ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମାହାଙ୍ଗାର ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣା
  • ମୁଖ୍ୟ ହତ୍ୟାକାରୀଙ୍କ ସମେତ ୪ ଅଭିଯୁକ୍ତ ଗିରଫ
  • ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏଟ୍ କଲା ପୋଲିସ
  • ନଦୀବନ୍ଧ ପାଶ୍ୱର୍ରୁ ମିଳିଲା ରକ୍ତଭିଜା ଖଣ୍ଡା

ମାହାଙ୍ଗାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି କଟକ ଗ୍ରାମାଞ୍ଚଳ ପୋଲିସ। ଘଟଣାରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଯଁକୋଟିର କୈଳାସ ଚନ୍ଦ୍ର ଖଟୁଆ, ଅରବିନ୍ଦ ଖଟୁଆ(୨୭), ନୃତ୍ତାଙ୍ଗର ନୃସିଂହ ଚରଣ ଜେନା, କ୍ଷୀତିଶ୍ ଆଚାର୍ଯ୍ୟ (୪୫), ଲଳିତ ମୋହନ ବରାଳ(୭୫)। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନଙ୍କ ସାଥିରେ ଯଁକୋଟି ଗ୍ରାମକୁ ଯାଇ ସେଠାରେ ‘ସିନ୍ ରିକ୍ରିଏସନ୍‌’ କରିଛି । କୁଳମଣି ଓ ଦିବ୍ୟସିଂହଙ୍କୁ କେମିତି ହତ୍ୟା କରିଲେ, ହତ୍ୟା କରବା ପରେ ବ୍ୟବହୃତ ଅସ୍ତ୍ରକୁ କେଉଁଠି ରଖିଥିଲେ? ସେ ସବୁ ଘଟଣାକୁ ବିସ୍ତୃତ ଭାବେ ପୋଲିସକୁ କହିଛନ୍ତି ଅଭିଯୁକ୍ତ।

ପୋଲିସର ସୂଚନା ମୁତାବକ, କୁଳମଣି ବରାଳଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲା ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ। ଏଥିପାଇଁ ସେ କିଛି ଲୋକଙ୍କ ସହଯୋଗ ମଧ୍ୟ ନେଇଥିଲା। କୁଳମଣିଙ୍କ ଗତିବିଧି ଉପରେ ପଞ୍ଚାନନ ନଜର ରଖିଥିଲା । ଗତ ୨ତାରିଖ ଦିନ ଦିବ୍ୟସିଂହଙ୍କ ସହ ଯଁକୋଟିରୁ ନିଜ ଘର ନୃତ୍ତାଙ୍ଗକୁ ବାଇକ୍‌ରେ ଫେରୁଥିବା ବେଳେ ପଞ୍ଚାନନ ନିଜ ସହଯୋଗୀଙ୍କ ସହ ମିଶି ଉଭୟଙ୍କ ଉପରକୁ ଆକ୍ରମଣ କରିଥିଲେ। ପ୍ରଥମେ ଠେଙ୍ଗାରେ ବାଡ଼େଇ ଦେବା ଯୋଗୁଁ କୁଳମଣି ଓ ଦିବ୍ୟସିଂହ ଗାଡ଼ି ସହ ତଳେ ପଡ଼ିଯାଇଥିଲେ। ପରେ ଧାରୁଆ ଖଣ୍ଡାରେ ଉଭୟଙ୍କ ଉପରକୁ ଆଖିବୁଜା ଆକ୍ରମଣ କରିବା ପରେ ଆକ୍ରମଣକାରୀ ଦୁଇଜଣ ସେଠାରୁ ଫେରାର୍ ହୋଇଯାଇଥିଲେ।

ତେବେ ସୋମବାର ରାତିରେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନକୁ ଧର୍ମଶାଳାରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଅମାନଙ୍କୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଧରା ଯାଇଥିବା ଏସ୍‌ପି ବି ଯୁଗୁଳ କିଶୋର ସୂଚନା ଦେଇଛନ୍ତି।

ଅନ୍ୟପଟେ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଖଣ୍ଡା ଓ ଠେଙ୍ଗାକୁ ନୂଆ ପୋଲ ନିକଟସ୍ଥ ସୁକୁନଈ ବନ୍ଧ ପାଶ୍ୱର୍ରୁ ଜବତ କରାଯାଇଛି । ମାହାଙ୍ଗା ଥାନା କେସ୍ ନଂ ୫/୨୧ ରେ ମାମଲା ରୁଜୁ କରାଯିବା ସହ ଭାରତୀୟ ପିଙ୍ଗଳକୋର୍ଟ ଫା ନଂ – ୧୪୭, ୧୪୮,୧୪୯ (ହିଂସାକାଣ୍ଡ ଭିଆଇବା, ଗଣ୍ଡଗୋଳ କରିବା ଓ ଅପରାଧ ଘଟାଇବା) , ୧୨୦-ବି(ସଂଘବଦ୍ଧ ଷଡଯନ୍ତ୍ର), ୩୦୨(ହତ୍ୟା) ସମେତ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ବ୍ୟବହାର କରିବା ଆଇନର ୨୫ ଓ ୨୭ ଧାରାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

ଗତ ୨ତାରିଖ ଦିନ ମାହାଙ୍ଗା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା।

Comment