ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁହୁଡ଼ି ଯୋଗୁଁ ବସ୍‌ ଘାଟି ତଳକୁ ଓଲଟି ପଡ଼ିଥିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ତପ୍ତପାଣି ଘାଟିରେ କେମିତି ହେଲା ବସ୍‌ ଦୁର୍ଘଟଣା? କୁହୁଡ଼ି ଯୋଗୁଁ ନା ଗାଡ଼ି ବ୍ରେକ୍‌ ଫେଲ୍‌ ଯୋଗୁଁ ଏହାର ହେବ ଉଚ୍ଚସ୍ତରୀୟ ତଦନ୍ତ। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ସେ  କହିଛନ୍ତି, ‘‘ଗାଡ଼ି କେତେ ବେଗରେ ଯାଉଥିଲା ସେନେଇ ତଦନ୍ତ କରାଯିବ। ଗାଡ଼ିର ବ୍ରେକ୍‌ଫେଲ୍‌ ହୋଇଥିଲା ନା କୁହୁଡ଼ି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ଏନେଇ ତଦନ୍ତ ହେବ।’’

ଆରଟିଓ ଓ ଏଭ୍‌ଭିଆଇ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ କଟର ଯୋଗେ ବସ୍‌କୁ କାଟି ଲୋକଙ୍କ ଉଦ୍ଧାର କରାଯାଉଛି। ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବସ୍‌କୁ ତିନି ଖଣ୍ଡ କରି କାଟି ଉଦ୍ଧାର କରିବାକୁ କୁହାଯାଇଛି। ଏହାସହ ତପ୍ତପାଣି ଘାଟିକୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ କରାଯିବ ବୋଲି ପଦ୍ମନାଭ ବେହେରା କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ୫ଟି ଆମ୍ବୁଲାନ୍ସ, ୫ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି। ଅନ୍ୟପଟେ ୨ଜଣ ମୃତକଙ୍କର ପରିଚୟ ମିଳି ପାରିଛି। ଜଣେ ହେଉଛନ୍ତି ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ବୁଲୁ ବେହେରା ଓ ବିଦୁ ନାୟକ।

ରାୟଗଡ଼ା କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବସ୍‌ ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍‌ ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସ୍‌ଟି ଘାଟିରୁ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହାସହ ୪୦ରୁ ଅଧିକ ଆହତ ହୋଇଛନ୍ତି।

Comment