ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ବାଲିଯାତ୍ରାର ଦ୍ୱିତୀୟ ଦିନରେ ଭିଡ଼ ବଢ଼ିଛି। ଦେଢ଼ ଲକ୍ଷ ଟପିଛନ୍ତି ଦର୍ଶକ। ସନ୍ଧ୍ୟାରୁ ତଳ ପଡ଼ିଆରେ ଗହଳି ବଢ଼ିଥିଲା। ଠିକ୍ ୭ଟା ବେଳକୁ ଖଚାଖଚ୍ ଭିଡ଼ ସାଙ୍ଗକୁ କୋଳାହଳମୟ ହୋଇଥିଲା ଉଭୟ ଗଡ଼ଗଡ଼ିଆ ଆଉ କିଲ୍ଲା ପଡ଼ିଆ। ବିଶେଷକରି ଓରମାସ, ଭିନ୍ନକ୍ଷମ ଓ କିନ୍ନରଙ୍କ ଷ୍ଟଲରେ ଭିଡ଼ ଲାଗିଥିଲା ୧୦ଟା ପର୍ଯ୍ୟନ୍ତ ଲାଗି ରହିଥିଲା। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ବୈଷ୍ଣବ ପାଣି ମଞ୍ଚରେ ବି ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

 

ଛାଡ଼ଖାଇ ଥିବାରୁ ସ୍ୱାଭାବିକ ଭାବେ ଆମିଷ ଖାଦ୍ୟ ଷ୍ଟଲରେ ଭିଡ଼ ଦେଖିବାକୁ ମିଳିଥିଲା। ଫାଷ୍ଟଫୁଡ୍ ଦୋକାନମାନଙ୍କରେ ଲୋକ ଗହଳି ଜମାଇଥିଲେ। ବିରିୟାନୀ, ଚିକେନ୍ ପକୋଡା, ମଟନ୍ ଚପ୍, ମାଛ ପକୋଡ଼ା ସହିତ ଚାଓମିନ୍, ରୋଲ୍, ଫାଷ୍ଟଫୁଡ୍ ବ୍ୟବସାୟୀମାନେ ଆଜି ହାତଖୋଲା ବେପାର କରିଛନ୍ତି। ତେବେ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ କୁହାଯାଉଥିବା ଓରମାସ ଷ୍ଟଲ୍‌ରେ ଅପରାହ୍‌ଣରୁ ହିଁ ଖଚାଖଚ୍ ଭିଡ଼ ହୋଇଥିଲା। ଆଜି ଓରମାସରେ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କାର ବେପାର ହୋଇଥିବା ଅନୁମାନ କରାଯାଉଛି।

ଗତକାଲି ପ୍ରଥମ ଦିନରେ ୧୫ଲକ୍ଷ ୬୨ହଜାର ୩୫୦ ଟଙ୍କାର ବ୍ୟବସାୟ ହୋଇଥିବା ଓରମାସ ତରଫରୁ ସୂଚନା ଦିଆଯାଇଛି। ଯାତ୍ରାର ଦୁଇଦିନ ଶେଷ ହୋଇଥିବା ବେଳେ ଦର୍ଶକମାନେ ମୋବାଇଲ୍ ଟଏଲେଟ୍ ପାଖ ମାଡୁ ନଥିବା ଦେଖିବାକୁ ମିଳୁଛି। ସଚେତନତା ଅଭାବରୁ ନଦୀପଠାକୁ ଲୋକମାନେ ଅପରିଷ୍କାର କରୁଥିବା ଦେଖିବାକୁ ମିଳୁଛି। ସିଏମ୍‌ସି ପକ୍ଷରୁ ଚଳିତବର୍ଷ ୨୦୦ଟି ଡଷ୍ଟବିନ୍ ରଖାଯାଇଛି।

ଅନ୍ୟପକ୍ଷରେ ବୁଧବାର ଲୋକେ ଦୋଳିର ମଜା ନେଇଛନ୍ତି। ବାଲିଯାତ୍ରାର ପ୍ରଥମ ଦିନରେ ପ୍ରାୟ ଦୋଳି ଘୂରିନଥିଲା। ଲୋକେ ନିରାଶ ହୋଇ ଫେରିଥିଲେ। କିନ୍ତୁ ଗତକାଲି ଅପରାହ୍‌ଣରୁ ଦୋଳି ଘୂରିବା ସ୍ୱାଭାବିକ ହୋଇଛି। ବାଲିଯାତ୍ରାକୁ ଆସିଥିବା ମୋଟ୍ ୩୫ଟି ଦୋଳି ମଧ୍ୟରୁ ପ୍ରାୟ ୬ଟି ଦୋଳିକୁ ଛାଡ଼ି ଅନ୍ୟ ସମସ୍ତ ଦୋଳିର ମଜା ନେଇଥିଲେ ଲୋକେ। ସେହିପରି ଏଥର ପ୍ରଥମଥର ପାଇଁ ବିଡ଼ାନାସୀ ଚହଟା ପାଖରୁ ବ୍ୟାରିକେଡିଂ କରାଯାଇଥିବା ବେଳେ ଲୋକଙ୍କୁ ନେବା ଆଣିବା ପାଇଁ କଟକ ରିକ୍ସାର ବ୍ୟବହାର କରାଯାଇଛି।

ସେହିପରି ଦୁଇଦିନ ବିତିଯାଇଥିଲେ ସୁଦ୍ଧା ଏବେ ଯାଏଁ ବୋଟିଂ କେମିତିଆ ଲୋକେ ଦେଖିପାରିନାହାନ୍ତି । ପ୍ରଥମଥର ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନ ତରଫରୁ ବୋଟିଂ ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଏଯାଏଁ ଆରମ୍ଭ କରାଯାଇନାହିଁ।

ପଡିଆରେ ଖୋଳାଯାଇଥିବା ଦୁଇଟି ଅସ୍ଥାୟୀ ପୁଷ୍କରଣୀ ସେମିତି ଫାଙ୍କା ପଡ଼ିଛି। ଲୋକେ ବୋଟିଂ ମଜା ନେବାକୁ ସେଠାରୁ ଯାଉଥିବା ବେଳେ କିଛି ନପାଇ ଫେରୁଛନ୍ତି।

Comment