ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ କୁନା ପାତ୍ର) ନବରଙ୍ଗପୁରରେ ଡ଼ଙ୍ଗର ଚାଷ ଜଙ୍ଗଲକୁ ବ୍ୟାପକ କ୍ଷତି ପହଞ୍ଚାଇଛି, ଲୋକେ ଜଙ୍ଗଲ ର ମୂଲ୍ୟବାନ ଗଛ କାଟି ମକା ଚାଷ କରୁଥିବା ବେଳେ ଦିନକୁ ଦିନ ଜଙ୍ଗଲ ପଦା ହେବାରେ ଲାଗିଛି। ତେନ୍ତୁଳୀଖୁଣ୍ଟି ସଂଗ୍ରକ୍ଷୀତ ଜଙ୍ଗଲରେ ଏଭଳି କାର୍ଯ୍ୟ ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆ ଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଦିନ ଥିଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ତେନ୍ତୁଳିଖୁଣ୍ଟି ପଞ୍ଚାୟତର ମଙ୍ଗରଦୋରା, ବିଜାପଦର, ବଡ଼ଭଟ୍ଟା., ଟଭାପଦର, ମଦଗୁଲୁମି, ମେରାକାନି, ହାତୀପଖନା, ଭଣ୍ଡଗୁଡା, ଲଦିପଦର ସିନ୍ଧିଗୁଡା, ମୁଣ୍ଡାଗୁଡା, ବରଡାଯୋଡି ଗାଁ ଗୁଡାକ ଜଙ୍ଗଲ ଘେରା ମଧ୍ୟରେ ଥିଲା।

ଉକ୍ତ ଅଂଚଳରେ ହଜାର ହଜାର ହେକ୍ଟର ଘଞ୍ଚ ଜଙ୍ଗଲ ସାଙ୍ଗକୁ ବାଘ, ଭାଲୁ, ହରିଣ, ଠେକୁଆ, ମାଙ୍କଡ଼ ବାରାହା  ତଥା ବିଭିନ୍ନ ବନ୍ୟଜନ୍ତୁ ଙ୍କ ବାସସ୍ଥଳୀ ଭାବେ ପରିଚିତ ଥିଲା। ଏମିତିକି ଶାଳ, ପିଆଶାଳ, ସୀସା, ଭଳି ଅନେକ ମୂଲ୍ୟବାନ ଗଛ ସାଙ୍ଗକୁ ଅନେକ ଔଷଧିୟ ଜଙ୍ଗଲ ଥିଲା। ବର୍ତ୍ତମାନ ଏବେ ଆଉ ତାହା ଦେଖିବାକୁ ମିଳୁନି। ଜଙ୍ଗଲ ସମ୍ପୂର୍ଣ ମାତ୍ରାରେ ପଦା ହେବାକୁ ଲାଗିଛି। ପ୍ରତ୍ୟେକ ଦିନ ଜଙ୍ଗଲ ରୁ ମୂଲ୍ୟବାନ ଗଛ କଟାଯାଇ ଜଙ୍ଗଲ ସଫା ହେବାରେ ଲାଗିଛି। ଜଙ୍ଗଲ ସଫା ହେବା ଯୋଗୁଁ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ପ୍ରଶ୍ନ ଉଠିଛି। ବିଶେଷ କରି ବ୍ୟାପକ ମାତ୍ରାରେ ଜଙ୍ଗଲ କାଟି ମକା, ବିରି, ଚାଷ କରାଯିବା ଜଙ୍ଗଲ କ୍ଷୟର ପ୍ରମୁଖ କାରଣ ପାଲଟିଛି।

ସେହିପରି ପ୍ରତ୍ୟେକ ଦିନ ଜଙ୍ଗଲ ରୁ ଶାଳଗଛ ଦାନ୍ତକାଠି କଟାଯାଇ ନବରଙ୍ଗପୁର,ସହର କୁ ବ୍ୟବସାୟ ପାଇଁ ଅଟୋ ଯୋଗେ ପଠାଯାଉ ଥିବା ବେଳେ ବନ ବିଭାଗର ନୀରବତା କୁ ସାଧାରଣରେ ଗ୍ରହଣ କରାଯାଇ ପାରୁନି। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଦାନ୍ତକାଠି କଟାଯାଇ ବାହାରକୁ ଯାଉଛି ଯଦ୍ଵାରା ଶାଳ ଜଙ୍ଗଲ ସମ୍ପୂର୍ଣ ନଷ୍ଟ ହେବା ସହ ଶାଳ ଜଙ୍ଗଲ ମୂଳରୁ ବିନାଶ ହେବାରେ ଲାଗିଛି।  ଜଙ୍ଗଲ ମଧ୍ୟରେ ଘୁମରେଶ୍ୱର ଶୈବ ପୀଠ, ରାଇସିଂଯୋଡି, ଡକରାଦୋରା ପର୍ଯ୍ୟଟନସ୍ଥଳୀ ଥିବା ବେଳେ ଜଙ୍ଗଲ ସୁରକ୍ଷା ନିହାତି ଜରୁରୀ ହୋଇ ପଡିଛି।

ଏଠାରେ କେବଳ ଜଣେ ବନରକ୍ଷୀକୁ ନେଇଁ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ଚାଲିଥିବା ବେଳେ ଅଧିକ କର୍ମଚାରୀ ଆବଶ୍ୟକତା ରହିଥିବା ଅଭିଯୋଗ ହୋଇଛି। ଜଙ୍ଗଲ ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ତେନ୍ତୁଳିଖୁଣ୍ଟି ଦୁର୍ଗାପୂଜା କମିଟି ସଭାପତି ଦୁଷ୍ମନ୍ତ ନାୟକ, ସମ୍ପାଦକ ଲଛମନ ଭତରାଙ୍କ ସହ ଅନ୍ୟମାନେ ଦାବି କରିଛନ୍ତି।

Comment