ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଅକ୍ଟୋବର ୫ରୁ ୭  ତାରିଖ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଓଡ଼ିଶା ଟ୍ରାଭେଲ ବଜାର – ୨୦୧୮।

ଓଡ଼ିଶା ଟୁରିଜିମ୍‍ ଓ ‘ଫିକି’ ସହଯୋଗିତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ଓଡ଼ିଶା ଟ୍ରାଭେଲ ବଜାର – ୨୦୧୮। ଚଳିତ ମାସ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଗା ଇଭେଣ୍ଟ। ଓଡ଼ିଶାର ପର୍ଯ୍ୟଟନକୁ ଆଗକୁ ନେବା ପାଇଁ  ଏବଂ ବ୍ରାଣ୍ଡ ଓଡ଼ିଶାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ  ‘ଟ୍ରାଭେଲ ବଜାର ୨୦୧୮’ରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ।

ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୬୦ ବିଦେଶୀ ଟୁର୍ ଓ ଟ୍ରାଭେଲ ଅପରେଟର ଏବଂ ଭାରତର ପ୍ରମୁଖ ୧୦ଟି ଟୁର୍ ଅପରେଟର ଯୋଗଦେବେ। ଏହାସହ ହୋଟେଲିୟର, ଏୟାରଲାଇନ୍ସ, ମିଡିଆ ଏବଂ ପର୍ଯ୍ୟଟନ ଶିଳ୍ପ ସହ ସମ୍ପୃକ୍ତ ଅନ୍ୟ ପ୍ରମୁଖ ଅଂଶୀଦାରମାନେ ସାମିଲ ହେବେ।

ଟୁର୍‌ ଅପରେଟର ଏବଂ ହୋଟେଲ ପରିଚାଳକମାନଙ୍କୁ ବ୍ରାଣ୍ଡ ଓଡ଼ିଶା ସମ୍ପର୍କରେ ଅବଗତ କରାଯିବ। ଓଡ଼ିଶାକୁ କିପରି ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିବେ ତା’ ଉପରେ ଏହି କାର୍ଯ୍ୟକ୍ରମରେ ଅଧିକ ଫୋକସ୍ କରାଯିବ। ଓଡ଼ିଶାରେ ପର୍ଯ୍ୟଟକମାନଙ୍କ ପାଇଁ କ’ଣ ସବୁ ସୁବିଧା ରହିଛି ତାହା ଏଥିରେ ପ୍ରଦର୍ଶିତ କରାଯିବ।

ଓଡ଼ିଶା ଟ୍ରାଭେଲ ବଜାର ହେଉଛି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଏକ ଇଭେଣ୍ଟ। ୨୦୧୭ରୁ ଏହି ଇଭେଣ୍ଟ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା। ପ୍ରଥମ ବର୍ଷର ସଫଳତା ପରେ ଦ୍ୱିତୀୟ ବର୍ଷ ପାଇଁ ଏହି ଇଭେଣ୍ଟ ଅକ୍ଟୋବର ୫ରୁ ଅନୁଷ୍ଠିତ ହେବକୁ ଯାଉଛି।

ଭାରତ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରାଯାଉଛି। ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ ହେବା ଦ୍ୱାରା ଆମ ପର୍ଯ୍ୟଟନ ଆହୁରି ସମୃଦ୍ଧ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ହୋଇ ପାରିବ। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ଆକର୍ଷଣ ସମ୍ପର୍କରେ ଦେଶ ବିଦେଶର ଲୋକେ ଜାଣିବାର ସୁଯୋଗ ପାଇବେ। ତେଣୁ ଓଡ଼ିଶା ପର୍ଯ୍ୟଟନର ଦ୍ରୁତ ବିକାଶକୁ ଦୃଷ୍ଟିରେ ରଖି ଏହି ମେଗା ଇଭେଣ୍ଟ ଆୟୋଜନ କରାଯାଉଛି।

୨୦୧୭ରେ ଅକ୍ଟେବର ୧୫ରୁ ୧୭ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଟ୍ରାଭେଲ ବଜାର। ଏଥିରେ ଦେଶ ବିଦେଶର ବହୁ ଟୁର୍‌ ଏବଂ ଟ୍ରାଭେଲ ଅପରେଟର ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

Comment