ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି ମୋବାଇଲ୍ ଫୋନ୍‌ର ବ୍ୟାଟେରି ୨୦ ପ୍ରତିଶତ ତଳକୁ ଯାଇ ନାହିଁ, ତେବେ ତାକୁ ଚାର୍ଜ କରନ୍ତୁ ନାହିଁ ବୋଲି କହିଛନ୍ତି ଜଣେ ବିଶିଷ୍ଟ ଗବେଷକ।

ସାଧାରଣତଃ ମୋବାଇଲ ବ୍ୟାଟେରି ୬୦ କିମ୍ବା ୭୦ ପ୍ରତିଶତ ଚାର୍ଜ ଥିଲେ ମଧ୍ୟ ତାକୁ ଚାର୍ଜ କରିବାର ଅଭ୍ୟାସ ଲୋକମାନଙ୍କଠାରେ ଥାଏ। କିନ୍ତୁ ଏହା ମୋବାଇଲ୍‌ର ଡିଭାଇସ୍ ଉପରେ ପ୍ରଭାବ ପଡ଼ିଥାଏ ଏବଂ ଏହାର ଜୀବନ କାଳ ଉପରେ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ଖଡଗପୁରର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସିଦ୍ଧାର୍ଥ ଦାସ ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନଭର୍ସିଟି) ପକ୍ଷରୁ ଆୟୋଜିତ ‘ଟ୍ରେଣ୍ଡ୍ସ୍ ଇନ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ  ଟେକ୍ନୋଲୋଜି”  ଶୀର୍ଷକ ଜାତୀୟ କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଫେସର ଦାସ କହିଛନ୍ତି ଯେ, ଯେତେବେଳେ ସେତେବେଳେ ମୋବାଇଲ୍ ରିଚାର୍ଜ କରିବା କିମ୍ବା ୨୦ ପ୍ରତିଶତ ଉପରକୁ ଚାର୍ଜ ଥିଲେ ଏହାକୁ ପୁଣି ଥରେ ଚାର୍ଜରେ ବସାଇବା ଦ୍ୱାରା ବ୍ୟାଟେରୀ ଖରାପ ହୋଇଯାଇଥାଏ ।

ମୋବାଇଲ୍ ଫୋନ୍‌ ବ୍ୟାଟେରୀ ମ୍ୟାନେଜ୍‌ମେଣ୍ଟ ସଫ୍ଟୱେୟାର ଦ୍ୱାରା ବ୍ୟାଟେରୀ ପରିଚାଳିତ ହୋଇଥାଏ। ସେହିପରି ମୋବାଇଲ୍‌କୁ ଚାର୍ଜରେ ବସାଇବା ସମୟରେ ଫୋନ୍‌ରେ କଥା ହେବା ବିପଜ୍ଜନକ। ମୋବାଇଲ୍ ଫୋନ୍ ବିସ୍ଫୋରଣରେ କିଛି କିଛି ଦୁର୍ଘଟଣା ଘଟୁଥିବା ସାମ୍ନାକୁ ଆସୁଥିବା ସେ କହିଛନ୍ତି। ତେବେ ଏସବୁ ଅପେକ୍ଷା ବଜ୍ରପାତ ଜନିତ ଘଟଣା ଅଧିକ ଘଟୁଥିବା ସେ କହିଛନ୍ତି।

ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଶେଷ ଶିକ୍ଷାବିତ୍ ତଥା ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ୟ କହିଥିଲେ, ‘‘ମୋବାଇଲ୍ ଫୋନ୍‌ରେ ୨୦ ପ୍ରକାରର ଖଣିଜ ଦ୍ରବ୍ୟ ବ୍ୟବହାର କରାଯାଇଥାଏ। ଏସବୁ ଖୁବ୍ କମ୍ ଉପଲବ୍ଧ ହୋଇଥାଏ। ଉଦାହରଣ ସ୍ୱରୂପ ମୋବାଇଲ ଫୋନ୍‌ରେ ଲିଥିୟମ୍ ଆୟନ୍ ବ୍ୟାଟେରୀ ବ୍ୟବହାର କରାଯାଇଥାଏ। ଲିଥିୟମ୍‌ର ବ୍ୟବହାର ଖୁବ୍ ଅଧିକ ହୋଇଥିବା ବେଳେ ଏହା ଖୁବ୍ କମ୍ ପରିମାଣର ଉପଲବ୍ଧ ହେଉଛି।’’

ମୋବାଇଲ୍ ଫୋନ୍ ରିଚାର୍ଜ କରିବା ପାଇଁ ପାୱାର ବ୍ୟାକଅପ୍ ସିଷ୍ଟମ୍‌ର ବ୍ୟବହାର ବହୁଳ ଭାବରେ କରାଯାଉଥିବା ବେଳେ ଏହା କିନ୍ତୁ ଏକ ବିପଜ୍ଜନକ ଡିଭାଇସ୍ ଏବଂ ୟୁରୋପୀୟ ଦେଶଗୁଡ଼ିକରେ ଏହାର ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଚିନ୍ତା କରାଯାଉଛି ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ।

Comment