ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨ଟି ଓଡ୍ରାଫ, ୧ଟି ଏନଡିଆରଏଫ୍ ଟିମ୍‌ ଓ ୩ଟି ଅଗ୍ନିଶମ ବାହିନୀ ମୁତୟନ
  • ୨ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ପ୍ରତି ବ୍ଲକରେ ରିଲିଫ୍ ସାମଗ୍ରୀ ମହଜୁଦ
  • ଜିଲ୍ଲାରେ ୯୦ଟି ବାତ୍ୟା ଆଶ୍ରୟସ୍ଥଳ ଖୋଲା

ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ସଜାଗ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ବତ୍ୟାର ପ୍ରଭାବ ଓଡ଼ିଶାରେ ପଡୁନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏନେଇ ପୂର୍ବ ପ୍ରତ୍ସୁତି କରିଛି। ଜିଲ୍ଲାରେ ୨ଟି ଓଡ୍ରାଫ ଟିମ୍‌, ୧ଟି ଏନଡିଆରଏଫ୍ ଟିମ୍‌ ଓ ୩ଟି ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି। ଏହାସହ ୨ଦିନ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

କେନ୍ଦ୍ରାପଡ଼ା ପାରାଦୀପ ନିକଟ ଓ ସମୁଦ୍ର ଉପକୂଳ ଜିଲ୍ଲା ହୋଇଥିବାରୁ ୧୯୯୯ ମହାବାତ୍ୟାର କରାଳ ଛାୟା ଜିଲ୍ଲା ବାସୀଙ୍କୁ ମନରୁ ଏଯାଏଁ ଲିଭିନି। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବୁଲ୍‌ବୁଲ୍‌ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ବୁଲ୍‌ବୁଲ୍ ପ୍ରଭାବରେ ଆଜି ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଏପର୍ଯ୍ୟନ୍ତ ପବନର ଗତି ସେତେ ଅନୁଭୂତ ହୋଇନାହିଁ। ତେବେ ଆଜି ରାତିରୁ ଅଧିକ ପବନ ଓ ମେଘ ହେବାର ସମ୍ଭାବନା ରହିଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମ୍ବିତ ଶତପଥୀ ସୂଚନା ଦେଇଛନ୍ତି।

ବିପର୍ଯ୍ୟୟ ସମୟରେ ଜିଲ୍ଲାରେ ଥିବା ୯୦ଟି ବାତ୍ୟା ଆଶ୍ରୟ ସ୍ଥଳ ଓ ସମସ୍ତ ବିଦ୍ୟାଳୟର କୋଠା ଘରକୁ ବିପନ୍ନମାନଙ୍କ ପାଇଁ ପ୍ରସ୍ତୁତ ରଖାଯାଇଛି। ପ୍ରତି ବ୍ଲକରେ ଶୁଖିଲା ଖାଦ୍ୟ, ମହମବତୀ ଓ କିରୋସିନ ମହଜୁଦ ରହିଛି। ଅଧିକ ପବନ ଓ ବର୍ଷାର ବେଗ ଵଢିଲେ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯିବ।

ସମ୍ଭାବ୍ୟ ବିପର୍ଯ୍ୟର ଆଶଙ୍କା କରି କେନ୍ଦ୍ରାପଡ଼ା ଜିଲ୍ଲାକୁ ୩ଟି ଅଗ୍ନିଶମ ଦଳ, ଦୁଇଟି ଓଡ୍ରାଫ ଦଳ ଓ ଗୋଟିଏ ଏନଡିଆରଏଫ୍ ଦଳ ପଠାଯାଇଛି। ଆଜି ସଂଧ୍ୟା ସୁଦ୍ଧା ଏହି ଦଳ ଜିଲ୍ଲାରେ ପହଞ୍ଚିବାର ଯୋଜନା ରହିଛି। କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାର ସମସ୍ତ ସ୍କୁଲଗୁଡିକୁ ଦୁଇଦିନ ୮ ଓ ୯ ତାରିଖ ପାଇଁ ଛୁଟି ଘୋଷଣା କରିଛନ୍ତି। ଏହାସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୨ଦିନ ବାତିଲ କରାଯାଇଛି ।

Comment