ଓଡ଼ିଶାଲାଇଭ୍ ବ୍ୟୁରୋ

ବିସିସିଆଇ ସଭାପତି ଭାବେ ନିଯୁକ୍ତ ହେବାପରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର କଥାକୁ ନେଇ ମୁହଁ ଖୋଲିଛନ୍ତି ସୌରଭ ଗାଙ୍ଗୁଲି। ବୁଧବାର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗାଙ୍ଗୁଲି ସାମ୍ବାଦିକ ସମ୍ମିଳନୀରେ ଧୋନିଙ୍କୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି।
ସୌରଭ କହିଛନ୍ତି, “ମହେନ୍ଦ୍ର ସିଂହ ଧୋନି ଜଣେ ଚାମ୍ପିୟନ ଖେଳାଳି। ଭାରତୀୟ କ୍ରିକେଟ ପାଇଁ ସେ ଅନେକ କୀର୍ତ୍ତିମାନ ହାସଲ କରିଛନ୍ତି। ତେଣୁ ତାଙ୍କର ଅବସରନେବା କଥା କେବଳ ସେ ହିଁ ସ୍ଥିର କରିବେ।”

ଗତ ତିନିମାସରୁ ଅଧିକ ସମୟ ଧରି ଧୋନି ଜାତୀୟ ଦଳଠାରୁ ଦୂରେଇ ରହିଛନ୍ତି। ବିଶ୍ୱକପ ପରେ ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଧୋନିଙ୍କ ଦଳରେ ଦେଖିବାକୁ ମିଳିନଥିଲା। ଯାହାକୁ ନେଇ କ୍ରିକେଟରୁ ଧୋନିଙ୍କ ଅବସର ନେବା ଚର୍ଚ୍ଚା ବିଷୟ ପାଲଟିଥିଲା।
ଗାଙ୍ଗୁଲି ଆହୁରି ମଧ୍ୟ କହିଛନ୍ତି ଯେ, ସେ ଥିବା ପର୍ଯ୍ୟନ୍ତ ସମସ୍ତ ଖେଳାଳିଙ୍କୁ ଉପଯୁକ୍ତ ସମ୍ମାନ ମିଳିବ। ଏହି କମ୍ ସମୟର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ କାମ କରିବାକୁ ଯୋଜନା ରଖିଥିବା କହିଛନ୍ତି।
ସୌରଭ ଗାଙ୍ଗୁଲି ବୁଧବାର ବିସିସିଆଇର ୩୯ ତମ ସଭାପତି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଗାମୀ ୧୦ ମାସ ପର୍ଯ୍ୟନ୍ତ ସେ ବିସିସିଆଇର ସଭାପତି ଭାବେ କାର୍ଯ୍ୟ କରିବେ।


















