ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନ ଶିକ୍ଷକଙ୍କ ମାଡ଼ରେ ଗୁରୁତର ହେଲେ ଛାତ୍ର। ଏଭଳି ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟରେ। ମାଡ଼ ମାରିଥିବା ଶିକ୍ଷକ ଜଣକ ହେଉଛନ୍ତି ସେହି ସ୍କୁଲର ପ୍ରଧାନ ଶିକ୍ଷକ ନିର୍ମଳ ନାୟକ। ଗୁରୁତର ଆହତ ହୋଇଥିବା ଛାତ୍ର ହେଲେ ଶିବ ଧୁରୁଆ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗୁରୁବାର ବିଦ୍ୟାଳୟ ଛୁଟି ପରେ ଦୁଇ ଜଣ ଛାତ୍ର ଦୁଷ୍ଟାମୀ କରୁଥିଲେ। ସେହି ସମୟରେ ପ୍ରଧାନ ଶିକ୍ଷକ ଆସି ଶିବଙ୍କୁ ମାଡ ମାରିଥିଲେ। କିଛି ସମୟ ପରେ ଶିବ କାନ୍ଦିକାନ୍ଦି ଘରକୁ ଆସି ଶିକ୍ଷକ ମାଡ ମାରିଥିବା କଥା କହି ବାନ୍ତି କରିବା ଆରମ୍ଭ କରିଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ବାନ୍ତି ବନ୍ଦ ନହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ।

ଘଟଣା ବିଷୟରେ ଖବର ପାଇ ଚାଇଲ୍ଡ ଲାଇନ ଏବଂ ଶିଶୁ ମଙ୍ଗଳ ବିଭାଗ ଅଧ୍ୟକ୍ଷା ଅନନ୍ଦିନୀ ପାଢୀ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିଛନ୍ତି। ଏହାସହ ଘଟଣାର ତଦନ୍ତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comment