ଓଡ଼ିଶାଲାଇଭ୍ ବ୍ୟୁରୋ

ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ି ଚାଲିଛି ‘ୟୁନିକ୍ ପାଠଶାଳା-ଇଚ ଓ୍ଵାନ୍ ଟିଚ୍ ଓ୍ଵାନ୍’। ଗରିବ ଓ ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦେବା ପାଇଁ ଚଣ୍ଡୀପ୍ରସାଦ ଫାଉଣ୍ଡେସନ୍‌ ପକ୍ଷରୁ ଏହି ଉଦ୍ୟମ ଆରମ୍ଭ ହୋଇଛି।

ସୋମବାର ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପାତ୍ରପଡ଼ା ଭଗବାନପୁର ଗ୍ରାମରେ ଆରମ୍ଭ ହୋଇଯାଇଛି ପାଠଶାଳା କାର୍ଯ୍ୟକ୍ରମ। ସ୍ଥାନୀୟ ଅଙ୍ଗନବାଡ଼ି ପରିସରରେ ସକାଳୁ ସକାଳୁ ଗ୍ରାମର ୬୨ଜଣ ଛୋଟ ଛୋଟ ପିଲା ପାଠଶାଳାରେ ସାମିଲ ହୋଇଥିଲେ। ପାଠଶାଳାର ପ୍ରଥମ ଦିନରେ ନାଚ, ଗୀତ ଓ ଖେଳ ଉପରେ ବେଶି ଗୁରୁତ୍ୱ ଦିଆଯାଇଥିଲା।

ଟ୍ରଷ୍ଟର ଉପସଭାପତି ରୋଜା ଘୋଷ ଓ ପ୍ରଶିକ୍ଷିକ କଳ୍ପନା ବିଶୋଇ ପିଲାମାନଙ୍କୁ ଗୀତ ଓ ଗପ ମାଧ୍ୟମରେ ପାଠ ପଢ଼ାଇଥିଲେ। ସୁସ୍ଥ ନିରୋଗ ଜୀବନ ପାଇଁ ଯୋଗ ପ୍ରଶିକ୍ଷିକ ଆଶୁତୋଷ ମହାପାତ୍ର ପିଲାମାନଙ୍କୁ ଯୋଗ ଶିକ୍ଷା ମଧ୍ୟ ଦେଇଥିଲେ।

ଟ୍ରଷ୍ଟର ସଭାପତି ଅମୀୟ ବାଳା ପରିଡ଼ା କହିଛନ୍ତି,‘‘ଆଗାମୀ ଦିନରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ।’’

ଜଣେ ଜଣକୁ ମାଗଣାରେ ଶିକ୍ଷା ପ୍ରଦାନ କରିବା ପାଇଁ ଏହି ପାଠଶାଳାରେ ସାମିଲ ହୋଇଛନ୍ତି ରମାଦେବୀ, ବିଜେବି, ଏକାମ୍ର ତଥା କିଟ୍‌ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ।

“ସପ୍ତାହରେ ଗୋଟିଏ ଦିନ ମାଗଣାରେ ଶିକ୍ଷା ପ୍ରଦାନ କରିବା ସହିତ ଆସନ୍ତା ୧୨ ସପ୍ତାହ ମଧ୍ୟରେ ୧୦୦୦ ଛାତ୍ରଛାତ୍ରୀଙ୍କୁ ପାଠଶାଳାରେ ସାମିଲ କରାଯିବାର ଯୋଜନା ରଖାଯାଇଛି” ଏହା କହିଛନ୍ତି ଟ୍ରଷ୍ଟର ସମ୍ପାଦକ ସାଗର ସୁନ୍ଦର ଦାସ।

ଏହି ଅବସରରେ ପିଲାମାନଙ୍କୁ ଛବିଳ ମଧୁ ବର୍ଣ୍ଣ ବୋଧ ପୁସ୍ତକ ସହିତ ଅନ୍ୟାନ୍ୟ ପାଠ୍ୟ ଉପକରଣ, ଚକୋଲେଟ, ବିସ୍କୁଟ ଇତ୍ୟାଦି ବଣ୍ଟନ କରାଯାଇଥିଲା। ଟ୍ରଷ୍ଟର ଯୁବ ସଦସ୍ୟ ଦୀପକ ପାତ୍ର, ଦେବସ୍ମିତା, ଆଲୋକ, ସୁରଜ, ଶଶୀ, ଶୁଭମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ତୁଲାଇଥିଲେ।

Comment