ଓଡ଼ିଶାଲାଇଭ ବ୍ୟୁରୋ

ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ି ରହିଛନ୍ତି ରାଜକୁମାରୀ କିସାନ ନାମକ ଜଣେ ମହିଳା। ପରିବାର ଲୋକ ଡାକ୍ତରଖାନା ନେଇଥିଲେ ମଧ୍ୟ ଚିକିତ୍ସା ପାଇଁ ଅଧିକ ଟଙ୍କା ଦରକାର ପଡୁଥିବାରୁ ରାଜକୁମାରୀଙ୍କୁ ଘରକୁ ଫେରାଇ ଆଣିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ଝାରସୁଗୁଡା ଜିଲ୍ଲାରେ।

ଝାରସୁଗୁଡା ବ୍ଲକ ବଞ୍ଜାରୀ ଗ୍ରାମର ରାଜକୁମାରୀ କିସାନ ଅର୍ଥ ଅଭାବରୁ ଚିକିତ୍ସା ପାଇଁ କଟକ ବଡମେଡିକାଲ ଯାଇ ନ ପାରି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପ୍ରାୟ ଦେଢ ବର୍ଷ ପୂର୍ବେ ସ୍ଥନ କର୍କଟ ରୋଗରେ ସେ ଆକ୍ରନ୍ତ ହୋଇଥିଲେ। ନିଜର ସମାର୍ଥ୍ୟ ମୁତାବକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଓ ବୁର୍ଲ୍ଲା ମେଡିକାଲରେ ଚିକିତ୍ସା କରାଇଥିଲେ। ହେଲେ ବୁର୍ଲ୍ଲା ମେଡିକାଲରୁ ଡାକ୍ତର ତାଙ୍କୁ କଟକ ବଡମେଡିକାଲକୁ ଯିବା ପାଇଁ ପରାମର୍ଶ ଦେଇଥିଲେ।

ହେଲେ ଅର୍ଥ ଅଭାବ ତାଙ୍କ ଚିକିତ୍ସାରେ ବାଧକ ସାଜିଥିଲା। ତେଣୁ ପରିବାର ଲୋକ ରାଜକୁମାରୀଙ୍କୁ କଟକ ବଡ ମେଡିକାଲ ନେଇ ନପାରି ଘରକୁ ଫେରାଇ ଆଣିଥିଲେ। କର୍କଟ ରୋଗରେ ପୀଡିତ ଥିବା ରାଜକୁମାରୀ ଏବେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଅଛନ୍ତି।

ଅର୍ଥାଭାବ ଓ କର୍କଟ ରୋଗର ଯନ୍ତ୍ରଣାରେ ଜୀବନ ବିତାଉଥିବା ରାଜକୁମାରୀ କହିଛନ୍ତି ଏବେ ସେ କେବଳ ମୃତ୍ୟୁକୁ ଅପେକ୍ଷା କରିଛନ୍ତି କାରଣ ପଇସା ନଥିବରୁ ଘରଲୋକେ ତାଙ୍କ ଚିକିତ୍ସା କରି ପରୁ ନାହାନ୍ତି। ଅନ୍ୟପଟେ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସରକାରୀ ସହାୟତା ମିଳି ପାରି ନାହିଁ।

ପ୍ରାୟ ଏକ ବର୍ଷେ ପୂର୍ବେ ରାଜକୁମାରୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ସ୍ୱାମୀଙ୍କ ମୃତ୍ୟୁରେ ସେ ଭାଙ୍ଗି ନପଡି ପରିବାର ଭରଣପୋଷଣର ଦାୟିତ୍ୱ ନେଇଥିଲେ। ଦିନ ମଜୁରୀ କରି ପରିବାର ଚଳାଇବା ସହ ନିଜ ଦୁଇ ଛୁଆଙ୍କୁ ପାଠ ପଢାଇ ଥିଲେ। ମଜୁରୀରେ ମିଳୁଥିବା ଟଙ୍କାରେ ସୁରୁଖୁରୁରେ ପରିବାର ଚଳିଯାଉଥିଲା । କିନ୍ତୁ ସେ କର୍କଟ ରୋଗରେ ଆକ୍ରାନ୍ତ ହେଲା ପରେ ତାଙ୍କ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ତାଙ୍କର ପରିବାର କହିଲେ ଗୋଟିଏ ପୁଅ ଓ ଗୋଟିଏ ଝିଅ। ତାଙ୍କର ପୁଅ ଝିଅ ମଧ୍ୟ ରୋଜଗାର କରିବା ପାଇଁ ସକ୍ଷମ ହୋଇ ନାହାନ୍ତି। ତେଣୁ ଯନ୍ତ୍ରଣାରେ ଛଟପଟ ହେଉଥିବା ମାଙ୍କୁ ସେମାନେ କେବଳ ନିରୁପାୟ ଅବସ୍ଥାରେ ଚାହିଁ ରହିଛନ୍ତି। ଦୁଇ ପିଲାଙ୍କ ଭରଣ ପୋଷଣ ଏବେ ତାଙ୍କର ବଡମା କିୟାବତି କିସାନ କରୁଛନ୍ତି। ହେଲେ ରାଜକୁମାରୀଙ୍କ ଚିକିତ୍ସା ପାଇଁ ତାଙ୍କର ମଧ୍ୟ ସାମର୍ଥ୍ୟ ନଥିବାରୁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି।

Comment