ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାଲିଯାତ୍ରାରେ ହେବ ପଥ ଉତ୍ସବ
  • ପ୍ରତିଦିନ ସକାଳୁ ୩ ଘଣ୍ଟା ଯାଏଁ ପଥ ଉତ୍ସବ
  • ପ୍ରତିଭା ଦେଖାଇବେ ସ୍ଥାନୀୟ କଳାକାର
  • ୱାଟର ବୋଟିଂ ପାଇଁ ଚାଲିଛି ଅସ୍ଥାୟ ଜଳାଶୟର ପ୍ରସ୍ତୁତି

କଟକ: ଏଥର ଐତିହାସିକ ବାଲିଯାତ୍ରା ନୂଆ ଲାଗିବ। କାରଣ କଟକ ଜିଲ୍ଲା ପ୍ରଶାସନ ଏଥର ଏମିତି କିଛି ନୂଆ ଓ ଅଭିନବ ବିଭବ ଯୋଡିବାକୁ ଯାଉଛି। ପ୍ରଥମଥର ପାଇଁ ବାଲିଯାତ୍ରାରେ ପଥ ଉତ୍ସବ ଏବଂ ୱାଟର୍ ବୋଟିଂ ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଉଛି। ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।

ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ବାଲିଯାତ୍ରା ପଡିଆ ବୁଲି ବିଭିନ୍ନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସିଏମ୍‌ସି କମିସନର ଅନନ୍ୟା ଦାସଙ୍କ ସମେତ ଓରମାସ୍, ପିଡବ୍ଲୁଡି, ପିଏଚ୍‌ଡି, ଟ୍ରାଫିକ୍, ସଂସ୍କୃତି ଓ ଡିଆଇପାର୍‌ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ବାଲିଯାତ୍ରା ପ୍ରସ୍ତୁତି ନେଇ ଅନେକଗୁଡିଏ ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ସପ୍ତାହରେ ପରିମଳ, ବୁସ୍‌କଟିଂ ଏବଂ ସଫେଇ କାର୍ଯ୍ୟ ଶେଷ କରିବାକୁ ଡେଡ୍‌ଲାଇନ ଦିଆଯାଇଛି। ତଳ ବାଲିଯାତ୍ରା ପଡିଆର ସବୁ ରାସ୍ତାଗୁଡିକ ଯଥାଶୀଘ୍ର ପ୍ରସ୍ତୁତ କରିବାକୁ ସିଏମ୍‌ସିକୁ ଦିଆଯାଇଛି ନିର୍ଦ୍ଦେଶ। ମୁଖ୍ୟ ପ୍ରବେଶ ତୋରଣ ପାଖ ଅଞ୍ଚଳ ସଫେଇ ଚାଲିଛି। ସଫେଇ କାର୍ଯ୍ୟକ୍ରମରେ ଏକ୍ସାଭେଟର୍ ଓ ଟ୍ରାକ୍ଟର ବିନିଯୋଗ କରିବାକୁ କୁହାଯାଇଛି।

ତେବେ ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେବାକୁ ଥିବା ପଥ ଉତ୍ସବ’ର ଦାୟିତ୍ୱ ସିଏମ୍‌ସିକୁ ଦିଆଯାଇଛି। ଏନେଇ ପ୍ରଶାସନ ତରଫରୁ ପାର୍କିଂଗଡାଠାରୁ ସିସୋର୍ ରାସ୍ତା ପର୍ଯ୍ୟନ୍ତ ନୂଆ ରାସ୍ତା ନିର୍ମାଣ କରିବାକୁ କୁହାଯାଇଛି, ଯେଉଁଠି ପଥ ଉତ୍ସବ ଅନୁଷ୍ଠିତ ହେବ। ସ୍ଥାନୀୟ ପ୍ରତିଭାଙ୍କୁ ସେମାନଙ୍କ ଟାଲେଣ୍ଟ୍ ଦେଖାଇବାକୁ ଏଠାରେ ସୁଯୋଗ ଦିଆଯିବ।

ପ୍ରତିଦିନ ସକାଳ ୬ଟା ୩୦ ରୁ ୯ଟା ୩୦ ପର୍ଯ୍ୟନ୍ତ ‘ପଥ ଉତ୍ସବ’ ଆୟୋଜିତ ହେବ। ବିଭିନ୍ନ ପ୍ରକାରର କଳା ପ୍ରଦର୍ଶନ କରିବାକୁ ଯୁବ, ଛାତ୍ର, ମହିଳା ଗୋଷ୍ଠୀଙ୍କୁ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରକାଶ କରିଛନ୍ତି। ସେହିପରି ପ୍ରଥମଥର ପାଇଁ ବାଲିଯାତ୍ରାରେ ୱାଟର୍ ବୋଟିଂ ବ୍ୟବସ୍ଥା କରାଯିବ। ଏନେଇ ଡିସିପିଙ୍କ ଅଫିସଠାରୁ ମୁଖ୍ୟ ବିଚାରପତିଙ୍କ ଘର ପର୍ଯ୍ୟନ୍ତ ପଡ଼ିଆରେ ୩ଟି ଅସ୍ଥାୟୀ ଜଳାଶଳୟର ବ୍ୟବସ୍ଥା କରାଯାଉଛି।  ଜଳାଶଳୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଏବେ ଦଳ ସଫେଇ କାର୍ଯ୍ୟ ଚାଲୁରହିଛି। ଦଳ ସଫେଇ ହେବା ପରେ ଜଳକୁ ସ୍ୱଚ୍ଛ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯିବ।

ଏହାବାଦ୍‌ ପୂର୍ତ୍ତ ବିଭାଗକୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି। ରିଂରୋଡ୍ ଫୁଟପାଥ୍ ମରାମତି କରିବା ସହିତ ପାର୍କିଂ ଗଡା ରାସ୍ତାକୁ ଠିକ୍ ଭାବେ ପ୍ରସ୍ତୁତ କରବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜନସ୍ୱାସ୍ଥ୍ୟ ବିଭାଗକୁ ବାଲିଯାତ୍ରାର ବିଭିନ୍ନ ଚିହ୍ନଟ ସ୍ଥାନରେ ଅସ୍ଥାୟୀ ଟଏଲେଟ୍ ଓ ପିଇବା ପାଣି ବ୍ୟବସ୍ଥା କରିବାକୁ କୁହାଯାଇଛି। ସେସୁକୁ ପର୍ଯ୍ୟାପ୍ତ ଷ୍ଟ୍ରିଟ୍‌ ଲାଇଟ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment