ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱରରୁ ଅଜୟ ଦାସଙ୍କ ରିପୋର୍ଟ): ଶେଷ ହୋଇଛି ଓଡିଶା ଟ୍ରାଭେଲ ବଜାର ୨୦୧୯।  ଶେଷ ଦିନରେ ବିଦେଶୀ ଟୁର୍‌ ଅପରେଟରଙ୍କୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ଜଣାଇବା ପାଇଁ ଓଡ଼ିଶା ଟ୍ରାଭେଲ ବଜାରରେ ଖୋଲିଥିଲା ବିଭିନ୍ନ ଷ୍ଟଲ୍‌। ବିଦେଶୀ ଟୁର୍‌ ଅପରେଟର ଏହି ଷ୍ଟଲମାନଙ୍କୁ ଯାଉଥିଲେ ଏବଂ ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ପଚାରି ବୁଝୁଥିଲେ।

ତେବେ ଏସବୁ ଭିତରେ ହେରିଟେଜ ପ୍ୟାଲେସ୍‌ ହୋମ୍‌ ଷ୍ଟେ ଆସୋସିଏସନ ପକ୍ଷରୁ ଖୋଲା ଯାଇଥିବା ଷ୍ଟଲ ବିଦେଶୀ ଟୁର୍‌ ଅପରେଟରଙ୍କୁ ଅଧିକ ଆକର୍ଷିତ କରିଥିଲା। ହେରିଟେଜ ପ୍ୟାଲେସରେ ପର୍ଯ୍ୟଟକଙ୍କ ପାଇଁ କ’ଣ ସବୁ ସୁବିଧା ରହିଛି ତାହା ଜାଣିବା ପାଇଁ ଏହି ଷ୍ଟଲରେ ଭିଡ଼ ଲଗାଇଥିଲେ ବିଦେଶୀ ଟୁର୍‌ ଅପରେଟର।

ଢେଙ୍କାନାଳ ରାଜପ୍ରାସାଦ, ଢେଙ୍କାନାଳ ଗଜଲକ୍ଷ୍ମୀ ପ୍ରାସାଦ, ଆଳି ରାଜପ୍ରାସାଦ, ଚିଲିକା ପାରିକୁଦ ରାଜପ୍ରାସାଦ, ନିଳଗିରି ରାଜପ୍ରାସାଦ, କଳାହାଣ୍ଡି ରାଜପ୍ରାସାଦ ଏବଂ ଚୌଦ୍ୱାର ଡାଲିଯୋଡ଼ିରେ ଥିବା ପୁରଲିଆ ପଞ୍ଚକୋଟ ରାଜପରିବାରର ଶିକାର ବାଡିର ଷ୍ଟେ ହୋମ ବ୍ୟାନର ଏହି ଷ୍ଟଲରେ ଲାଗିଥିଲା। ଷ୍ଟଲରେ ବସିଥିଲେ ରାଜପ୍ରସାଦର ପରିବାରର ସଦସ୍ୟ ଓ କର୍ମଚାରୀମାନେ। କିଛି ବର୍ଷ ହେବ ଏହି ସବୁ ରାଜପ୍ରାସାଦକୁ ନବୀକରଣ କରାଯାଇ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରାଯାଉଛି।

ଢେଙ୍କାନାଳ ରାଜପ୍ରାସାଦ

୧୮୬୦ ମସିହାର ଏହି ରାଜପ୍ରାସାଦ ତତ୍କାଳିନ ରାଜା ଭାଗିରଥ ମହେନ୍ଦ୍ର ବାହାଦୁର ନିର୍ମାଣ କରିଥିଲେ। ରାଜପ୍ରାସାଦ ନିକଟରେ ଏବେ ୪ ଏକର ଜମି ଥିବା ବେଳେ  କୋଡିଏ ବର୍ଷ ତଳେ ୨ଟି କୋଠରୀକୁ ନେଇ ପ୍ରଥମେ ହେରିଟେଜ ଷ୍ଟେ ହୋମ ପ୍ରତିଷ୍ଠା କରାଯାଇଥିଲା। ଏବେ ଏଠାରେ ୧୩ଟି ରୁମ୍‌ ରହିଛି। ଓଡ଼ିଶାର ପର୍ଯ୍ୟଟକଙ୍କ ସମେତ ବାହାରୁ ପର୍ଯ୍ୟଟକମାନେ ଏହି ଷ୍ଟେ ହୋମ୍‌କୁ ଆସୁଛନ୍ତି।

‘‘ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ବିଦେଶୀ ପର୍ଯ୍ୟଟକ ଅଧିକ ଆସୁଛନ୍ତି। ବିଶେଷକରି ଇଉରୋପରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି।  ଚଳିତବର୍ଷ ଫ୍ରାନ୍ସରୁ ଅଧିକ ପର୍ଯ୍ୟଟକ ଅଗଷ୍ଟ ମାସରେ ରାଜପ୍ରାସାଦରେ ରହିବା ପାଇଁ ଆସିଥିଲେ’’, କହିଛନ୍ତି ଢେଙ୍କାନାଳ ରାଜପରିବାରର ଅମରଜ୍ୟୋତି ସିଂହଦେଓ।

ଏଠାରେ ପର୍ଯ୍ୟଟକଙ୍କ ରହିବା, ଖାଇବାର ବ୍ୟବସ୍ଥା ରହିଛି। ରାଜପ୍ରାସାଦ ବୁଲିବା ପାଇଁ କର୍ମଚାରୀ ଓ ଗାଇଡ ନିୟୋଜିତ ହୋଇଛନ୍ତି। ପର୍ଯ୍ୟଟକମାନେ ଢେଙ୍କାନାଳ ରାଜପ୍ରସାଦରେ ରହିଲେ ସେଠାରୁ ସେମାନେ ଯୋରନ୍ଦାର ମହିମା ଗାଦି, ସାତକୋଶିଆ ଅଭୟାରଣ୍ୟ, ସପ୍ତଶଯ୍ୟା ପାହାଡ଼ ଓ ନୁଆପଡା ତନ୍ତ ଦେଖିବାର ସୁବିଧା ପାଇବେ।

ଢେଙ୍କାନାଳ ରାଜପରିବାରର ଆଉ ଏକ ରାଜପ୍ରାସାଦ ଗଜଲକ୍ଷ୍ମୀ ପ୍ରାସାଦ। ଏଠାରେ ମଧ୍ୟ ହେରିଟେଜ ଷ୍ଟେ ହୋମ ରହିଛି। ଏଠାରେ ମଧ୍ୟ କେତୋଟି କୋଠରୀକୁ ନବୀକରଣ କରାଯାଇ ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ରଖାଯାଇଛି। ଢେଙ୍କାନାଳ ରାଜପ୍ରାସାଦର ଷ୍ଟେ ହୋମରେ ରହିବା ପାଇଁ ପର୍ଯ୍ୟଟକଙ୍କୁ ପ୍ରତିଦିନ ୮ ହଜାର ଟଙ୍କା ଦେବାକୁ ପଡ଼ିବ। ଏହି ରାଜପ୍ରସାଦାରେ ରହିବା ନିଶ୍ଚିତ ଭାବେ ପର୍ଯ୍ୟଟକମାନଙ୍କୁ ଏକ ଐତିହ୍ୟ ଭରା ନିଆରା ଅନୁଭୂତି ଦେବ ବୋଲି ରାଜପରିବାରର ନବନୀତା ସିଂହଦେଓ କହିଛନ୍ତି।

ଆଳି ରାଜପ୍ରସାଦ

ଆଳି ରାଜପ୍ରାସାଦକୁ ହେରିଟେଜ ଷ୍ଟେ ହୋମରେ ପରିଣତ କରାଯାଇଛି। ସେଠାରେ ୭ଟି ରୁମକୁ ସୁନ୍ଦର ଭାବେ ପର୍ଯ୍ୟଟକମାନଙ୍କ ପାଇଁ ପ୍ରସ୍ତୁତ କରି ରଖାଯାଇଛି। ଏଠାକୁ ଗଲେ ପର୍ଯ୍ୟଟକମାନେ ପୁରୁଣା ରାଜପ୍ରାସାଦ, ରାଜାରାଜୁଡା ଅମଳର ଚାଲିଚଳନ ଦେଖିବା ସହିତ ଭିତରକନିକା ଅଭୟାରଣ୍ୟ ଓ ରତ୍ନଗିରି-ଲଳିତଗିରି ପର୍ଯ୍ୟଟନସ୍ଥଳ ଦେଖିବାର ସୁଯୋଗ ପାଇବେ ବୋଲି ରାଜପରିବାରର ବ୍ରଜକେଶରୀ ଦେବ କହିଛନ୍ତି।

ଚିଲିକା ପାରୁକୁଦ ଓ ନୀଳଗିରି ରାଜପ୍ରାସାଦ

ପାରିକୁଦ ରାଜପ୍ରସାଦରେ ହେରିଟେଜ ଷ୍ଟେ ହୋମ ରହିଛି। ଏଠାରେ ରହି ପର୍ଯ୍ୟଟକମାନେ ପାଇଁ ଚିଲିକା, ବରକୂଳ, କାଳିଯାଈ ଓ ନଳବଣ ଦେଖିବାର ସୁଯୋଗ ରହିଛି।

ସେହିପରି ନୀଳଗିରି ରାଜପ୍ରାସାଦର ହେରିଟେଜ ଷ୍ଟେ ହୋମରେ ୮ଟି କୋଠରୀକୁ ନବୀକରଣ କରାଯାଇ ପର୍ଯ୍ୟଟକମାନଙ୍କ ପାଇଁ ରଖାଯାଇଛି। ଏଠାରୁ ବାଲେଶ୍ୱର ଚାନ୍ଦିପୁର ସମୁଦ୍ରକୂଳ, ପଞ୍ଚଲିଙ୍ଗେଶ୍ୱର ପର୍ଯ୍ୟଟନସ୍ଥଳ ଦେଖିବାର ସୁଯୋଗ ରହିଛି। ଏହାଛଡା କଳାହାଣ୍ଡି ରାଜପ୍ରାସାଦରେ ମଧ୍ୟ ୨ଟି କୋଠରୀକୁ ହେରିଟେଜ ଷ୍ଟେ ହୋମ କରାଯାଇଛି। ଏଥି ସହିତ ଚୌଦ୍ୱାର ଡାଲିଯୋଡରେ ଥିବା ପୁରଲିଆ ପଂଚକୋଟ ରାଜପରିବାରର ଶିକାର ବାଡିର ଷ୍ଟେ ହୋମ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ।

୨୦ ବର୍ଷ ତଳେ ଢେଙ୍କାନାଳ ରାଜପ୍ରାସାଦକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାକୁ ରାଜା କାମାକ୍ଷାପ୍ରସାଦ ସିଂହଦେଓଙ୍କ ପୁଅ ଅମରଜ୍ୟୋତି ସିଂହଦେଓ ଉଦ୍ୟମ ଆରମ୍ଭ କରିଥିଲେ। ଏହାପରେ ଅନ୍ୟ ରାଜପରିବାରର ସଦସ୍ୟମାନେ ଏଥିରେ ଯୋଡି ହେଲେ। ଏବେ ହେରିଟେଜ ପ୍ୟାଲେସ୍ ହୋମ୍ ଷ୍ଟେ ଆସୋସିଏସନ, ଓଡିଶା ନାମରେ ଗଠିତ ଏହି ସଂଘରେ ୮ରୁ ଅଧିକ ରାଜପରିବାରର ସଦସ୍ୟମାନେ ଯୋଡି ହୋଇଥିବା ବେଳେ ଆଗକୁ ଅଧିକ ରାଜପ୍ରାସାଦକୁ ଏହି ଧାରାକୁ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ଢେଙ୍କାନାଳ ରାଜପରିବାରର ସଦସ୍ୟ ଅମରଜ୍ୟୋତି ସିଂହଦେଓ କହିଛନ୍ତି।

ଭୁବନେଶ୍ୱରରେ ଅକ୍ଟୋବର ୧୪ରୁ ଆରମ୍ଭ ହୋଇଥିବା ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ ୨୦ ତାରିଖରେ ଶେଷ ହୋଇଛି। ଏଥିରେ ୨୫ଟି ଦେଶର ୫୨ ବିଦେଶୀ ଟୁର୍‌ ଅପରେଟର ସାମିଲ ହୋଇଥିଲେ। ସେମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରି ନୂଆ ଅନୁଭୂତି ନେଇ ଫେରିଛନ୍ତି।

ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ତିନି ବର୍ଷ ହେଲା ଓଡ଼ିଶା ଟ୍ରାଭେଲ ଆୟୋଜନ କରାଯାଉଛି। ଓଡ଼ିଶାକୁ କିପରି ଅଧିକ ବିଦେଶୀ ପର୍ଯ୍ୟଟକ ଆସିବେ ସେ ଉପରେ ଫୋକସ୍‌ ଦିଆଯାଉଛି।

Comment