ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ପୁଣିଥରେ ଆରିଟିଓ ସାମ୍ନାରେ ଏଜେଣ୍ଟ ରହିପାରିବେ। ଆରଟିଓରେ ପରିସରରେ ରହୁଥିବା ଏଜେଣ୍ଟ ବା ମଧ୍ୟସ୍ଥିମାନଙ୍କୁ ତୁରନ୍ତ ଥଇଥାନ୍ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟସ୍ଥିଙ୍କୁ ଚିହ୍ନଟ କରିବା ସହ ଥଇଥାନ କରିବାକୁ ପରିବହନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଏଜେଣ୍ଟମାନଙ୍କୁ ଆରଟିଓ ପରିସରରୁ ହଟାଯିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଆରଟିଓ ଫିଲ୍ଡ ୱାରକର୍ସ ସଂଘ। ଆରଟିଓ ପରିସରରେ ଏଜେଣ୍ଟମାନେ ପୁଣି ବସିବାକୁ ସଂଘ ହାଇକୋର୍ଟରେ ଅନୁରୋଧ କରିଥିଲା। ଏହି ଆବେଦନକୁ ବିଚାର କରି ହାଇକୋର୍ଟ ମଧ୍ୟସ୍ଥିମାନଙ୍କୁ ଥଇଥାନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ପକ୍ଷରୁ କୁହାଯାଇଛି ଯେ, ସବୁ  ଆରଟିଓରେ ଏଜେଣ୍ଟମାନଙ୍କୁ ଚିହ୍ନଟ କରାଯାଉ। ଏହାପରେ ସେମାନଙ୍କୁ ଇ-କିଓସ୍କୋ ଜରିଆରେ ଥଇଥାନ୍ କରାଯାଉ। ୬ ମାସ ମଧ୍ୟରେ ଏହି ଇ-କିଓସ୍କୋ ପ୍ରତିଷ୍ଠା କରି ଆରଟିଓ ଏଜେଣ୍ଟମାନଙ୍କୁ ଥଇଥାନ କରାଯାଉ।

ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟର ସମସ୍ତ ଆରଟିଓ ପରିସରକୁ ଏଜେଣ୍ଟମୁକ୍ତ କରିବାକୁ ଯୋଜନା କରାଯାଇଥିଲା। ଯେଉଁଥିପାଇଁ ଆରଟିଓ ପରିସରରେ ଥିବା ଏଜେଣ୍ଟମାନଙ୍କ ଦୋକାନକୁ ପ୍ରଶାସନ ଉଚ୍ଛେଦ କରିଥିଲା। କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପୁଣିଥରେ ଆରଟିଓ ପରିସରରେ ଏଜେଣ୍ଟମାନେ ବସିବେ ବୋଲି କୁହାଯାଉଛି।

Comment