ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାର କହିଲେ ଆଜିଠୁ ରାଜ୍ୟରେ ବସ୍‌ ଗଡ଼ିବ। ହେଲେ ମାଲିକ ସଂଘ ରାଜି ହେଉନି। ବସ୍‌ କର୍ମଚାରୀଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କରିଛି ସଂଘ।

‘‘ବସ୍‌ଗୁଡ଼ିକ ଏବେ ଚାଲିବା ସ୍ଥିତିରେ ନାହିଁ। କାହାର ବ୍ୟାଟେରୀ ନାହିଁ ତ କାହାର ତାର ମୂଷା କାଟିଦେଇଛି। ଏହାସହ ବିଭିନ୍ନ ବସ୍‌ର ଯନ୍ତ୍ରାଂଶ ମଧ୍ୟ ଚୋରି ହୋଇଯାଇଛି। ଖାଇବା ପିଇବା ମିଳୁ ନଥିବାରୁ କର୍ମଚାରୀମାନେ ଗାଁରେ ଅଛନ୍ତି। ତାଙ୍କୁ ଏବେ ଆଗୁଆ କିଛି ଟଙ୍କା ଦେଲେ ଯାଇ ସେମାନେ ଆସି ବସ୍‌ ଚଲାଇବେ। ପ୍ରଥମେ ତାଙ୍କ ପରିବାର କଥା ସେମାନେ ଦେଖିବେ। ସରକାର ସେମାନଙ୍କ ପାଇଁ କ’ଣ ପ୍ୟାକେଜ ଘୋଷଣା କରିଛନ୍ତି ସେନେଇ ସ୍ପଷ୍ଟୀକରଣ ଦେବା ଦରକାର’’, ଏମିତି ପାଲଟା ପ୍ରଶ୍ନ କରି ସରକାରଙ୍କୁ ଘେରିଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ।

ଆଜିଠୁ ବସ୍‌ ଚାଲିବ ବୋଲି ରାଜ୍ୟ ସରକାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ। ଯେତିକି ସିଟ୍‌ ସେତିକି ଯାତ୍ରା ଯାଇପାରିବେ ବୋଲି ସରକାର ଘୋଷଣା କରିଥିଲେ। ହେଲେ ବସ୍‌ ମାଲିକ ସଂଘ ଏଥିରେ ରାଜି ହୋଇ ନଥିଲା। ବସ୍‌ ଚଲାଇବା ପାଇଁ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ପ୍ରଥମେ ପ୍ୟାକେଜ ଘୋଷଣା କରିବାକୁ ସଂଘ ଦାବି କରିଛି।

‘‘ଏବେ ବହୁ ଯୁବକମାନେ ବ୍ୟବସାୟ କରୁଛନ୍ତି। ସେମାନଙ୍କ ଭବିଷ୍ୟତ ପାଇଁ ସରକାର କ’ଣ ଚିନ୍ତା କରିଛନ୍ତି ତାହା ପ୍ରଥମେ ଜଣାନ୍ତୁ। ତା’ ପରେ ଯାଇ ଆମେ ବସ୍‌ ଚଲାଇବା କଥା ଚିନ୍ତା କରିବୁ’’, କହିଛନ୍ତି ବସ୍‌ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ।

ବସ୍‌ ଚଲାଇବା ସରକାର ଅନୁମତି ଦେବା ପରେ ଆଜି ଘରୋଇ ମାଲିକ ସଂଘ ପକ୍ଷରୁ ଏକ ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ବୁଧବାର ଚୂଡ଼ାନ୍ତ ବୈଠକ ବସିବ। ଏହି ବୈଠକରେ ହିଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଏପଟେ ରୋଡ୍‌ ଡ୍ୟାକ୍ସ ଛାଡ଼ କରିବାକୁ ମଧ୍ୟ ବସ୍‌ ମାଲିକ ସଂଘ ଦାବି କରିଛି। ବୀମା ରିହାତି ଦେବାକୁ ବି ସଂଘ ଦାବି କରିଛି। ଦାବି ପୂରଣ ନହେବା ଯାଏଁ ବସ୍‌ ଚାଲି ପାରିବନି ବୋଲି ସଂଘ କହିଛି।

‘‘ବସ୍‌ ମାଲିକ ସଂଘ ପକ୍ଷରୁ ଯେଉଁ ଦାବି ଉଠା ଯାଇଛି ସେଥିପ୍ରତି ରାଜ୍ୟ ସରକାର ଅବଗତ ଅଛନ୍ତି। ବର୍ତ୍ତମାନ ତ ସେମାନଙ୍କୁ କେହି ଟ୍ୟାକ୍ସ ମାଗୁ ନାହାନ୍ତି। ୩ ମାସ ରୋଡ୍‌ ଟ୍ୟାକ୍ସ ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ଯାହା ଦାବି ରହିଛି ସେନେଇ ଆଲୋଚନା କରାଯିବ। ମାଲିକ ସଂଘ ସହଯୋଗ କରିବା ଦରକାର’’, କହିଛନ୍ତି ପରିବହନମନ୍ତ୍ରୀ ପଦ୍ମନାଭ ବେହେରା।

ବସ୍‌ ମାଲିକ ସଂଘ ପକ୍ଷରୁ ଆହୁରି କୁହାଯାଇଛି ଯେ, ଆମେ ସରକାରଙ୍କୁ ସବୁବେଳେ ସହଯୋଗ କରି ଆସିଛୁ। ହେଲେ ସରକାର ଆମ କଥା ଶୁଣୁ ନାହାନ୍ତି। ନିର୍ବାଚନ ବେଳେ ୩ ହଜାର ୮୦୦ ଟଙ୍କାରେ ଆମେ ସେବା ଯୋଗାଇ ଦେଇଥିଲୁ। ହେଲେ ଏବେ ସେହି ସମାନ ଟଙ୍କାରେ ଆମେ ପ୍ରବାସୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ଛାଡୁଛୁ। ଅଧିକ ଟଙ୍କା ଦାବି କରିନୁ। ଏବେ ବସ୍‌ ସେବା ପାଇଁ ଆମେ କମର୍ଚାରୀଙ୍କ ପରିବାର ଓ ସେମାନଙ୍କ ଭବିଷ୍ୟତ ପାଇଁ କିଛି ଦାବି ରଖିଛୁ। ଏହାକୁ ସରକାର ବିଚାର କରିବା ଦରକାର।

Comment