ଜୟ ମହାନ୍ତି

କଟକ ଦଶରାର ଏବେ ମୁଖ୍ୟ ଆକର୍ଷଣ ସୁନା ମେଢ଼ ଓ ମା’ଙ୍କ ସୁନା ମୁକୁଟ। ପ୍ରତିବର୍ଷ ଏହି ତାଲିକାରେ ଯୋଡ଼ି ହେଉଛନ୍ତି ଅଧିକ ମଣ୍ଡପ।

ସହରର ସବୁଠାରୁ ବଡ ପର୍ବ ପାଳନ ଚାଲିଛି ଧୁମଧାମରେ। କିଏ ପୂଜା ପ୍ରସ୍ତୁତିରେ ବ୍ୟସ୍ତ ତ କିଏ ଦୂର୍ଗାପୂଜା ବୁଲିବାରେ ବ୍ୟସ୍ତ। ମୋଟୋମୋଟି ଭାବରେ କହିବାକୁ ଗଲେ ଦିନ ରାତି ଦଶରାକୁ ନେଇ ବ୍ୟସ୍ତ ଏବେ କଟକିଆ। ଅଭୟପ୍ରଦା ମା’ଙ୍କର ସାଂସ୍କୃତିକ ପ୍ରାଣକେନ୍ଦ୍ରକୁ ଆଗମନ ହେବା ପରେ ଶହେ ଗୁଣ ବଢିଯାଏ ଏହି ସହରର ସୌନ୍ଦର୍ଯ୍ୟ। ବିଶେଷ କରି ସୂର୍ଯ୍ୟ ଅସ୍ତଗାମୀ ହେଲେ ଲାଗେ ଯେମିତି ଶାନ୍ତ, ସ୍ନିଗ୍ଧ, ସରଳ, ଅହଙ୍କାର ଶୂନ୍ୟ ନବବଧୂଟିଏ ସଜେଇ ହୋଇ ବସିଛି ଖୋଲା ଆକାଶ ତଳେ ଆଉ କଥା ହେଉଛି ମୁଣ୍ଡ ଉପରେ ଥିବା ତାରକାପୁଞ୍ଜଙ୍କ ସହିତ।

କେବଳ ରାସ୍ତାଘାଟ ଗଳିକନ୍ଦିର ସାଜସଜ୍ଜା ନୁହେଁ, କଟକ ଦୂର୍ଗାପୂଜା ଦେଖିବାକୁ ଆସୁଥିବା ଜନସାଧାରଣଙ୍କୁ ଟାଣି ନିଏ ଗୋଟିଏ ପରେ ଗୋଟିଏ ପୂଜାମଣ୍ଡପ ନିଜ ଆଡକୁ। କାହାର ଜରି ମେଢ ଖୁବ ଆକର୍ଷଣୀୟ ତ କାହାର ମା’ଙ୍କ ପ୍ରତିମା ନିର୍ମାଣ ଶୈଳୀକୁ ଦେଖିଲେ ଲାଗୁଛି ସତେ ଯେପରି କୌଣସି ଜୀବନ୍ତ ନାରୀଟିଏ ଛିଡ଼ା ହୋଇଛି ସୁନ୍ଦର ବେଶ ହୋଇ।

କଟକ ଦଶହରା ଦୂର୍ଗାପୂଜାରେ ତାରକସି କାମର ଅଦ୍ଭୁତ ଯାଦୁଗରୀ ଦେଖିବାକୁ ଭିଡ ଜମିଥାଏ। ଚଳିତ ବର୍ଷ ସମୁଦାୟ ୧୬୪ ଟି ପୂଜା ମଣ୍ଡପ ଭିତରୁ ୨୭ ଟି ପୂଜାମଣ୍ଡପରେ ଚାନ୍ଦି ମେଢ ଶୋଭାପାଉଥିବା ବେଳେ ପାଖାପାଖି ୧୦ଟି ମଣ୍ଡପରେ ଧୀରେ ଧୀରେ ଆଖିଦୃଶିଆ ଉପସ୍ଥିତି ଜାହିର କରିବାରେ ଲାଗିଛି ସୁନା କାମ।  କେବଳ ରୂପା ନୁହେଁ ସୁନାକୁ ନେଇ ମଧ୍ୟ ଅନେକ ପାଦ ଆଗେଇ ଗଲେଣି ପୂଜା କମିଟିଗୁଡିକ। କଟକ ଦଶହରା ରେ ଚମତ୍କାର ସୁନା କାରୁକାର୍ଯ୍ୟକୁ ଦେଖିଲେ ଆଖି ଯାଉଛି ଲାଖି। ଦୈନିକ ଲକ୍ଷ ଲକ୍ଷ ସେଲଫୋନରେ କଏଦ୍ ହେଉଛି ଏହି ସୁନେଲି ସୌନ୍ଦର୍ଯ୍ୟ।

ଚୌଧୁରୀ ବଜାରର ସୁନା-ଚାନ୍ଦି ମେଢ଼

କଟକ ସହରରେ ପ୍ରଥମେ ୧୯୫୫ ମସିହାରେ ଚାନ୍ଦି ମେଢ  କରି ରାଜ୍ୟ ତଥା ରାଜ୍ୟ ବାହାରେ ଚର୍ଚାର ବିଷୟ ପାଲଟିଥିଲା ଚୌଧୁରୀ ବଜାର ପୂଜା କମିଟି। ସେହି ଚୌଧୁରୀ ବଜାର ପୂଜା କମିଟି ହିଁ ପରବର୍ତ୍ତୀ ସମୟରେ ୧୯୯୦ ମସିହାରେ ପ୍ରଥମେ ମା ଦୂର୍ଗାଙ୍କ ମେଢ଼ରେ ସୁନା ଅଳଙ୍କାର ବ୍ୟବହାର ଆରମ୍ଭ କଲା। ପ୍ରଥମେ ଚାରି କିଲୋ ଓଜନର ମା’ ଦୂର୍ଗାଙ୍କର ସୁନା ମୁକୁଟ ତିଆରି କରାଗଲା। ପରବର୍ତ୍ତୀ ସମୟରେ ମେଢ଼ ପାଇଁ ପାଞ୍ଚ କିଲୋ ଓଜନର ପାଞ୍ଚ ଗୋଟି ସୁନା କଲିକା ପ୍ରସ୍ତୁତ କରାଗଲା। ପରେ ପାର୍ଶ୍ୱ ଦେବାଦେବୀ ମାନଙ୍କ ପାଇଁ ମଧ୍ୟ କରାଗଲା ସୁନା ମୁକୁଟ ଓ ଅନ୍ୟାନ୍ୟ ଅଳଙ୍କାର। ସମୁଦାୟ କୋଡିଏ କିଲୋରୁ ଅଧିକ ସୁନା ଅଳଙ୍କାରର ବ୍ୟବହାର କରାଯାଇଛି ଏହି ପୂଜା ମଣ୍ଡପରେ।

 ଶେଖ ବଜାରରେ ଚାନ୍ଦି ମେଢ଼କୁ ସୁନା ମୁକୁଟ

ଏହି ଧାରା କଟକ ସହରର ଅନ୍ୟାନ୍ୟ ପୂଜା ମଣ୍ଡପ ଗୁଡିକୁ ପ୍ରେରିତ କଲା ଦୂର୍ଗାପୂଜାରେ ସ୍ୱର୍ଣୀମ ଆବରଣକୁ ଆଗକୁ ନେବାରେ। ଏହାକୁ ପ୍ରତିଯୋଗିତା ମନୋଭାବ କୁହନ୍ତୁ ବା ଭାଇଚାରା ର ଉତ୍ସାହ, ୨୦୦୫ ମସିହାରେ ଶେଖ ବଜାର ପୂଜା କମିଟି ମା ଦୂର୍ଗାଙ୍କର ମୁକୁଟଟିକୁ ସୁନାରେ ତିଆରି କଲା। ଏହା ସହିତ ମାଙ୍କ ପାର୍ଶ୍ୱ ଦେବାଦେବୀ ମାନଙ୍କୁ ମଧ୍ୟ ସଜା ଯାଇଛି ସୁନା ଅଳଙ୍କାରରେ। ସମୁଦାୟ ୭ କିଲୋ ପାଖାପାଖି ସୁନା ବ୍ୟବହାର କରାଯାଇଛି। ସାହି ବାସିନ୍ଦା ତଥା ଭକ୍ତ ମାନଙ୍କର ଦାନରେ ହିଁ ଏସବୁ ସମ୍ଭବ ହୋଇ ପାରିଛି ବୋଲି ପୂଜା କମିଟିର ସମ୍ପାଦକ କିଶୋର ବେହେରା କହିଛନ୍ତି।

ସୁନା ତାଲିକାରେ ମଙ୍ଗଳାବାଗ ଚାଉଳିଆଗଞ୍ଜ

୨୦୦୬ ଓ ୨୦୦୭ ମସିହାରେ ଏହି ସୁନା ତାଲିକାରେ ସାମିଲ ହୋଇଗଲେ ଆଉ ଦୁଇଟି ପୂଜା ମଣ୍ଡପ। ମଙ୍ଗଳାବାଗ ଓ ଚାଉଳିଆଗଞ୍ଜ। ଭକ୍ତମାନଙ୍କର ସ୍ୱଇଛାରେ ସାହିର ଘରୁ ଘରୁ ବିଶେଷ କରି ମା ଭଉଣୀ ମାନେ ସୁନା ଅଳଙ୍କାର ଦାନ କରିବା ଆରମ୍ଭ କରିଥିଲେ ବୋଲି କୁହନ୍ତି ଶ୍ରୀ ଶ୍ରୀ ଦୂର୍ଗାପୂଜା ସମିତି ମଙ୍ଗଳାବାଗର ସଭାପତି ନୃସିଂହ ଚରଣ ଚୌଧୁରୀ।

ପ୍ରଥମେ ମା ଦୂର୍ଗା ଓ ପାର୍ଶ୍ୱ ଦେବାଦେବୀମାନଙ୍କର ସୁନା ମୁକୁଟ କରାଗଲା। ଯାହା ସାଢେ ଛଅ କିଲୋରୁ ଅଧିକ ହେବ ବୋଲି ସଭାପତି ସୂଚନା ଦେଇଥିବା ବେଳେ ଚଳିତ ବର୍ଷ ନୂଆ କରି ଦେଢ କିଲୋ ଓଜନର ସୁନାର ଏକ ଚମ୍ପା ହାର ମା’ଙ୍କ ଗଳାରେ ଶୋଭାପାଉଛି। ସମୁଦାୟ ୮ କିଲୋରୁ ଅଧିକ ସୁନାର ବ୍ୟବହାର କରାଯାଇଛି ମଙ୍ଗଳାବାଗ ପୂଜା ମଣ୍ଡପରେ।

ସେହିପରି ୨୦୦୭ ମସିହାରୁ ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ମା’ଙ୍କ ନିକଟରେ ବେଶି ଦିଶିଲା ସୁନାରେ ବ୍ୟବହାର। ବର୍ତ୍ତମାନ ସାଢେ ତିନି କିଲୋ ଓଜନର ସୁନା ମୁକୁଟ ମା’ଙ୍କ ମସ୍ତକରେ ଶୋଭା ପାଉଥିବା ବେଳେ, ଦେଢ କିଲୋ ଓଜନର ଅନ୍ୟାନ୍ୟ ସୁନା ଅଳଙ୍କାର ଲଗାଯାଇଛି ଦୂର୍ଗାପୂଜାରେ।

“କଟକ ପୂର୍ବାଞ୍ଚଳର ପ୍ରଥମେ ଓ କଟକ ସହରର ତୃତୀୟ ମଣ୍ଡପ ଭାବରେ ଆମର ଏହି ମଣ୍ଡପରେ ସୁନାର ବ୍ୟବହାର କରାଗଲା ଓ ଏହା ଦର୍ଶକ ମାନଙ୍କର ଧ୍ୟାନ ଆକର୍ଷଣ କରିବାରେ ସକ୍ଷମ ହୋଇପାରିଲା” କହିଛନ୍ତି ଚାଉଳିଆଗଞ୍ଜ ପୂଜା କମିଟି ସମ୍ପାଦକ ନିରଞ୍ଜନ ସାହୁ।

ହରିପୁର ଦୋଳମୁଣ୍ଡାଇ ଓ ରାଣୀହାଟରେ ବି ସୁନା ମୁକୁଟ

୨୦୧୩ ମସିହାରେ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ଶୋଭାପାଇଲା ମୟୁର ଆକୃତିର ଆଖି ଝଲସାଇ ଦେଲା ଭଳି ସୁନ୍ଦର ସୁନା ମୁକୁଟ। ଏହି ମୁକୁଟଟିର ଓଜନର ଅଧା କିଲୋ ହୋଇଥିବା ବେଳେ ଅନ୍ୟାନ୍ୟ ସୁନା ଅଳଙ୍କାରକୁ ମିଶାଇ ସମୁଦାୟ ଏକ କିଲୋ ଓଜନର ସୁନା ବ୍ୟବହାର କରାଯାଇଥିଲା।

୨୦୧୪ରେ ରାଣୀହାଟ ପୂଜା ମଣ୍ଡପରେ ଶୋଭା ପାଇଲା ସୁନା ମୁକୁଟ। ଯାହାକୁ ଚଳିତ ବର୍ଷ ସୁଦ୍ଧା ସହରର ସବୁଠାରୁ ବଡ ସୁନା ମୁକୁଟ ବୋଲି ବିବେଚନା କରାଯାଏ। ଏହି ମୁକୁଟଟିର ଓଜନ ୫ କିଲୋ ବୋଲି ସୂଚନା ଦେଇଛନ୍ତି ରାଣୀହାଟ ପୂଜା କମିଟି ସଭାପତି ବିଜୟ କୁମାର ସାହୁ। ଏହା ଛଡ଼ା ଆଉ ଏକ କିଲୋ ଓଜନର ଅନ୍ୟାନ୍ୟ ସୁନା ଅଳଙ୍କାର ମଧ୍ୟ ଦୂର୍ଗାପୂଜାର ଶୋଭା ବର୍ଦ୍ଧନ କରୁଥିବା ସେ ସୂଚନା ଦେଇଛନ୍ତି। ସମୁଦାୟ ୬ କିଲୋ ଓଜନର ସୁନା ବ୍ୟବହାର କରାଯାଇଛି ଏହି ପୂଜା ମଣ୍ଡପରେ।

ଖାନ୍‌ନଗର ମା’ଙ୍କ ମୁଣ୍ଡରେ ୩ କେଜିଆ ସୁନା ମୁକୁଟ

୨୦୧୫ ମସିହାରେ କାଠଗଡ଼ା ସାହି ପୂଜା କମିଟି ମଧ୍ୟ ପ୍ରସ୍ତୁତ କଲା ତିନି କିଲୋ ଓଜନର ସୁନା ମୁକୁଟ। ଏହା ପରେ ୨୦୧୮ ମସିହାରେ ଅର୍ଥାତ ଗତ ବର୍ଷ ଖାନ୍‌ନଗର ଖପୁରୀଆ ଶିଳ୍ପାଞ୍ଚଳ ପୂଜା ମଣ୍ଡପ ମଧ୍ୟ ସାମିଲ ହୋଇଗଲା ସୁନେଲି ତାଲିକାରେ। ତିନି କିଲୋ ଓଜନର ସୁନା ମୁକୁଟ ଶୋଭା ପାଇଲା ମା’ଙ୍କଠାରେ। ଏହା ଛଡା ଚିକା, ନୋଥ ଓ ଟିକା ଆଦି ମଧ୍ୟ ଝଟକିଲା ସୁନାରେ। କଟକ ସହର ହେଉଛି ତାରକସିର ସହର। ଏଠାରେ ସୁନା ରୂପାର କାରିଗରୀ ବିଶ୍ୱସ୍ତରୀୟ ଓ ଏହାର ତୁଳନା ନାହିଁ ବୋଲି କୁହନ୍ତି ଖାନ୍‌ନଗର ପୂଜା ମଣ୍ଡପ ସମ୍ପାଦକ ଶରତ କୁମାର ସାହୁ।

କେବଳ ଉପରୋକ୍ତ ପୂଜା ମଣ୍ଡପଗୁଡିକ ନୁହଁନ୍ତି ପୀଠାପୁର କାଳୀୟଦଳନ ପୂଜାମଣ୍ଡପରେ ଶୋଭାପାଉଥିବା ଶ୍ରୀକୃଷ୍ଣଙ୍କ ବଂଶୀଟି ମଧ୍ୟ ତିଆରି ହୋଇଛି ସୁନାରେ। କଟକ ସହରରେ ଆହୁରି ଅନେକ ପୂଜାମଣ୍ଡପ ମଧ୍ୟ କିଛି କିଛି ସୁନା ଅଳଙ୍କାର ଗୁଡିକୁ ସୁନାରେ ତିଆରି କରିଛନ୍ତି।

କଟକୀ ଦଶହରାର ଚାନ୍ଦି ତାରକସି କିମ୍ବା ସୁନା କାରୁକାର୍ଯ୍ୟ ସଂପର୍କରେ ଆଲୋଚନା କରିବା ସମୟରେ, ଯଦି ଆମେ ପ୍ରଖ୍ୟାତ କାରିଗର ବିଶ୍ୱନାଥ ଦେଙ୍କ ନାଁ ନ ଲେଖିବା ତେବେ କଥା ଅସଂପୂର୍ଣ ରହିଲା ପରି ମନେହେବ। ରୂପା ତାରକସି ଓ ସୁନେଲି ତାଲିକାରେ ସାମିଲ ହୋଇଥିବା ଅଧିକାଂଶ ପୂଜାମଣ୍ଡପରେ ଯେଉଁ କାରୁକାର୍ଯ୍ୟ ଦେଖି ପଥଚାରୀଟିର ପାଦ ଅଟକିଯାଏ, ଆଖି ଲାଖିଯାଏ ଓ  ମନ ମୁଗ୍ଧ ହୋଇଯାଏ ସେ ହେଉଛନ୍ତି ସହରର ଅତି ପରିଚିତ ନାଁ ବିଶ୍ୱନାଥ ଦେ।

ବର୍ତ୍ତମାନ ସୁନା ଦର ୧୦ ଗ୍ରାମ ବା ଏକ ଭରି ପ୍ରତି ହାରାହାରି ଚାଳିଶ ହଜାର ଟଙ୍କା ରହିଥିବା ବେଳେ, ସୁନେଲି ତାଲିକାରେ ସାମିଲ ହୋଇଥିବା ମଣ୍ଡପଗୁଡିକ ସୁନା ମୁକୁଟ ବା ଅନ୍ୟାନ୍ୟ ଅଳଙ୍କାର ପାଇଁ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା। କିଏ ଏକ କୋଟି ତ କିଏ ତିନି କୋଟି ଆଉ କିଏ ପାଞ୍ଚ କୋଟି। ଏପରିକି ମୁକୁଟ ଓ ମେଢ଼ରେ ସୁନା ବାବଦରେ ଖର୍ଚ୍ଚ ହେଉଛି କୋଡିଏ କୋଟି ପର୍ଯ୍ୟନ୍ତ ଟଙ୍କା। ଏହା ଦର୍ଶାଇଦିଏ ତାରକସି କାରୁକାର୍ଯ୍ୟ ପ୍ରତି କଟକିଆମାନଙ୍କର ଭଲ ପାଇବା। ଭବିଷ୍ୟତରେ ଏହି କାମ ପାଇଁ କଟକ ଜି ଆଇ ମାନ୍ୟତା ଲାଭ କରିବ ବୋଲି ଦୃଢ ବିଶ୍ୱାସ ରଖିଛନ୍ତି ସହରବାସୀ।

Comment