥିଲେ। ଏହାସହ ସେ କମେଡି ସର୍କସ କା ନୟା ଦୌରରେ ଅଂଶଗ୍ରହଣ କରି ବିଜେତା ହୋଇଥିଲେ। ମୁଖ୍ୟତଃ କମେଡି କିଙ୍ଗ୍ କପିଲ୍ ଶର୍ମାଙ୍କ ସହ ଶ୍ୱେତା ନଜର ଆସିଥିଲେ। ଦର୍ଶକଙ୍କୁ ଟିଭି ପରଦାରେ ହସାଇ ହସାଇ ବେଦମ କରିଥିଲେ ଶ୍ୱେତା।

ପରଦା ଆଗରେ ସମସ୍ତଙ୍କ ମନୋରଞ୍ଜନ କରୁଥିବା ଏହି ଅଭିନେତ୍ରୀଙ୍କ ବୈବାହିକ ଜୀବନ କିନ୍ତୁ ଭଲରେ କଟିନଥିଲା। ୧୯୯୮ରେ ଶ୍ୱେତା ଅଭିନେତା ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ। ହେଲେ ୧୪ ବର୍ଷ ପରେ ୨୦୧୨ରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ଏହାପରେ ୨୦୧୩ରେ ସେ ଅଭିନେତା ଅଭିନବ କୋହଲିଙ୍କୁ ବିବାହ କରିଥିଲେ କିନ୍ତୁ ଏହି ବିବାହ ସମ୍ପର୍କ ବି ମାତ୍ର ୩ ବର୍ଷରେ ଭାଙ୍ଗିଯାଇଥିଲା।


















