ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଟେଲିକମ୍ କମ୍ପାନି ଭାରତୀ ଏୟାରଟେଲ ଏକ ବଡ଼ ଘୋଷଣା କରିଛି। ଏଣିକି ଏୟାରଟେଲ ପ୍ରିପେଡ ପ୍ଲାନ୍ରେ ଲାଇଫ୍ ଇନ୍ସୁରାନ୍ସ ଦିଆଯିବ। ଏଥିପାଇଁ ଇନ୍ସୁରାନ୍ସ କମ୍ପାନି ଭାରତୀ ଏକ୍ସା(Bharti AXA) ସହ ହାତ ମିଳାଇଛି ଭାରତୀ ଏୟାରଟେଲ।
ଏୟାରଟେଲର ନୂଆ ୫୯୯ ଟଙ୍କା ପ୍ରିପେଡ୍ ପ୍ଲାନ ରିଚାର୍ଜ କଲେ ଆପଣଙ୍କୁ ପ୍ରତିଦିନ ୨ ଜିବି ଡାଟା ସହିତ ୧୦୦ ଏସ୍ଏମ୍ଏସ୍ ଦିଆଯିବ। ଏହି ପ୍ଲାନ୍ରେ ଲୋକାଲ ଏବଂ ଏସ୍ଡିଡି କଲ୍ ମଧ୍ୟ ମାଗଣା ରହିଛି। ୮୪ ଦିନ ପାଇଁ ଏହି ପ୍ଲାନ୍ର ବୈଧତା।

ତେବେ ଏହି ୫୯୯ ଟଙ୍କା ପ୍ରିପେଡ୍ ପ୍ଲାନ ରିଚାର୍ଜ କଲେ ଆପଣଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ଦିଆଯିବ। କମ୍ପାନ ପକ୍ଷରୁ ସୋମବାର ଏନେଇ ଘୋଷଣା କରାଯାଇଛି। ଏହି ବୀମା ଭାରତୀ ଏକ୍ସା ଲାଇଫ୍ ଇନ୍ସୁରାନ୍ସ କମ୍ପାନି ପକ୍ଷରୁ ଗ୍ରାହକଙ୍କୁ ଦିଆଯିବ।

ଏନେଇ ଏୟାରଟେଲ କହିଛି,”IRDAI ମୂତାବିକ, ବର୍ତ୍ତମାନ ସୁଦ୍ଧା ଭାରତରେ ୪ ପ୍ରତିଶତରୁ କମ ଲୋକ ବୀମା କମ୍ପାନି ସହ ଯୋଡ଼ିହୋଇ ଅଛନ୍ତି। ହେଲେ ମୋବାଇଲ ଉପଭୋକ୍ତା ସାରା ଦେଶରେ ୯୦ ପ୍ରତିଶତ ଅଛନ୍ତି। ଅଧିକରୁ ଅଧିକ ଲୋକଙ୍କୁ ଜୀବନ ବୀମାରେ ଯୋଡ଼ିବା ପାଇଁ କମ୍ପାନି ପକ୍ଷରୁ ଏହି ବ୍ୟବସ୍ଥା ଅଣାଯାଇଛି।”
୧୮-୫୪ ବର୍ଷୀୟ ଏୟାରଟେଲ୍ ଗ୍ରାହକଙ୍କ ପାଇଁ ଏହି ଜୀବନ ବୀମା ମିଳିବ। ଏଥିପାଇଁ କୌଣସି କାଗଜପତ୍ର କାର୍ଯ୍ୟ କିମ୍ବା ମେଡିକାଲ ଯାଞ୍ଚ କରିବାକୁ ପଡ଼ିବ ନାହିଁ।


















