ଓଡ଼ିଶାଲାଇଭ୍ ବ୍ୟୁରୋ

ସଡ଼କ ଦୁର୍ଘଟଣାରେ ପୁଅ ଗିରିଜାକୁ ହରାଇବା ପରେ ମା’ ଅମୀୟବାଳା ପରିଡ଼ା ଖୋଲିଛନ୍ତି ‘ଗିରିଜା ମେମୋରିଆଲ ରୋଡ୍‌ ସେଫ୍‌ଟି ଫାଉଣ୍ଡେସନ୍‌ ଟ୍ରଷ୍ଟ’। ଏହି ଟ୍ରଷ୍ଟ ଲୋକଙ୍କୁ ରାସ୍ତା ଦୁର୍ଘଟଣା କ୍ଷେତ୍ରରେ ସଚେତନ କରିବ।

ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କେହି ନା କେହି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ମୁଖ୍ୟତଃ ୧୫ରୁ ୩୫ ବର୍ଷର ଲୋକ ରାସ୍ତାରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଭଳି ଅଭାବନୀୟ ଘଟଣାକୁ ଏଡ଼ାଇବା ପାଇଁ ଏବଂ ଲୋକଙ୍କୁ ଗାଡ଼ି ଚଳାଚଳ ଜନିତ ସଚେତନ କରିବା ପାଇଁ ଲୋକାର୍ପିତ ହୋଉଛି ‘ଗିରିଜା ମେମୋରିଆଲ ରୋଡ୍‌ ସେଫ୍‌ଟି ଫାଉଣ୍ଡେସନ୍‌ ଟ୍ରଷ୍ଟ’। ଏକ ଘରୋଇ ହୋଟେଲରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଫାଉଣ୍ଡେସନ୍‌ ଲୋକାର୍ପିତ କରାଯାଇଛି।

ଗତ ମେ’ ୨୫ରେ ଭୁବନେଶ୍ୱର ନୟାପଲ୍ଲୀ ନିକଟରେ ଗୋଟିଏ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ତିନି ଜଣ ସାଙ୍ଗଙ୍କ ଭିତରୁ ଚନ୍ଦ୍ରାଂଶୁ ଶେଖର ପତିମିଶ୍ର ଏବଂ ଗିରିଜା ଶଙ୍କର ବାଗ୍‌ଙ୍କ ମୃତ୍ୟୁ ହୋଇଥିଲା। ଆଉ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଅମୀୟବାଳା ପରିଡ଼ା ନାମକ ଜଣେ ମହିଳା ତାଙ୍କ ଏକମାତ୍ର ପୁଅ ଗିରିଜାକୁ ହରାଇଥିଲ। ସନ୍ତାନର ବିୟୋଗରେ ସମଗ୍ର ପରିବାର ଭାଙ୍ଗି ପଡ଼ିଥିବା ବେଳେ ମା’ ଅମୀୟବାଳା ପୁଅର ସ୍ମୃତିକୁ ଜାବୁଡ଼ି ଧରି ଲୋକଙ୍କ ସେବାରେ ମନ ବଳାଇଛନ୍ତି।

ଗିରିଜା ପରି ଆଉ କୌଣସି ଯୁବପିଢ଼ି କୌଣସି ଦୁର୍ଘଟଣାରେ ଅକାଳ ମୃତ୍ୟୁ ନ ଘଟୁ ବା ଅନ୍ୟ କେଉଁ ମା’ର କୋଳଶୂନ୍ୟ ନ ହେଉ, ସେହି ଲକ୍ଷ୍ୟରେ ଅମୀୟ ବାଳା ପରିଡ଼ା ଗିରିଜା ମେମୋରିଆଲ ରୋଡ୍‌ ସେଫ୍ଟି ଫାଉଣ୍ଡେସନ୍‌ ଟ୍ରଷ୍ଟକୁ ଲୋକାର୍ପିତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଯୋଗ ଦେଇ ଟ୍ରାଫିକ୍‌ ନିୟମ ମାନିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ‘ହେଲମେଟ୍‌-ଦ ସୁରକ୍ଷା କବଚ’ ନାମକ ଏକ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଯେଉଁଥିରେ ପାଖାପାଖି ୩୦ଟି ସ୍ୱେଚ୍ଛାସେବୀ ସଙ୍ଗଠନ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ରାସ୍ତା ଦୁର୍ଘଟଣା ଓ ନିୟନ୍ତ୍ରଣ କ୍ଷେତ୍ରରେ ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ଧରି କାମ କରି ଆସୁଥିବା ଫୋରମ୍‌ ଫର ପ୍ରିଭେନ୍‌ସନ୍‌ ଅଫ ରୋଡ୍‌ ଆକ୍ସିଡେଣ୍ଟର ସମ୍ପାଦକ ବିକାଶ ମହାପାତ୍ରଙ୍କୁ ଗିରିଜା ମେମୋରିଆଲ ଆଓ୍ଵାଡ-୨୦୧୯ ପ୍ରଦାନ କରାଯାଇଥିଲା।

Comment