ଓଡ଼ିଶାଲାଇଭ ବ୍ୟୁରୋ

ବିପଦ ଜନକ ଅବସ୍ଥାରେ ସ୍କୁଲରେ ପଢୁଛନ୍ତି ପିଲା। ସ୍କୁଲ ଛାତ ଭୁଶୁଡି ପଡ଼ିଥିବା ଯୋଗୁଁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ବହୁଦିନ ହୋଇଯିବ ଏହା ମରାମତି ମଧ୍ୟ କରା ଯାଉନାହିଁ। ଏମିତି ଅବସ୍ଥା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ରାଜପୁର ପଞ୍ଚାୟତର ଆମଦରହ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ବିଦ୍ୟାଳୟଟି ୧୯୬୮ମସିହାରେ ପ୍ରତିଷ୍ଠିତ ହୋଇଥିବାବେଳେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୫ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାଙ୍କ ପାଇଁ ବିଦ୍ୟାଳୟରେ ୪ଟି ଶେଣୀଗୃହ ଥିବାବେଳେ ମାସେ ପୂର୍ବରୁ ଦୁଇଟି ଶ୍ରେଣୀ ଗୃହ ଭୁଶୁଡି ପଡିଛି। ଫଳରେ ୩ଟି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବାରଣ୍ଡାରେ ପାଠ ପଢାଇବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନେ ବାଧ୍ୟ ହେଉଛନ୍ତି।

୧୫ ବର୍ଷ ପୂର୍ବରୁ ଏମସିଏଲ ପକ୍ଷରୁ ଏଠାରେ ଦୁଇଟି ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା। ହେଲେ ମାସେ ପୂର୍ବରୁ ତାହା ଭୁଶୁଡି ପଡିଛି। ଶ୍ରେଣୀଗୃହ ଅଭାବ ଯୋଗୁଁ ପାଠ ପଢିବାରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ବାବଦରେ ବିଦ୍ୟାଳୟ ପରିଚାଳନା କମିଟି ଏକ ବୈଠକ କରି ପ୍ରଶାସନ ତଥା ମହାନଦୀ କୋଇଲା କମ୍ପାନୀକୁ ବିଦ୍ୟାଳୟର ସମସ୍ୟା ବାବଦରେ ଲିଖିତ ଅଭିଯୋଗ କରିଛି। ହେଲେ ମଧ୍ୟ ବିଦ୍ୟାଳୟ ପ୍ରତି କାହାରି ଦୃଷ୍ଟିପଡି ନାହିଁ ବୋଲି ଗ୍ରାମବାସୀ ତଥା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଝାରସୁଗୁଡା ଜିଲ୍ଲାର ଜମଁଗାଁ ବିଦ୍ୟାଳୟରେ ଛାତ ଭୁଶୁଡି ଜୁନ ୨୪ ତାରିଖ ୨ଜଣ ଛାତ୍ର ଆହତ ହୋଇଥିଲେ। ଗୋଟିଏ ବର୍ଷ ହେଲାଣି ଉଡାଜାହାଜ ପଡିଆ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ସେହିପରି ଏବେ ଆମଦରହ ପ୍ରାଥମିକ ବିଦ୍ୟାଳୟର ଶୋଚନୀୟ ଅବସ୍ଥା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅତିଶୀଘ୍ର ଏହି ବିଦ୍ୟାଳୟଗୁଡିକର ମରାମତି କରାଯାଉ ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ ଦାବି କରିଛନ୍ତି।

Comment