ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନିଜକୁ ଜିଲ୍ଲା ଶିକ୍ଷା ଅଧିକାରୀ ପରିଚୟ ଦେଇ ଜଣେ ଶିକ୍ଷୟିତ୍ରୀଙ୍କଠାରୁ ଟଙ୍କା ମାଗିବା ଗିରଫ ହୋଇଛନ୍ତି ଜଣେ ବ୍ୟକ୍ତି। ସେ ହେଲେ ଭିମ ଗାଣ୍ଟା। ତାଙ୍କ ଘର ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅର୍ନ୍ତଗତ ଖେଦାପଡା ଗ୍ରାମରେ।

ବ୍ୟକ୍ତି ଜଣକ ଗତ ୨୨ ତାରିଖରେ ବିଷମକଟକ ବ୍ଳକ୍‍ ସାନସାର୍ଥେଲୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ନିଜକୁ ଶିକ୍ଷା ବିଭାଗର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସ୍କୁଲରେ ବିଭିନ୍ନ ଅନିୟମିତତା ହୋଇଛି ବୋଲି କହିଥିଲେ। ଏହାସହ ରିପୋର୍ଟ ନ କରିବା ପାଇଁ ଜଣେ ଶିକ୍ଷୟିତ୍ରୀଙ୍କୁ ୬ ହଜାର ଟଙ୍କା ଦାବି କରିଥିଲେ।

ହେଲେ ଶିକ୍ଷୟିତ୍ରୀ ଜଣକ ବ୍ୟକ୍ତିଙ୍କୁ କାଲି ଆସି ଟଙ୍କା ନେବା ପାଇଁ କହିଥିଲେ। ପରେ ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ବ୍ୟକ୍ତି ଜଣକ ଜିଲ୍ଲା ଶିକ୍ଷାଧିକାରୀ ନୁହଁନ୍ତି। ଏନେଇ ଶିକ୍ଷୟିତ୍ରୀ ଘଟଣା ସମ୍ପର୍କରେ ବିଷମକଟକ ଥାନାରେ ସୂଚନା ଦେଇଥିଲେ। ଖବର ପାଇ ବିଷମକଟକ ପୋଲିସ ବ୍ୟକ୍ତିକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ଜାଲ୍‍ ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ଜାଣିବାକୁ ପାଇଥିଲେ।

ଏ ଘଟଣାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦଣ୍ଡାସୀ ପିରିବାକା ବିଷମକଟକ ଥାନରେ ଏକ ଲିଖିତ ଏତଲା ଦେଇଥିଲେ। ବର୍ତ୍ତମାନ ପୋଲିସ ଭୀମକୁ ଗିରଫ କରିଛି। ଅଭିଯୁକ୍ତ ଭୀମକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ବିଷମକଟକ ଏସ୍‍ଡିପିଓ ଚନ୍ଦ୍ରଶେଖର ହୋତା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Comment