ଓଡ଼ିଶାଲାଇଭ ବ୍ୟୁରୋ

ମା’ର ପରକିୟପ୍ରୀତି ନେଲା ପୁଅର ଜୀବନ। ପ୍ରେମରେ ୨ବର୍ଷର ପୁଅ ବାଧା ହେବାରୁ ପ୍ରେମିକ ସହ ମିଶି ପୁଅକୁ ପିଟିପିଟି ମାରିଲା ମା’।

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପ୍ରେମ ଆଗରେ ହାରିଗଲା ମା’ର ମମତା। ପ୍ରେମରେ ଅନ୍ଧ ହୋଇ ନିଜ ୨ ବର୍ଷର ପୁଅକୁ ପିଟିପିଟି ମାରିଲା ମା’। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ରାୟଗଡା ସହରରେ। ଘଟଣା ପରେ ଉଭୟ ମା’ ଓ ପ୍ରେମିକଙ୍କୁ ଗିରଫ କରିଛି ପୋଲିସ।

ଭୁବନେଶ୍ଵରରେ ବାସ କରୁଥିବା ସକିଲା ଦାସ ଓ ତାଙ୍କ ସ୍ଵାମୀ ବିଭିନ୍ନ ଜିଲ୍ଲାରେ ପାର୍ବଣ ବେଳେ ଷ୍ଟଲ ପକାଇ ବ୍ୟବସାୟ କରନ୍ତି। ତେବେ ରାୟଗଡ଼ା ଗଜଲକ୍ଷ୍ମୀ ପୂଜାରେ ସକିଲା ଦାସ ଷ୍ଟଲ ପକାଇବାକୁ ଆସିଥିବା ବେଳେ ସେଠାରେ ଉମାଶଙ୍କର ସିନେମା ହଲ ନିକଟରେ ରହୁଥିବା ପାର୍ଥସାରଥୀ ଧଳଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ତେବେ ଏହି ପ୍ରେମ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ସ୍ଥିର କରିଥିଲେ ଉଭୟ ପ୍ରେମୀ ଯୁଗଳ। ସବୁଦିନ ପାଇଁ ଏକାଠି ହେବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ଯୋଜନାରେ କଣ୍ଟା ସାଜିଲା ସକିଲାଙ୍କ ଦୁଇ ବର୍ଷର ପୁଅ।

ସବୁଦିନ ପାଇଁ ପ୍ରେମିକଙ୍କ ସାଥିରେ ରହିବା ପାଇଁ ଯୋଜନା କରି ଗତ ଅକ୍ଟୋବର ୨୪ତାରିଖ ଦିନ ସ୍ୱାମୀ ଅଶୋକକୁ ମିଛ କହି ରାୟଗଡ଼ାରେ ଆସି ପହଞ୍ଚିଥିଲେ ସକିଲା ଏବଂ ତାଙ୍କ ପୁଅ। ପ୍ରେମିକା ସାଥିରେ ପୁଅ ଆସିଥିବା ଦେଖି ପାର୍ଥସାରଥି ଉତ୍ତ୍ୟକ୍ତ ହୋଇ ସକିଲାଙ୍କ ସହ ବଚସା କରିଥିଲେ।

ଏହାକୁ ଦେଖି ଶିଶୁ କାନ୍ଦିବାରୁ ପାର୍ଥସାରଥୀ ଶିଶୁଟିକୁ ମାରିବାକୁ ଲାଗିଲେ। ପରେ ସକିଲା ମଧ୍ୟ ପ୍ରେମିକର କଥାରେ ପଡ଼ି ନିଜ ୨ବର୍ଷର ପୁଅକୁ ମର୍ମନ୍ତୁଦ ପାହାର ପକାଇଥିଲେ। ଫଳରେ ଶିଶୁଟି ଘଟଣାସ୍ଥଳରେ ଅଚେତ ହୋଇପଡ଼ିଥିଲା। ଏହା ଦେଖି ଉଭୟ ଶିଶୁଟିକୁ ସ୍ଥାନୀୟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ।

ପୁଅର ମୃତ୍ୟୁ ଖବର ପାଇ ସକିଲାଙ୍କ ସ୍ୱାମୀ ଅଶୋକ ରାୟଗଡ଼ା ଚିକିତ୍ସାଳୟରେ ପହଞ୍ଚିଥିଲେ। ଶିଶୁର ମୃତଦେହରେ କ୍ଷତ ହୋଇଥିବା ଦେଖି ସନ୍ଦେହ ଉପୁଜିବାରୁ ଆଶୋକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାରେ ପୋଲିସ ସକିଲାଙ୍କୁ ଅଟକ ରଖି ପଚରାଉଚରା କରିବାରୁ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ଉଭୟ ପାର୍ଥସାରଥି ଧଳ ଓ ପ୍ରେମିକା ସକିଲା ଦାସଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରାୟଗଡ଼ା ଏସପି ଡକ୍ଟର ଶର୍ବଣା ବିବେକ୍.ଏମ୍ ସୂଚନା ଦେଇଛନ୍ତି।

Comment