ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳନ ବେଳେ ରାୟଗଡା ଜିଲ୍ଲାରେ ଦୁଇଟି ବିଭିନ୍ନ ସ୍ଥାନରେ ଅଘଟଣ ଘଟି ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି।

ରାୟଗଡ଼ା ଉତ୍କଳ ଗୌରବ ମଧୂସୁଧନ ବୈଷୟିକ ଶିକ୍ଷାଅନୁଷ୍ଠାନରେ ପଢୁଥିବା ୪ ଜଣ ଛାତ୍ର ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ବୋଇତ ବନ୍ଦାଇବା ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଅସବଧାନତା ବସତଃ ପଥର ଉପରେ ଶିଉଳୀରେ ଗୋଡ ଖସି ଯାଇ ନଦୀର ଭଉଁରୀରେ ପଡିଯାଇଥିଲା।

ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପରେ ପୋଲିସର ଏକ ଟିମ ପହଁଞ୍ଚି ବହୁ ଖୋଜା ଖୋଜି କରିବା ପରେ ଘଟଣାସ୍ଥଳର ପ୍ରାୟ ୬୦୦ ମିଟର ଦୂର ମାରିଗୁଡା ଗ୍ରାମର ଘାଟରେ ଉକ୍ତ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଡାକ୍ତର ସୁମନଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରଜଣକ ହେଉଛନ୍ତି ପ୍ଲୋମା ମେକାନିକାଲ ଦ୍ଵିତୀୟ ବର୍ଷରେ ପଢ଼ୁଥିବା ସୁମନ ବେହେରା (୧୭)। ତାଙ୍କ ଘର ରାୟଗଡା ଜିଲ୍ଲାର ମୁନିଗୁଡା ଅଞ୍ଚଳର ବୋଲି ଜଣାପଡ଼ିଛି।

ସେହିପରି ଅନ୍ୟ ଏକ ଘଟଣା ଘଟିଛି ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡା ବଂଶଧାରା ନଦୀରେ। ସ୍ଥାନୀୟ ଗୋପାଳପୁର ସାହିର ଏକ ପରିବାର ବୋଇତ ବନ୍ଦାଣ ଉତ୍ସବ ପାଳନ କରିବାକୁ ଯାଇଥିବା ସମୟରେ ଗୋଡ ଖସି ଯିବାରୁ ସନ୍ତୋଷ ଜେନା ନାମକ (୧୯)ର ଯୁବକ ନଦୀର ବୁଡ଼ି ଯାଇଥିଲେ।

ଘଟଣାସ୍ଥଳରେ ଗୁମୁଡା ଦମକଳ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା। ନଦୀ ଭିତରୁ ସନ୍ତୋଷଙ୍କୁ ଉଦ୍ଧାରକରାଯାଇ ପଦ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଶବ ବ୍ୟବଛେଦ ନିମନ୍ତେ ଗୁଣୁପୁର ଡାକ୍ତରଖାନାକୁ ପଠାଇଯାଇଥିବା ସୂଚନା ମିଳିଛି।

Comment