ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋଦ୍‌ ଅଭିଯୋଗକାରୀ ହିଁ ଅଭିଯୁକ୍ତ। ନିଜେ ଖୋଳିଥିବା ଗାତରେ ନିଜେ ପଡ଼ିଲା ଅଭିଯୁକ୍ତ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲାରେ। ଜଣେ ବ୍ୟକ୍ତି ୧୮ ଲକ୍ଷ ଟଙ୍କା ଲୁଟ୍‌ କରିବା ନେଇ ଖୁଣ୍ଟୁଣି ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାର ପଚରାଉଚରା କରିବା ପରେ ଖୋଦ୍‌ ଅଭିଯୋଗକାରୀ ହିଁ ଅଭିଯୁକ୍ତ ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ଜଣକ ହେଲେ ସନ୍ତୋଷ କୁମାର ରାଜ। ସନ୍ତୋଷ ଏକ ଗୁଟୁଖା କମ୍ପାନିରେ ମାର୍କେଟିଂ ମ୍ୟାନେଜର ଭାବେ କାମ କରୁଥିଲେ।

ମଙ୍ଗଳବାର ଖୁଣ୍ଟୁଣି ଥାନାରେ ସନ୍ତୋଷ ଅଭିଯୋଗ କରିଥିଲେ ଯେ, ସେ ବିଭିନ୍ନ ଡିଲରମାନଙ୍କଠାରୁ ଟଙ୍କା କଲେକ୍ସନ କରି ଘରେ ରଖିଥିଲେ ଏବଂ ପରେ ସେ ଏହି ଟଙ୍କାକୁ ନେଇ ଭୁବନେଶ୍ୱରସ୍ଥିତ କମ୍ପାନିକୁ ପୈଠ କରିବାକୁ ଯାଉଥିଲେ। ଏହି ସମୟରେ ଏନ୍‌ଏଚ୍‌-୫୫ ନିକଟସ୍ଥ ରାଧାକିଶୋରପୁର ନିକଟରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ମାଡ଼ ମାରିବା ସହ ୧୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳ ପହଞ୍ଚି ଖୋଳତାଡ଼ କରିଥିଲା କିନ୍ତୁ ସେଠାରେ କୌଣସି ସୁରାକ ମିଳି ନଥିଲା ପୋଲିସକୁ। ଫଳରେ ପୋଲିସର ସନ୍ତୋଷ ଉପରେ ସନ୍ଦେହ ବଢ଼ିଥିଲା। ଜେରା ବେଳେ ସନ୍ତୋଷଙ୍କ କଥାର କୌଣସି ତାଳମେଳ ରହି ନଥିଲା ଫଳରେ ସନ୍ତୋଷ ହିଁ ଟଙ୍କା ରଖିଥିବା ନେଇ ପୋଲିସର ସନ୍ଦେହ ଦୃଢ଼ ହୋଇଥିଲା। ପୋଲିସ ସନ୍ତୋଷଙ୍କ ଘର ଉପରେ ଚଢ଼ାଉ କରି ୧୫ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଥିଲା। ଯାହାକି ସନ୍ତୋଷଙ୍କ ବେଡ୍‌ ତଳୁ ମିଳିଥିବା ଜଣାପଡ଼ିଛି। ବାକି ୨ ଲକ୍ଷ ୬୬ ହଜାର ଟଙ୍କା ସନ୍ତୋଷ ତା’ର ସାଙ୍ଗକୁ ଦେଇଥିଲା। ତାହାକୁ ମଧ୍ୟ ପୋଲିସ ଜବତ କରିଛି।

ପୋଲିସ ସନ୍ତୋଷଙ୍କୁ ୪୦୯, ୪୨୦ ଓ ୨୦୩ ଆଇପିସି ଧାରାରେ ଗିରଫ କରିଛି।

ସନ୍ତୋଷ ଟଙ୍କା ନିଜେ ହଡ଼ପ କରିବା ସହ କମ୍ପାନିକୁ ବାଟବଣା କରିବା ପାଇଁ ଏଭଳି କରିଥିବା କଟକ ଜିଲ୍ଲା ଏସ୍‌ପି ଆର ବି ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Comment