ଓଡ଼ିଶାଲାଇଭ୍ ବ୍ୟୁରୋ

“ଲୋକମାନଙ୍କ ଯିବା ଆସିବା ପାଇଁ ରାଜ୍ୟ ସରକାର ୬୬ଟି ରୁଟରେ ସରକାରୀ ବସ ଚଲେଇଲେ। ହେଲେ ଏବେ ୨୦ଟି ରୁଟରେ ବିଲକୁଲ୍ ଲୋକ ହେଉନାହାନ୍ତି। ଯଦି ବି ହେଉଛନ୍ତି ମାତ୍ର ୩ କିମ୍ବା ୪ ଜଣ। ଏପରି ହେଲେ ବାଧ୍ୟ ହୋଇ ସେହି ରୁଟରେ ବସ୍ ଚଳାଚଳ ବନ୍ଦ କରିବାକୁ ପଡ଼ିବ”, ଶନିବାର ଗଣମାଧ୍ୟମକୁ ଉତ୍ତର ଦେଇ ଏପରି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ରୁଟରେ ଘରୋଇ ହେଉ କି ସରକାରୀ ହେଉ ବସ ଚଲେଇଲେ ହିଁ କ୍ଷତି ସହିବାକୁ ପଡ଼ିବ। ତେଣୁ କେତେଦିନ କିଏ କ୍ଷତି ସହିବା, ଶେଷରେ ବାଧ୍ୟ ହୋଇ ଲୋକ ନହେଲେ ସେହି ରୁଟରେ ବସ ଚଳାଚଳ ବନ୍ଦ କରିବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଲକଡାଉନ୍ ସମୟରେ ଯାତାୟାତର ସୁବିଧା କରିବା ପାଇଁ ରାଜ୍ୟ ସରକାର ୬୬ଟି ରୁଟରେ ବସ ଚଳାଚଳ ଆରମ୍ଭ କରିଥିଲେ। ହେଲେ ସେହି ରୁଟରେ ଏବେ ଆଉ ପାସେଞ୍ଜର ହେଉନାହାନ୍ତି। କେବଳ ୩ କିମ୍ବା ୪ ଜଣ ପାସେଞ୍ଜରକୁ ନେଇ ବସ ଚଳାଚଳ କରିବାକୁ ପ୍ରବଳ କ୍ଷତି ସହିବାକୁ ପଡୁଛି। ତେଣୁ ବାଧ୍ୟ ହୋଇ ଏହି ରୁଟକୁ ବନ୍ଦ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସେହିଭଳି ଅନ୍ୟ ରାଜ୍ୟକୁ ବସ ଚଳାଚଳ କରିବା ପ୍ରଶ୍ନ ଉପରେ ମନ୍ତ୍ରୀ କହିଛନ୍ତି ଯେ, ଅନ୍ୟ ରାଜ୍ୟକୁ ବସ ଚଳାଚଳ କରୁଛି। ହେଲେ ଯାତ୍ରୀ ହେଉନାହାନ୍ତି। ତେଣୁ ବସ ମାଲିକମାନେ ମଧ୍ୟ ବାଧ୍ୟ ହୋଇ ଆଉ ବସ୍ ଚଲାଉନାହାନ୍ତି ବୋଲି ସେ କହିଛନ୍ତି।

Comment