ଓଡ଼ିଶାଲାଇଭ୍ ବ୍ୟୁରୋ

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତିନି ଦିନ ତଳେ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ପୂର୍ବ ବିଧାୟକ ଯେଉଁମାନେ ଏବେ ବି ଘର ରଖିଛନ୍ତି ତାହା ଛାଡ଼ିଦେବା ଦରକାର। ଏଥିପାଇଁ ବୁଧବାର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ତିନି ଦିନ ପରେ ସ୍ଥିତି କଣ? ଶୁଣିବାକୁ ମିଳୁଛି ଯେମିତି କି ସେମିତି। ଏପର୍ଯ୍ୟନ୍ତ କୌଣସି ପୂର୍ବ ବିଧାୟକ ଘର ଛାଡ଼ିଥିବା ଖବର ମିଳିନାହିଁ।

ପ୍ରାୟ ୧୨ ଜଣ ପୂର୍ବ ବିଧାୟକ ଓ ମନ୍ତ୍ରୀ ଏ ପର୍ଯ୍ୟନ୍ତ ସରକାରୀ ଘର ନିଜ ଅକ୍ତିଆରରେ ରଖିଛନ୍ତି। ଯଦି ତୁରନ୍ତ ଘର ଖାଲି ନକରନ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ବାଚସ୍ପତି କହିଥିଲେ।

ଯେଉଁ ସବୁ ବିଧାୟକ ଏବେ ଘର ରଖିଛନ୍ତି ଓ ଯେଉଁ ନୂଆ ବିଧାୟକମାନଙ୍କୁ ଘର ମିଳିଛି ସେହି ସବୁ ଘର ଭାଙ୍ଗି ସେଠି ବହୁତଳ ବିଶିଷ୍ଟ ଘର ତିଆରି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ୟୁନିଟ ୬ରେ ଥିବା ୪୨ଟି ଏକକ ବିଧାୟକ କ୍ୱାର୍ଟରସକୁ ଭାଙ୍ଗି ସେହି ସ୍ଥାନରେ ନୂଆ କୋଠା ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Comment