ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଆରମ୍ଭ ଐତିହାସିକ କଟକ ବାଲିଯାତ୍ରା। ଏନେଇ କମିସନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା କରାଯାଇଛି। ଯଦି ଆପଣ କଟକ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି, ତେବେ ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ।

ବାଲିଯାତ୍ରାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କମିସନରେଟ୍ ପୋଲିସ୍ କେତେକ ନିୟମ କରିଛି। ଏହି ନିୟମ ଅନୁସାରେ ବାଲିଯାତ୍ରା ସମୟରେ ଯାନବାହାନ ଚଳାଚଳ କରିବ। ଏହି ନିୟମ ବାଲିଯାତ୍ରା ସମୟରେ ଅପରାହ୍‌ଣ ୩ଟାରୁ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଲାଗୁରହିବ।

ତେବେ ବାଲିଯାତ୍ରାରେ ଗାଡ଼ି ପାର୍କିଂ ପାଇଁ କଟକର ବିଭିନ୍ନ ସ୍ଥାନରେ ପାର୍କିଂ ସ୍ଥଳ ତିଆରି କରାଯାଇଛି। ସେଗୁଡ଼ିକ ହେଲା – ଭୁଆସୁଣୀ ପଡ଼ିଆ, ଆନନ୍ଦ ଭବନ ପଡ଼ିଆ, ଦୟାଶ୍ରମ ପଡ଼ିଆ, କାର୍ତ୍ତିକେଶ୍ୱର ଗଡ଼ାର ବାମପଟ ପଡ଼ିଆ, କାର୍ତ୍ତିକେଶ୍ୱର ଗଡ଼ାର ପଶ୍ଚିମପଟ ପଡ଼ିଆ, ମୁଣ୍ଡା ସାହି ପଡ଼ିଆ, ମୁଣ୍ଡା ସାହି ପଶ୍ଚିମପଟ ପଡ଼ିଆ, ମୁଣ୍ଡା ସାହି ଉତ୍ତର ପଟ ପଡ଼ିଆ, ଗୋରାକବର ପଡ଼ିଆ, ବୋସ୍ ଇଞ୍ଜିନିୟରିଂ ପଡ଼ିଆ।

କେଉଁ ରାସ୍ତା ଦେଇ ଯିବେ ବାଲିଯାତ୍ରା ପଡ଼ିଆ, କେଉଁଠି କରିବେ ପାର୍କିଂ  

ମହାନଦୀର ରିଙ୍ଗ୍ ରୋଡରେ ମାତା ମଠ ଆଡୁ ବାଲିଯାତ୍ରା ଦେଖିବାକୁ ଆସୁଥିବା ଲୋକମାନେ ସିଧା ରିଙ୍ଗ୍ ରୋଡରେ ଆସି ନୂଆ ଡିସିପି ଅଫିସ୍ ପୂର୍ବରୁ ଗଡ଼ାରେ ଗଡ଼ି ବାଲିଯାତ୍ରା ପାର୍କିଂ ସ୍ଥଳରେ ଗାଡ଼ି ପାର୍କିଂ କରିବେ। ସେହିପରି ଫେରିବା ସମୟରେ ସେମାନେ ମୁଣ୍ଡାସାହି  କଡ଼ ରାସ୍ତାରେ ଯାଇ ସିସୋର ରାସ୍ତା ଦେଇ ରିଙ୍ଗ୍ ରୋଡରେ ବାହାରି କେବଳ ମାତା ମଠ ଆଡ଼େ ଯାଇପାରିବେ।

ହାୱଡା ମୋଟର ଛକ ଓ ମଣିସାହୁ ଛକ ଆଡୁ ଆସୁଥିବା ସବୁ ଗାଡ଼ି ହୋଟେଲ ଗ୍ରୀନ୍ ଛକଠାରୁ ଡାହାଣକୁ ଯାଇ ରିଙ୍ଗ୍ ରୋଡରେ ଯାଇପାରିବେ। ଗ୍ରୀନ୍ ହୋଟେଲ ଛକରୁ କୌଣସି ଗାଡ଼ି ଚିଫ୍ ଜଷ୍ଟିସ୍ ବଙ୍ଗଳା ଆଡ଼କୁ ଯାଇପାରିବେ ନାହିଁ।

ପୋଲିସ୍ ମୁଖ୍ୟାଳୟ ଗେଟ୍ ଆଡୁ ଆସୁଥିବା ଯାନବାହାନଗୁଡ଼ିକ ଚିଫ୍ ଜଷ୍ଟିସ୍ ବଙ୍ଗଳା ପାଖରୁ ସିଧା ବାରବାଟୀ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ। ଚିଫ୍ ଜଷ୍ଟିସଙ୍କ ଡାକ ବଙ୍ଗଳା ପାଖରୁ ଗାଡ଼ିଗୁଡ଼ିକ ଡାହାଣକୁ ଯାଇ କରମଙ୍ଗାମଠ ରାସ୍ତା ଦେଇ ରିଙ୍ଗ୍ ରୋଡରେ ବାଲିଯାତ୍ରା ପଡ଼ିଆକୁ ଯିବେ।

ବକ୍ସି ବଜାର ଫାୟାର ଷ୍ଟେସନ ଛକରୁ ତିନି ଚକିଆ ଓ ଚାରି ଚକିଆ ଯାନଗୁଡ଼ିକ ଓଏମ୍‌ପି ଛକ ଆଡ଼କୁ ଯାଇପାରିବେ ନାହିଁ। କେବଳ ଦୁଇ ଚକିଆ ଗାଡ଼ି ଓଏମ୍‌ପି ଛକର ବାମକୁ ଯାଇ ନାରୀସେବା ସଦନ ଛକ ଦେଇ ଦୟାଶ୍ରମଠାରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିପାରିବେ।

ସମାଜ ଅଫିସ୍ ଛକ ଆଡୁ ଆସୁଥିବା ଗାଡ଼ିଗୁଡ଼ିକ ନାରୀସେବା ସଦନ ଛକରୁ ବାମକୁ ଯାଇ କଳା ବିକାଶ କେନ୍ଦ୍ର ରାସ୍ତାରେ ଯାଇ ପି.ଏଚ୍.ଡି ଅଫିସ୍ ପାଖରେ ଥିବା ଦୟାଶ୍ରମ ଷ୍ଟାଣ୍ଡରେ ରଖିବେ। ଏହି ଗାଡ଼ି ଗୁଡ଼ିକ ସିଧାସଳଖ ବାରବାଟୀ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ।।

ଡାଇରେକ୍ଟର ଅଫ୍ ଇଣ୍ଡଷ୍ଟ୍ରିଜ୍ ଛକଠାରୁ କୌଣସି ଗାଡ଼ି କିଲଖାନା ରାସ୍ତା ଦେଇ ସିଧା ବାରବାଟୀ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ।

କନଭେନ୍ସ ସ୍କୁଲ୍ ଛକଠାରୁ କେବଳ ଦୁଇ ଚକିଆ ଯାନ ପି.ଏଚ୍.ଡି ଅଫିସ୍ ଛକ ଦେଇ ଦୟାଶ୍ରମ ଷ୍ଟାଣ୍ଡରେ ଗାଡ଼ି ରଖିପାରିବେ। ଏହି ଛକରୁ ତିନି ଚକିଆ ଓ ଚାରି ଚକିଆ ଗାଡ଼ି ଗୁଡ଼ିକ ଚଣ୍ଡି ଛକ ଓ ଜନିକା ଛକ ରାସ୍ତା ଦେଇ ଆନନ୍ଦ ଭବନ ଷ୍ଟାଣ୍ଡକୁ ଯାଇପାରିବେ।

କନିକା ଷ୍ଟେସନ ଛକ ଆଡୁ କିମ୍ବା ଟିଭି ଷ୍ଟେସନ ରୋଡ୍ ଆଡୁ ଆସୁଥିବା ସମସ୍ତ ଗାଡ଼ି ବିଜୁ ପଟ୍ଟନାୟକ ଛକଠାରୁ ଦୟାଶ୍ରମ ରୋଡରେ ଯାଇ ପି.ଏଚ୍.ଡି ଅଫିସ୍ ପଛପଟ ଦୟାଶ୍ରମ ଷ୍ଟାଣ୍ଡରେ ପାର୍କିଂ କରିପାରିବେ।

ଆନନ୍ଦ ଭବନ ଛକଠାରୁ କୌଣସି ଗାଡ଼ି  ଜିଲ୍ଲା ଫୋର୍ଟ ଆଡ଼କୁ ଯାଇପାରିବେ ନାହିଁ କେବଳ କ୍ଲବ କାର୍ଡ ଥିବା ବ୍ୟକ୍ତି ଫୋର୍ଟଗେଟ୍ ପର୍ଯ୍ୟନ୍ତ ଯାଇପାରିବେ। ତେବେ ଫୋର୍ଟ ଗେଟ୍ ଛକରୁ କୌଣସି ଗାଡ଼ି ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ।

ହରିଣ ପାର୍କ ଛକଠୁ କେବଳ ଦୁଇ ଚକିଆ ଯାନ କ୍ୟାଣ୍ଟନମେଣ୍ଟ ଥାନ ଛକ ଆଡ଼କୁ ଯାଇ ବାଲିଯାତ୍ରା ପଡ଼ିଆରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିପାରିବେ।

ମହାନଦୀ ରିଙ୍ଗ୍ ରୋଡରେ ନୂଆ ନିର୍ମାଣ ହୋଇଥିବା ମଧୁସୂଦନ ସେତୁ ଆଡୁ ବାଲିଯାତ୍ରା ଦେଖିବାକୁ ଆସୁଥିବା ଲୋକ ସେମାନଙ୍କର ତିନି ଚକିଆ ଓ ଚାରି ଚକିଆ ଗାଡ଼ିକୁ ଭୁଆସୁଣୀ ପଡ଼ିଆରେ ଗାଡ଼ି ପାର୍କିଂ କରି ସେଠାରୁ ସ୍ୱତନ୍ତ୍ର ଗାଡ଼ିରେ ବାଲିଯାତ୍ରା ପଡ଼ିଆ ଯାଇପାରିବେ।

ସତୀ ଚଉରା ଛକ ଓ ନେତାଜୀ ସେତୁ ଆଡୁ ବାଲିଯାତ୍ରା ଦେଖିବାକୁ ଆସୁଥିବା ଚାରି ଚକିଆ ଓ ତିନି ଚକିଆ ଯାନଗୁଡ଼ିକ ଚହଟା ଛକରୁ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇ ନଆସି ସେଠାରୁ ବାମପଟକୁ ଯାଇ ଭୁଆସୁଣୀ ପଡ଼ିଆରେ ଗାଡ଼ି ପାର୍କିଂ କରିବେ।

ବାଲିଯାତ୍ରା ପଡ଼ିଆ ପାଖ ଷ୍ଟାଣ୍ଡରେ ଗାଡ଼ି ଫୁଲ୍ ହେବା ପରେ ଇଂଜିନୟରିଂ ଗଡ଼ା ପାଖରୁ କୌଣସି ଗାଡ଼ିକୁ ବାଲିଯାତ୍ରା ପଡ଼ିଆକୁ ଛଡ଼ାଯିବ ନାହିଁ। ଏହି ଗାଡ଼ିକୁ ବୋସ୍ ଇଂଜିନିୟରିଂ ପଡ଼ିଆରେ ପାର୍କିଂ କରାଯିବ।

ସେହିପରି ପାସ୍ ପାଇଥିବା ଲୋକମାନେ ଅପରାହ୍ନ ୩ଟା ପରେ ବାଲିଯାତ୍ରା ପଡ଼ିଆ ଭିତରକୁ ଗାଡ଼ି ନେଇ ପାରିବେ ନାହିଁ।

Comment