ଜଗନ୍ନାଥ ପ୍ରସାଦ ଦାସ
ପୁରୁଣା ଦିନରେ ଆମର କଥାବାଚକ ଗପଟିଏ କହିବା ଆଗରୁ ଶ୍ରୋତାମାନଙ୍କୁ ପଚାରୁଥିଲା, ସତ କହିବି ନା ମିଛ କହିବି ନା ଯାହା ଅଙ୍ଗେ ନିଭେଇଛି ତା’ କହିବି? ଏ ପ୍ରଶ୍ନରେ ସ୍ପଷ୍ଟ ଆଭାସ ଥିଲା ଯେ ଗଳ୍ପ ତିନି ପ୍ରକାରର ହୋଇପାରେ। ସତ ଗପ ହେଉଛି ଯାହା ବାସ୍ତବରେ ଘଟିଛି ଏବଂ ଯାହାର ଘଟିଥିବା ବିଷୟରେ କାହାରି
କୌଣସି ସନ୍ଦେହ ନାହିଁ। ଏ ପ୍ରକାର ଗପ କାହାଣୀକାର ବା କଥାବାଚକ ସ୍ୱୟଂ ଦେଖିଥାଇପାରେ ବା ପ୍ରାମାଣିକ ସୂତ୍ରରୁ ସେ କଥା ପଢ଼ିଥାଏ ବା ଶୁଣିଥାଇପାରେ। ସେଥିରେ ପୁଣି ପଢ଼ିଥିବା ଓ ଶୁଣିଥିବା ଅପେକ୍ଷା ଦେଖିଥିବା ଘଟଣାର ଗୁରୁତ୍ୱ ବେଶି। କବୀରଙ୍କ ଭାଷାରେ, ତୁ କହତା ହୈ କାଗଜ ଲେଖୀ, ମୈଁ କହତା ହୁଁ ଆଁଖନ ଦେଖୀ।
ମିଛି କଥା ହେଲା ସଂପୂର୍ଣ୍ଣ କାଳ୍ପନିକ, ବାସ୍ତବ ଜଗତରେ ଯାହାର କୌଣସି ଉଦ୍ଗମ ବା ଆଧାର ନାହିଁ ଏବଂ ଯାହା ତିଆରି ହୋଇଥାଏ ଲେଖକର ମନ ଭିତରେ। ପରୀକଥା, ପଶୁପକ୍ଷୀ, ଅସୁର ରାକ୍ଷସ, ସ୍ୱର୍ଗ ପାତାଳକୁ ନେଇ ଲେଖା ଏହି ଶ୍ରେଣୀର। ପାଠକ ଓ ଶ୍ରୋତାଙ୍କୁ ମିଛ ଅପେକ୍ଷା ସତରେ ଘଟିଥିବା କଥା ବେଶୀ ଆକର୍ଷଣ କରିଥାଏ।
ଏ ସବୁରୁ ଊର୍ଦ୍ଧ୍ୱରେ ହେଲା ଅଙ୍ଗେ ନିଭାଇବା କଥା ଯାହା ଗଳ୍ପ ଶୁଣାଇବା ଲୋକ ବା ଗଳ୍ପର ଲେଖକ ନିଜ ଜୀବନରେ ନିର୍ବାହ କରିଛି। ଏ ଭଳି କଥାର ଲେଖକ ବା ବର୍ଣ୍ଣନାକାରୀ ନିଜେ ସେ ଗଳ୍ପର ଗୋଟିଏ ଚରିତ୍ର ଏବଂ ଘଟଣାଟି ସେହି ଦୃଷ୍ଟିରୁ ନିତାନ୍ତ ବାସ୍ତବ, ବିଶ୍ୱସନୀୟ ଓ ଜୀବନ୍ତ ବୋଲି ଧରାଯାଇଥାଏ। ରାମାୟଣର ଲେଖକ ବାଲ୍ମିକୀ ସୀତାଙ୍କର ନିର୍ବାସନ ସମୟରେ ତାଙ୍କୁ ନିଜ ଆଶ୍ରମରେ ଆଶ୍ରୟ ଦେଇଥିଲେ।
କାଣ୍ଟରବେରି ଟେଲ୍ସ୍(ଚତୁର୍ଦ୍ଦଶ ଶତାବ୍ଦୀ)ରେ ଲେଖକ ଚସର୍ ଯେଉଁ ଚବିଶ ଜଣ ତୀର୍ଥଯାତ୍ରୀଙ୍କ କାହାଣୀ କହିଛନ୍ତି ସେମାନଙ୍କ ମଧ୍ୟରୁ ସେ ନିଜେ ମଧ୍ୟ ଜଣେ। ଓଡ଼ିଆ ଲୋକକଥା ଶେଷରେ ରାଜା ପୁଅ ବାହାଘର କଥା ବର୍ଣ୍ଣନା କରି କଥାବାଚକ କହେ, ମୁଁ ସେଠିକି ଯାଇଥିଲି, କିନ୍ତୁ କେହି ମୋ ଆଡ଼କୁ ଅନାଇଲେ ନାହିଁ।
ଆତ୍ମଜୀବନୀ ଓ ଭ୍ରମଣକାହାଣୀ ବହିର ଲେଖକ ନିଜେ ସେ ବହିର ଚରିତ୍ର ହେବାକୁ ବାଧ୍ୟ ଏବଂ ସେହି ଦୃଷ୍ଟିରୁ ତା’ର ବର୍ଣ୍ଣନା ବାସ୍ତବ। ମନଗଢ଼ା କଥା କାହାଣୀ ଗଳ୍ପ ଉପନ୍ୟାସର ଲେଖକ ସବୁବେଳେ ଚେଷ୍ଟା କରିଥାଏ ନିଜର ବିବରଣକୁ ଯଥା ସମ୍ଭବ ବାସ୍ତବବାଦୀ କରିବା ପାଇଁ। ଏହି ଉଦ୍ୟମରେ ଗାଳ୍ପିକ ଓ ଔପନ୍ୟାସିକଙ୍କର ପ୍ରତିଦ୍ୱନ୍ଦ୍ୱୀ ହୁଅନ୍ତି ଐତିହାସିକ, ନୃତତ୍ତ୍ୱବିତ୍, ସମାଜ ବିଜ୍ଞାନୀ ଇତ୍ୟାଦି। ଅନେକ ସମୟରେ ସେମାନଙ୍କର ବର୍ଣ୍ଣନା ସୃଜନଶୀଳ ଲେଖକଙ୍କ ଲେଖାଠାରୁ ଆହୁରି ଚିତ୍ତାକର୍ଷକ ହୋଇଥାଏ।
ଉଦାହରଣ ସ୍ୱରୂପ ନୃତତ୍ତ୍ୱବିତ କୌଣସି ଆଦିବାସୀ ସମାଜ ଉପରେ ଗବେଷଣା କଲାବେଳେ ସେମାନଙ୍କ ସହିତ ରହନ୍ତି, ତାଙ୍କର ଚାଲିଚଳନ ସଂସ୍କାର ମେଳା ମଉଛବରେ ଯୋଗ ଦିଅନ୍ତି; ସେମାନଙ୍କୁ କୁହାଯାଏ ପାର୍ଟିସିପାଣ୍ଟ ଅବଜର୍ଭର ବା ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷକ। ଭେରିଅର ଏଲଓ୍ୱିନ ତାଙ୍କର ଗବେଷଣା ସମୟରେ ଆଦିବାସୀଙ୍କ ସହିତ ରହୁଥିଲେ ଏବଂ ଦୁଇ ଆଦିବାସୀ ମହିଳାଙ୍କୁ ବିବାହ କରିଥିଲେ। ଏ ଭଳି ନୃତତ୍ତ୍ୱବିତ୍ଙ୍କ ବହି ସେହି ସଂପ୍ରଦାୟ ଉପରେ ଲେଖା ହୋଇଥିବା ଉପନ୍ୟାସଠାରୁ ଅଧିକ ଆକର୍ଷକ ହୋଇପାରେ। ଠିକ୍ ସେହିଭଳି ଓଡ଼ିଶା ନଅଙ୍କ ବିଷୟରେ ଦୁର୍ଭିକ୍ଷ କମିଶନଙ୍କ ରିପୋର୍ଟ ଗଳ୍ପ ଉପନ୍ୟାସଠାରୁ ଅଧିକ ମର୍ମସ୍ପର୍ଶୀ ମନେ ହୁଏ।
କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଘଟଣା, ସମସ୍ୟା, ପରିସ୍ଥିତି ବା କାଳ ବିଷୟରେ ଲେଖିବାକୁ ଯାଉଥିବା ଔପନ୍ୟାସିକ ସେ ବିଷୟରେ ଗଭୀର ଗବେଷଣା କରିଥାନ୍ତି। ଏୟାରପୋର୍ଟ, ହୋଟେଲ, କୋଇଲା ଖଣିକୁ ନେଇ ବେଷ୍ଟସେଲର୍ ଲେଖୁଥିବା ଲେଖକ ଦୀର୍ଘ ସମୟ ଧରି ସେ ଭଳି ସ୍ଥାନରେ ସମୟ କଟାନ୍ତି ଓ ଗବେଷଣା କରନ୍ତି। ଏ ଭଳି ଗବେଷଣା ପ୍ରସୂତ ଏକ ପ୍ରକାରର ଲେଖା ହେଲା ସ୍ଲାଇସ୍ ଅଫ୍ ଲାଇଫ୍ ବା ଚେନାଏ ଜୀବନ ଉପନ୍ୟାସ ଯେଉଁଥିରେ ଡାକ୍ତର, ଖେଳାଳି, ସାମ୍ବାଦିକ ବା ଥିଏଟର କର୍ମୀଙ୍କ ଜୀବନଶୈଳୀର ବିସ୍ତାରରେ ବର୍ଣ୍ଣନା କରାଯାଇଥାଏ। ଆଉ ଗୋଟିଏ ପ୍ରକାରର ଉପନ୍ୟାସ ହେଲା ନନ୍-ଫିକ୍ଶନ ନଭେଲ ବା ଅକାଳ୍ପନିକ ଉପନ୍ୟାସ ଯାହା ସଂପୂର୍ଣ୍ଣ ସତ ଘଟଣା ଉପରେ ଆଧାରିତ। ଏହାର ଗୋଟିଏ ଭଲ ଉଦାହରଣ ଇନ୍ କୋଲ୍ଡ୍ ବ୍ଲଡ୍(୧୯୬୫) ଯାହାକୁ ଆମେରିକୀୟ ଲେଖକ ଟ୍ରୁମାନ କାପୋଟି ଗୋଟିଏ ହତ୍ୟାକାଣ୍ଡ ବିଷୟରେ ଲେଖିଥିଲେ ଅପରାଧୀମାନଙ୍କ ସହିତ ଦୀର୍ଘ ସାକ୍ଷାତ୍କାରମାନ କରି।
ଗବେଷଣା ଓ ବ୍ୟକ୍ତିଗତ ଭାବେ ଅଂଶଗ୍ରହଣ କରି ଲେଖାଯାଇଥିବା କେତୋଟି ବିଶ୍ୱପ୍ରସିଦ୍ଧ ଉପନ୍ୟାସ ବିଷୟରେ ନିମ୍ନରେ ଦିଆଗଲା।
– ଅପ୍ଟନ୍ ସିନ୍କ୍ଲେୟାର୍ଙ୍କ ଉପନ୍ୟାସ ଦ ଜଙ୍ଗଲ(୧୯୦୬) : ଏଇଟି ଲେଖିବା ପାଇଁ ସିନ୍କ୍ଲେୟାର୍ ଜଣେ ସାମ୍ବାଦିକ ଭାବେ ନିଜର ପରିଚୟ ଲୁଚାଇ ଶିକାଗୋର ଅପରିଚ୍ଛନ୍ନ ମାଂସ କାରଖାନାମାନଙ୍କରେ ସାତ ସପ୍ତାହ କଟାଇଥିଲେ। ଉପନ୍ୟାସଟି ଏତେ ପ୍ରଭାବଶାଳୀ ଥିଲା ଯେ ଏହା ଯୋଗୁ ଆମେରିକାରେ ଫୁଡ୍ ଏଣ୍ଡ ଡ୍ରଗ୍ ଓ ମିଟ୍ ଇନ୍ସପେକ୍ସନ ଆଇନ୍ ପ୍ରଣୀତ ହୋଇଥିଲା।
– ଜନ୍ ଷ୍ଟାଇନ୍ବେକ୍ଙ୍କର ଦ ଗ୍ରେପ୍ସ୍ ଅଫ୍ ରାଥ୍(୧୯୩୯) ; ମରୁଡ଼ି, ଧୂଳିଝଡ଼ ଓ ମେଶିନ ବ୍ୟବହାର ଯୋଗୁ କାମ ହରାଇ ଦୁଃସ୍ଥ ହୋଇଥିବା ଚାଷୀମାନେ ହଜାର ହଜାର ସଂଖ୍ୟାରେ କାମ ସଂଧାନରେ କାଲିଫର୍ନିଆ ଆଡକୁ ମୁହାଁଇଥିଲେ। ଏହି ବିସ୍ଥାପିତ ଦଳେ ଶ୍ରମିକଙ୍କ ସହିତ ଯୋଗ ଦେଇ ଷ୍ଟାଇନବେକ୍ ତାଙ୍କ ସହିତ କିଛି ମାସ କାମ କଲେ ଓ ଅସ୍ଥାୟୀ କ୍ୟାମ୍ପରେ ରହିଲେ। ଫେରିଆସି ସେ ଯେଉଁ ବହିଟି ଲେଖିଲେ ତା ଅତି ଶୀଘ୍ର ବେଷ୍ଟ ସେଲର ତାଲିକାକୁ ଗଲା ଏବଂ ବହିଟିକୁ ଅତୀତରେ ହଲଚଲ ସୃଷ୍ଟି କରିଥିବା ଅଂକଲ ଟମ୍ସ କେବିନ ସହିତ ତୁଳନା କରାଗଲା।
-ଆଇନ୍ ରାଣ୍ଡଙ୍କର ଦ ଫାଉଣ୍ଟେନ୍ହେଡ୍(୧୯୪୩) ; ଉପନ୍ୟାସଟି ଜଣେ ଆର୍କିଟେକ୍ଟଙ୍କୁ ନେଇ ଏବଂ ସେ ବିଷୟରେ ଜାଣିବା ପାଇଁ ଲେଖିକା ଛମାସ ବିନା ବେତନରେ ନ୍ୟୁୟର୍କର ଏକ ଆର୍କିଟେକ୍ଟ ଅଫିସ୍ରେ କାମ କରିଥିଲେ।
ଉପରଲିଖିତ ଉଦାହରଣମାନ ହେଲା ବହି ଲେଖିବା ପାଇଁ ଭାବିଚିନ୍ତି ଅନୁଭବ ଓ ଅଭିଜ୍ଞତା ଆହରଣ କରିବା କଥା। ମଣିଷ ମାତ୍ରେ ହିଁ ତାର ସ୍ୱାଭାବିକ ଜୀବନରେ ବିଭିନ୍ନ ପ୍ରକାରର ଅନୁଭବ ଓ ଅଭିଜ୍ଞତା ସଂଗ୍ରହ କରୁଥାଏ ଏବଂ ଲେଖକମାନେ ନିଜର ବ୍ୟକ୍ତିଗତ ଅନୁଭୂତି ଓ ଉପଲବ୍ଧିକୁ ଲେଖାରେ ବ୍ୟବହାର କରିଥାନ୍ତି। ଚାର୍ଲସ୍ ଡିକେନ୍ସଙ୍କର ଉପନ୍ୟାସମାନଙ୍କୁ ତାଙ୍କର ଜୀବନର ବିଭିନ୍ନ ପର୍ଯ୍ୟାୟ ସହିତ ଯୋଡ଼ି ଦିଆଯାଇପାରେ। ଫକୀରମୋହନଙ୍କ ଛମାଣ ଆଠଗୁଣ୍ଠ ସେ ଜାଣିଥିବା ଗୋଟିଏ ସତ ଘଟଣା ଉପରେ ପର୍ଯ୍ୟବସିତ ବୋଲି କୁହାଯାଏ। ଗୋପୀନାଥ ମହାନ୍ତି କୋରାପୁଟରେ ସାଢେ ଚାରିବର୍ଷ ଚାକିରି କରିଥିଲେ(୧୯୪୦-୪୪) ଏବଂ ସେଠାରେ ତାଙ୍କର ଆଦିବାସୀ ଜୀବନ ସହିତ ଭଲ ଭାବରେ ପରିଚିତ ହୋଇଥିବାର ଫଳ ଥିଲା ଦାଦିବୁଢ଼ା(୧୯୪୫), ପରଜା(୧୯୪୫) ଓ ଅମୃତର ସନ୍ତାନ(୧୯୪୭)। ସେ ନିଜେ ଲେଖିଛନ୍ତି କିପରି ପରଜାର କାହାଣୀ ସେ ଲକ୍ଷ୍ମୀପୁରର ଜଣେ ସବ୍ଇନ୍ସପେକ୍ଟରଙ୍କ ପାଖରୁ ଶୁଣିଥିଲେ ଏବଂ ତାକୁ ଉପନ୍ୟାସର ରୂପ ଦେଇଥିଲେ। ଅନ୍ୟତ୍ର ସେ କହିଛନ୍ତି ଯେ ୩୧ ବର୍ଷ ସରକାରୀ ଚାକିରିର ଅନୁଭୂତି ବିନା ତାଙ୍କର ଦାନାପାଣି ଉପନ୍ୟାସ ସମ୍ଭବ ହୋଇ ନଥାନ୍ତା।
ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଅନୁଭବ ହିଁ ଯଥେଷ୍ଟ ନା ଲେଖିବା ପାଇଁ ସେଥିରେ କଳ୍ପନାର ମଧ୍ୟ ସଂଯୋଜନା ଦରକାର। ଏବଂ ତା ହେଲେ କାହାର ପରିମାଣ କେତେ ରହିବ। ଏମିଲ ଜୋଲା, ଡିକେନ୍ସ, ବାଲଜାକ ଯେଉଁ ବିଷୟରେ ଲେଖୁଥିଲେ ସେ ବିଷୟରେ ଗଭୀର ଅନୁଧ୍ୟାନ କରୁଥିଲେ, କିନ୍ତୁ ସେମାନଙ୍କର ଲେଖନ ଶୈଳୀ, କଳ୍ପନାର ଉପଯୁକ୍ତ ପ୍ରୟୋଗ ଓ ବାସ୍ତବବାଦୀ ଚରିତ୍ର ଚିତ୍ରଣ ଯୋଗୁ ଗବେଷଣାର ତଥ୍ୟ ପଶ୍ଚାଦ୍ଦେଶରେ ରହୁଥିଲା ଏବଂ ପାଠକଙ୍କୁ ଭାରାକ୍ରାନ୍ତ କରୁନଥିଲା। ଗବେଷଣାଲବ୍ଧ ଜ୍ଞାନକୁ ବିସ୍ତାର ଭାବରେ ବର୍ଣ୍ଣନା କଲେ ବହିଟି ଉପନ୍ୟାସ ଅପେକ୍ଷା ବେଶି ରିପୋର୍ଟ ହୋଇଯିବାର ସମ୍ଭାବନା ରହିଛି। କେତେ ଓ କିପରି ଭାବରେ ଗବେଷଣା କରିବ ସେ ବିଷୟରେ ମଧ୍ୟ ବିଭିନ୍ନ ଦୃଷ୍ଟିକୋଣ ଅଛି। ଲେଖିକା ଜର୍ଜ ଇଲିଅଟ ଏ ବିଷୟରେ ଗୋଟିଏ ସନ୍ତୁଳିତ ମତ ଦେଇଥିଲେ ଯେ କାରଖାନା ଭିତରକୁ ଯାଇ ଲେଖକକୁ ସବୁ କିଛି ଅନୁଭବ କରିବାର ଆବଶ୍ୟକତା ନାହିଁ, ତା ପାଇଁ ଖୋଲା ଦରଜା ହିଁ ଯଥେଷ୍ଟ।
ଏ କଥା ମଧ୍ୟ ସତ ଯେ ଲେଖକର ବ୍ୟକ୍ତିଗତ ଜୀବନର ଅନୁଭୂତି ତା’ର ଲେଖାରେ କେଉଁଠି ନା କେଉଁଠି ଓ କିପରି ନା କିପରି ପ୍ରତିଫଳିତ ହୋଇଥାଏ। ନିଜେ ଭେଟିଥିବା ଦୁଇ ତିନିଟି ଚରିତ୍ରକୁ ମିଶାଇ ସେ ଗୋଟିଏ ଚରିତ୍ର ତିଆରି କରିପାରେ, ବିଭିନ୍ନ ଘଟଣାକୁ ସଜାଇ ସେ ଗୋଟିଏ ନୂଆ ଆଖ୍ୟାନ ଗଢ଼ିପାରେ। ସେହି ଦୃଷ୍ଟିରୁ ଦେଖିଲେ ଲେଖକର କୌଣସି କାହାଣୀ ବି ସଂପୂର୍ଣ୍ଣ କାଳ୍ପନିକ ହୋଇନପାରେ।
ବର୍ତ୍ତମାନ ଏକ ତର୍କ ଉଠୁଛି ଯେ ନୀଚ ବର୍ଗର ଲୋକଙ୍କ ବିଷୟରେ ସେହି ବର୍ଗର ଲୋକ ହିଁ ନିଷ୍ଠାପର ଭାବରେ ଲେଖିପାରିବେ, କାରଣ ସେ ବିଷୟରେ କେବଳ ସେହିମାନଙ୍କର ହିଁ ବ୍ୟକ୍ତିଗତ ଅନୁଭୂତି ଅଛି। ଦଳିତ ବୁଦ୍ଧିଜୀବୀ କହୁଛନ୍ତି କେବଳ ଦଳିତମାନେ ନିଜେ ଯାହା ଲେଖୁଛନ୍ତି ତାହା ହିଁ ଦଳିତ ସାହିତ୍ୟ, ସବର୍ଣ୍ଣ ଲେଖକ ଦଳିତମାନଙ୍କ ବିଷୟରେ ଯାହା ଲେଖିଛନ୍ତି, ତା’ ଦଳିତ ସାହିତ୍ୟର ଅନ୍ତର୍ଭୁକ୍ତ ନୁହେଁ। ପ୍ରେମଚନ୍ଦଙ୍କର ଅନେକ ଲେଖାରେ ଦଳିତ ଚରିତ୍ର ଅଛନ୍ତି; ତାଙ୍କର ରଂଗଭୂମି ଉପନ୍ୟାସର ପ୍ରଧାନ ଚରିତ୍ର ଜଣେ ଦରିଦ୍ର ଅଶିକ୍ଷିତ ଦଳିତ। ମୁଲକ୍ରାଜ ଆନନ୍ଦଙ୍କ ଅନ୍ଟଚେବ୍ଲ(୧୯୩୫)ରେ ଏକ ଭଙ୍ଗୀ ଯୁବକର କଥା ଅଛି ଯେପରି ଅଛି ଗୋପୀନାଥ ମହାନ୍ତିଙ୍କ ହରିଜନ(୧୯୪୮)ରେ ମେହେନ୍ତରଙ୍କ କାହାଣୀ। କୁହାଯାଉଛି ଯେ ଏ ସବୁକୁ ଦଳିତ ସାହିତ୍ୟର ମର୍ଯ୍ୟାଦା ଦିଆଯାଇ ନପାରେ କାରଣ ଏଥିରେ ଲେଖକଙ୍କର ନିଜର ଅନୁଭବ ନାହିଁ। ସେମାନଙ୍କର ସହାନୁଭୂତି ଥାଇପାରେ କିନ୍ତୁ ସେମାନଙ୍କର ସ୍ୱାନୁଭୂତି ବା ସ୍ୱ-ଅନୁଭୂତି ନାହିଁ।
ଆମେରିକାରେ ମଧ୍ୟ କଳାଲୋକମାନଙ୍କ ବିଷୟରେ ଲେଖିବା ନେଇ ଠିକ ଏକା ଭଳି ମତ ପ୍ରକାଶ ପାଇଛି। ଓ୍ୱିଲିଅମ ସ୍ଟାଇରନଙ୍କର ଦ କନଫେସନ୍ସ୍ ଅଫ୍ ନ୍ୟାଟ୍ ଟର୍ନର(୧୯୬୮) ବହିରେ ଅଛି ୧୯୩୧ମସିହାରେ ହୋଇଥିବା ଦାସମାନଙ୍କ ବିଦ୍ରୋହର କାହାଣୀ। ଏହି ବହି ବିରୁଦ୍ଧରେ ଆଫ୍ରିକାନ୍-ଆମେରିକାନ୍ ବୁଦ୍ଧିଜୀବୀ ଗୋଟିଏ ବହି ବାହାର କଲେ, ଟେନ୍ ବ୍ଲାକ୍ ରାଇଟର୍ସ ରେସ୍ପଣ୍ଡ। ସେମାନଙ୍କର ମତ ଥିଲା ଯେ ଜଣେ ଗୋରା ଲୋକ ଏ ବିଷୟରେ ବିଶ୍ୱସ୍ତ ବହି ଲେଖି ନପାରେ। ଏହା ଠିକ୍ ଆମର ଦଳିତ ବୁଦ୍ଧିଜୀବୀମାନଙ୍କର ଯୁକ୍ତି ଭଳି ଥିଲା।
ଜଣେ ନିଜର ବ୍ୟକ୍ତିଗତ ଅନୁଭୂତି ବିନା ସେ ବିଷୟରେ ଲେଖିପାରିବ କି ନା ଏ ସମ୍ବନ୍ଧରେ ନାଟ୍ୟ ଜଗତରୁ ଏକ ଉଦାହରଣ ନିଆଯାଇପାରେ। ମଞ୍ଚ କଳାକାରମାନଙ୍କର ଅଭିନୟ ପାଇଁ ଦୁଇ ପ୍ରକାରର ପ୍ରଣାଳୀ ଅଛି : ସ୍ତାନିସ୍ଲାଭସ୍କିଙ୍କର ପ୍ରବର୍ତ୍ତିତ ମେଥଡ ସ୍କୁଲ ଏବଂ ଅନ୍ୟଟି ଟେକ୍ନିକ୍ ସ୍କୁଲ। ପ୍ରଥମ ପ୍ରଣାଳୀରେ ଅଭିନେତାକୁ ନିଜର ବ୍ୟକ୍ତିଗତ ଅଭିଜ୍ଞତା ଦେଇ ଚରିତ୍ରକୁ ଫୁଟାଇବାକୁ ହେବ, ଅର୍ଥାତ୍ ଗୋଟିଏ ଚରମ ଉଦାହରଣ ନେଲେ, ମଦ ପିଇଲେ ମାତାଲର ସଠିକ ଅଭିନୟ କରିପାରିବ। ଅନ୍ୟ ପକ୍ଷରେ ଟେକନିକ୍ ସ୍କୁଲର ଅଭିନେତା ନିଜର ଅଭିନୟ କଳା କୌଶଳରେ ହିଁ ମଦ୍ୟପ ଚରିତ୍ରକୁ ମଞ୍ଚ ଉପରେ ଜୀବନ୍ତ କରିବ। ଏ ବିଷୟରେ ଗୋଟିଏ ମଜାର କଥା ଅଛି। ହଲିଉଡ୍ ଚଳଚ୍ଚିତ୍ର ଦ ମାରାଥନ ମ୍ୟାନ ତିଆରି ବେଳେ ଏକ ଦୃଶ୍ୟରେ ଥିଲା ନାୟକ ଡସ୍ଟିନ୍ ହଫ୍ମ୍ୟାନ( ଯେ କି ମେଥଡ ସ୍କୁଲରେ ବିଶ୍ୱାସ କରୁଥିଲେ) ତିନି ରାତି ଶୋଇ ନଥିବାର ଦୃଶ୍ୟ। ଏଥିପାଇଁ ସେ ତିନି ରାତି ଅନିଦ୍ରା ରହିଥିଲେ। ସକାଳେ ତାଙ୍କ ସହିତ ସେହି ଦୃଶ୍ୟରେ ଅଭିନୟ କରୁଥିବା ଲରେନ୍ସ ଅଲିଭିଏର(ଯେ କି ଟେକନିକ ସ୍କୁଲରେ ବିଶ୍ୱାସ କରୁଥିଲେ) ଏ କଥା ଶୁଣି କହିଲେ, ଏତେ କଷ୍ଟ ନ କରି ସିଧାସଳଖ ଅଭିନୟ କରିଥିଲେ ଚଳି ନ ଥାନ୍ତା?
ହୁଏତ ଟେକନିକ ସ୍କୁଲର ଅଭିନେତା ଭଳି ଜଣେ ଲେଖକ ମଧ୍ୟ ଅନୁଭବ ନ ଥାଇ ନିଜର ପଢାଶୁଣା ଜ୍ଞାନରୁ ଗଳ୍ପ ଉପନ୍ୟାସ ଲେଖିପାରିବ। କିନ୍ତୁ ସେଥିରେ କିଛି ଘଟଣା କଞ୍ଚା ରହିଯିବାର ସମ୍ଭାବନା ଅଛି। କୁହାଯାଇଥାଏ ଯେ ପ୍ରେମଚନ୍ଦଙ୍କ ଉପନ୍ୟାସରେ ଗାଁର ବର୍ଣ୍ଣନା ଯେପରି ଜୀବନ୍ତ, ଯୁକ୍ତିଯୁକ୍ତ ଓ ବିଶ୍ୱାସଯୋଗ୍ୟ, ତା ତାଙ୍କର ସହର ବର୍ଣ୍ଣନାରେ ନାହିଁ, କାରଣ ତାଙ୍କର ସେ ଭଳି ଜୀବନ ସହିତ ଘନିଷ୍ଠ ସଂପର୍କ ନଥିଲା।
ପ୍ରକୃତ ସମସ୍ୟା ଉପୁଜେ ଯେତେବେଳେ ଲେଖକ କୌଣସି ଗୋଷ୍ଠୀର ପ୍ରତିନିଧିତ୍ୱ କରିବାର ଦାବି କରେ ନିଜେ ତାର ସଭ୍ୟ ନଥାଇ ବା ସେ ଗୋଷ୍ଠୀର ଭଲମନ୍ଦରେ ଭାଗ ନ ନେଇ। ଏହାର ଉଦାହରଣ କବିତାରୁ ନିଆଯାଉ। ଅବଶ୍ୟ କବିତାରେ ସତ ମିଛ ଅଙ୍ଗେ ନିଭା କଥା ଖୋଜିବା ଦୁଷ୍କର ବ୍ୟାପାର କାରଣ କବିତା ଭିନ୍ନ ଆକାଶର ପକ୍ଷୀ। କବିତାରେ ସତ ମିଛ ନଥାଏ, ଥାଏ କବିତା। କବିତା ପୁଣି ସତ ମିଛ ଓ ଅଙ୍ଗେ ଲିଭେଇବା କଥାରୁ ହିଁ ତିଆରି ହୁଏ। କବି ଯେ ସତ ମିଛ କରି କହନ୍ତି, କବିତା ଚାତୁରୀରେ ମନ ମୋହନ୍ତି। ନ କବେ ବର୍ଣ୍ଣନମ୍ ମିଥ୍ୟା। ରବୀନ୍ଦ୍ରନାଥ ଠାକୁରଙ୍କ ଭାଷା ଓ ଛନ୍ଦ କବିତାରେ ନାରଦ ବାଲ୍ମୀକିଙ୍କୁ କହୁଛନ୍ତି, ସେଇ ସତ୍ୟ ଯା ରଚିବେ ତୁମି; ଘଟେ ଯା ତା ସତ୍ୟ ନହେ।
ପୂର୍ବ ବର୍ଣ୍ଣିତ ଦଳିତ ସାହିତ୍ୟର ସହାନୁଭୂତି ଓ ସ୍ୱାନୁଭୂତି ପରିପ୍ରେକ୍ଷୀରେ କବିତାକୁ ଦେଖା ଯାଉ। କବିମାନେ ମଧ୍ୟ ଦାବି କରନ୍ତି ନିମ୍ନ ବର୍ଗର ଲୋକମାନଙ୍କ ପ୍ରତିନିଧିତ୍ୱ କରିବାର। ସଚି ରାଉତରା ନିଜକୁ ମାଟିର ଧରା ଆଉ ଆକାଶର କବି କହୁଥିବା ବେଳେ ବଙ୍ଗାଳି କବି ପ୍ରେମେନ୍ଦ୍ର ମିତ୍ର କହନ୍ତି, ଆମି କବି ଯତ କାମାରେର ଆର୍ କାଁସାରୀର ଆର୍ ଛୁତୋରେର, ମୁଟେ ମଜୁରେର; ଆମି କବି ଯତ ଇତରେର।
ଇତର ଲୋକ କହିବ ଏଇଟି ମିଛ ଦାବି। ଏ ବିଷୟରେ ବୋଧହୁଏ ସବୁଠାରୁ ନିଷ୍ଠାପର କଥା କହିଛନ୍ତି ରବୀନ୍ଦ୍ରନାଥ ଠାକୁର ନିଜର ମୃତ୍ୟୁର କିଛି ମାସ ପୂର୍ବରୁ ଲେଖିଥିବା ଐକତାନ କବିତାରେ। ତାଙ୍କର ବର୍ଣ୍ଣନାରେ ଚାଷୀ କ୍ଷେତ୍ରରେ ହଳ କରୁଛି, ତନ୍ତୀ ଲୁଗା ବୁଣୁଛି, କେଉଟ ମାଛ ଧରୁଛି, ଏମାନଙ୍କର ବିଚିତ୍ର କର୍ମଭାର ବହୁଦୂର ପ୍ରସାରିତ। ତାହାରି ଉପରେ ଭାରା ଦେଇ ସମସ୍ତ ସଂସାର ଚାଲିଛି।
ଅତି କ୍ଷୁଦ୍ର ଅଙ୍ଗେ ତାର ସମ୍ମାନେର ଚିର ନିର୍ବାସନେ
ସମାଜେର ଉଚ୍ଚ ମଞ୍ଚେ ବସେଛି ସଂକୀର୍ଣ୍ଣ ବାତାୟନେ।
ମାଝେ ମାଝେ ଗେଛି ଆମି ଓ ପାଡ଼ାର ପ୍ରାଙ୍ଗଣେର ଧାରେ,
ଭିତରେ ପ୍ରବେଶ କରି ସେ ଶକ୍ତି ଛିଲ ନା ଏକେବାରେ।
ରବୀନ୍ଦ୍ରନାଥ ନିଜେ ଏଇ ତଥାକଥିତ ନୀଚ ସମାଜ ଭିତରକୁ ପ୍ରବେଶ କରି ପାରିନଥିଲେ। ତେବେ ଯେଉଁମାନେ ଉଚ୍ଚାସନରେ ବସି ନିଜକୁ ସେମାନଙ୍କର ପ୍ରତିନିଧି ବୋଲି ଦାବି କରନ୍ତି, ସେମାନଙ୍କ ପାଇଁ ରବୀନ୍ଦ୍ରନାଥ ସେହି କବିତାରେ କହିଛନ୍ତି, ସତ୍ୟ ମୂଲ୍ୟ ନା ଦିୟେ ଇ ସାହିତ୍ୟେର ଖ୍ୟାତି କରା ଚୁରି, ଭାଲୋ ନୟ ଭାଲୋ ନୟ ନକଲ ସେ ଶୌଖୀନ ମଜଦୁରି
ତାହା ହିଁ ସତ ମିଛ ଓ ଅଙ୍ଗେ ନିଭେଇବା ପ୍ରସଙ୍ଗର ଶେଷ କଥା ହେଉ।
(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ‘ଆମ ଭାଷା, ଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ‘ଓଡ଼ିଶାଲାଇଭ୍’କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)