ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।
ଓଡ଼ିଆ ଓ ଓଡ଼ିଶା (୧୬)
ଆମେ ଯାହା ଭାବୁ ବା ଶୁଣୁ ଏବଂ ଯାହା ଦେଖୁ – ତା’ ଭିତରେ ଫରକ୍ ଥିବା କଥା କେବେ ମଣିଷ ବୁଝିଲା ଏହା ଆମେ କହିପାରିବା ନାହିଁ। ତେବେ ଏ’ ପ୍ରକାର ନିର୍ଣ୍ଣୟ ଆମ ଦେଶରେ ଆମ ପାହାଡ ଅଞ୍ଚଳରେ ଲୋକଙ୍କଠାରୁ ବାହାରିଥିବାର ଅନୁମାନ କରାଯାଉଅଛି। ଶୁଣିବା ଧ୍ଵନି ପଛରେ କିଛି ଘଟଣା ଅଛି ବୋଲି ଆମେ ଜାଣୁ, କିନ୍ତୁ ଦେଖିବା ପ୍ରତ୍ୟକ୍ଷ। ପ୍ରତ୍ୟକ୍ଷରେ ଆମେ ଆକାର ଜାଣିପାରୁ, ଆମେ ଛୁଇଁ ପାରୁ, ଏବଂ ଆମେ ଶୁଂଘିପାରୁ। ଏ’ ପ୍ରକାର ପ୍ରତ୍ୟକ୍ଷ ଅନୁଭୂତ ପଦାର୍ଥକୁ “ବସ୍ତୁ” ବୋଲି କୁହାଗଲା।
ଯାହା ଆମେ ଶବ୍ଦରେ କହିପାରିବା- ତା’ ହେଲା ପଦ। ପଦ ଗୋଟିଏ ଶବ୍ଦଗତ ଧ୍ଵନି। ପଦକୁ ଆମେ ଯେତେବେଳେ ବୁଝିପାରୁ, ତା’ ପଦାର୍ଥ ହୁଏ।ବିଭିନ୍ନ ବ୍ୟକ୍ତି ପଦକୁ ବିଭିନ୍ନ ପଦାର୍ଥ କରିପାରନ୍ତି। କିନ୍ତୁ ପଦାର୍ଥ ଯେତେବେଳେ ପ୍ରାକୃତିକ ହୁଏ, ତାକୁ “ବସ୍ତୁ” ବୋଲି କୁହାଯାଏ। ବସ୍ତୁର ରୂପ ଅଛି, ପ୍ରକୃତି ଅଛି, ବସ୍ତୁର ଗୁଣ ଅଛି। ପରେ ସଂସ୍କୃତ ବ୍ୟାକରଣକାର ମାନେ ବସ୍ତୁକୁ ସ୍ତ୍ରୀ ଲିଙ୍ଗ ଭାବରେ ଗ୍ରହଣ କଲେ।ବସ୍ତୁର ଜନନ ଅଛି, ବସ୍ତୁର କ୍ଷୟ ଅଛି, ବସ୍ତୁର ଚଳନ ଅଛି।
“ବସିବା” ଗୋଟିଏ ଓଡିଆ ଶବ୍ଦ। ଭୂଇଁ ସହ ସଂଲଗ୍ନ ହୋଇ ଗୋଡ ଜାକି ଶରୀରର ଊର୍ଦ୍ଧ୍ଵ ଭାଗକୁ ସିଧା ରଖି ନିଶ୍ଚଳ ହେବାକୁ ଆମେ “ବସିବା” ବୋଲି କହିଥାଉ। ଭୂଇଁ ଟା ନିଜେ ବସ୍ତୁ ନୁହେଁ।ଭୂଇଁ ଉପରେ ବସ୍ତୁ “ବସା” ବାନ୍ଧେ। ବସି ରହିବାର ଅନ୍ୟ ଲକ୍ଷଣ ହେଲା ସ୍ଥିରତ୍ଵ। ତେଣୁ ବସାରୁ “ବସତି”। ଆମେ ଭାଷାରେ “ବସ୍ତି” ବୋଲି ବି କହିଥାଉ।ଚଢେଇମାନଙ୍କର ବସା ଥାଏ, ଜନ୍ତୁମାନଙ୍କର ବସା ଥାଏ, ପାହାଡ ପର୍ବତ ଭୁଇଁ ରେ ବସିଥିବାର ଆମେ ଦେଖିଥାଉ। ମାଛର ବସା ବି ଭୂଇଁରେ। ମାଛମାନେ ପାଣିରେ ଖେଳା ବୁଲା କରିସାରି ଭୂଇଁରେ ବିଶ୍ରାମ କରନ୍ତି। ବସା ହେଉଛି ବିଶ୍ରାମ କରିବା ସ୍ଥାନ । ବସାରେ ରହୁଥିବା ପଦାର୍ଥ ହେଲା ବସ୍ତୁ।
ବସ୍ତୁ ପୁଣି ଦୁଇ ପ୍ରକାରର ହୋଇପାରେ । ଯେଉଁ ବସ୍ତୁ ଚାଲେ – ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଏ, ଯାହାର ଉଚ୍ଚତା ବୃଦ୍ଧି ହୁଏ ବା ଆୟତନ ବୃଦ୍ଧି ହୁଏ – ତାକୁ ଆମେ ସଚଳ ବୋଲି କହୁ । ଆଉ କିଛି ବସ୍ତୁ ଅଚଳ, ସେମାନଙ୍କର ଗତି ନାହିଁ କି ବୃଦ୍ଧି ନାହିଁ । ଏ’ ଅଚଳ ବସ୍ତୁକୁ ଗଢିଲା କିଏ ? ଏହି ଗଢା କଥା ଖୋଜିଲା ବେଳକୁ ମଣିଷର ଜୀବନ ମୃତ୍ୟୁ ଦୁଇ ପଟ ବୋଲି ଜଣାପଡିଲା । ଜୀବନ୍ତ ଅବସ୍ଥାରେ ଆମେ ସଚଳ, ମୃତ ଅବସ୍ଥାରେ ଆମେ ଅଚଳ। ତେଣୁ ଯେଉଁ ବସ୍ତୁ ଅଚଳ, ଆମେ ତାକୁ ନିର୍ଜୀବ ବୋଲି କହିଲୁ । ଆଗରୁ ଆମେ ଜୈନଦର୍ଶନ କଥା କହିଥାଇଁ , ଭାରତୀୟ ସଂସ୍କୃତିର ପ୍ରଥମ ପର୍ଯାୟରେ ଏହି ସଜୀବ ଓ ନିର୍ଜୀବର ଆଲୋଚନା ଜୈନଦର୍ଶନ ବିଶଦ୍ ଭାବରେ ବିଶ୍ଳେଷଣ କରିଛି । ଏ’ ଦର୍ଶନର ମୂଳଦୁଆ ଆମର ଓଡିଶା ଅଞ୍ଚଳରେ ବୋଲି ଇତିହାସ କହୁଛି ।
ମୋଟାମୋଟି ଭାବରେ ନିର୍ଣ୍ଣୟ କରାହେଲା ଯେ ଦୁଇ ପ୍ରକାରର ବସ୍ତୁ ଅଛନ୍ତି, ସଜୀବ ବସ୍ତୁ ଓ ନିର୍ଜୀବ ବସ୍ତୁ।ଏହି କଥାରେ ଆମର ପୁରୁଣା ଦାର୍ଶନିକ ଗଭୀର ପାଣ୍ଡିତ୍ୟ ପ୍ରଦର୍ଶନ କରିଥିବାର ଦେଖାଯାଏ। ସଜୀବ ଓ ନିର୍ଜୀବ – ଏ ସଭିଏଁ ବସ୍ତୁ। ନିର୍ଜୀବ ପଦାର୍ଥ କୌଣସି ସମୟରେ ସଜୀବ ହୋଇଥାଇପାରେ! ମଣିଷ ନିଜେ ମଧ୍ୟ ସଜୀବରୁ ନିର୍ଜୀବ ହୋଇପାରେ ! ଏହିପରି ଗଛ, ଲତା, ଜୀବ, ଜନ୍ତୁ ସମସ୍ତେ ସଜୀବରୁ ନିର୍ଜୀବକୁ ଗତି କରିପାରନ୍ତି। ପୁଣି ନିର୍ଜୀବରୁ ସଜୀବ ହୁଅନ୍ତି କି? ଆମେ ପ୍ରମାଣ ନ କରି ପାରିଲେ ମଧ ଗଛର ମଞ୍ଜିକୁ ଆମେ ନିର୍ଜୀବ ବୋଲି କହିଥାଉ।ସେଥିରେ ପାଣି, ପବନ, ଓ ମାଟି ଲାଗିଲେ ସେ ଜୀବନ୍ତ ହୁଏ।ତାର ଅର୍ଥ – ନିର୍ଜୀବ ବସ୍ତୁରେ ଜୀବନ ସୁପ୍ତ ଅବସ୍ଥାରେ ଥାଏ ବୋଲି ଆମେ କହିପାରୁ।ଆବଶ୍ୟକ ସୁବିଧା ସୁଯୋଗରେ ସେ ସଜୀବ ହୋଇପାରେ !
ତେଣୁ ସଜୀବ ନିର୍ଜୀବ ବଦଳରେ ଆମେ ବସ୍ତୁର ଦୁଇ ଅବସ୍ଥାକୁ “ଜାଗ୍ରତ” ଓ “ସୁପ୍ତ” ବୋଲି କହିପାରୁ। “ଜାଗ୍ରତ” ଅବସ୍ଥାରେ ବସ୍ତୁ ଜାଣେ, ବୁଝେ, ଚାଲେ ଓ ବଢେ। “ସୁପ୍ତ” ଅବସ୍ଥାରେ ବସ୍ତୁ ସ୍ଥିର ହୋଇ ରହେ, ଆପଣକୁ ଶକ୍ତିହୀନ ମନେକରେ, ଅଚଳ ରହେ । ତା’ ହେଲେ ଏ ଦୁଇ ଅବସ୍ଥାକୁ କିଏ ନିୟନ୍ତ୍ରଣ କରେ ? ମଣିଷ ନିଜେ “ସୁପ୍ତ” ଅବସ୍ଥାରୁ “ଜାଗ୍ରତ”କୁ ଯାଇପାରେ, ପୁଣି “ଜାଗ୍ରତ”ରୁ “ସୁପ୍ତ” – ମଣିଷରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାହୁଏନାହିଁ। ଏହି ପ୍ରକାର ଅପରିବର୍ତ୍ତନର କାରଣକୁ ଲୋକମାନେ “ଆତ୍ମା” ବୋଲି ନାଁ ଦେଲେ।