ଓଡ଼ିଶାଲାଇଭ୍ ବ୍ୟୁରୋ

“ସମାଜରେ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମ ଦିନକୁ ଦିନ ନିଜ ଭିତରେ ଅନେକ ପରିବର୍ତ୍ତନ ଆଣିବା ସହ ସମାଜରେ ମଧ୍ୟ ପରିବର୍ତ୍ତନ ଆଣିପାରିଛି”, ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ପ୍ରେସ୍‌ ଦିବସ ପାଳନ ଅବସରରେ କହିଛନ୍ତି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତ୍ରିଲୋକନାଥ ପାଣ୍ଡେ।

ଶନିବାର ସାରା ଦେଶରେ ଜାତୀୟ ପ୍ରେସ୍ ଦିବସ ପାଳନ ହୋଇଛି। ଏଥିପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗ ପକ୍ଷରୁ ମଧ୍ୟ ଜାତୀୟ ପ୍ରେସ୍ ଦିବସ ପାଳନ ହୋଇଛି। ଏହି ଅବସରରେ ‘ଗଣମାଧ୍ୟମ ଓ ସାମାଜିକ ଦାୟିତ୍ୱବୋଧତା’ ଉପରେ ଏକ ଆଲୋଚନା ହୋଇଥିଲା।

ଏହି ଆଲୋଚନାରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଦୁର୍ଗାମାଧବ ମିଶ୍ର କହିଥିଲେ, “ଅତୀତରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଗଣମାଧ୍ୟମ ପ୍ରତିଟି ମୂହୁର୍ତ୍ତରେ ସମାଜ ପ୍ରତି ତା’ର ଦାୟିତ୍ୱବୋଧ ପାଳନ କରିଆସିଛି। କେତେକ ଅପ୍ରୀତିକର ପରିସ୍ଥିତିରେ ମଧ୍ୟ ଗଣମାଧ୍ୟମ ନିଜର ସାମାଜିକ ଦାୟିତ୍ୱବୋଧତାକୁ ପଛରେ ପକାଇନାହିଁ।”

ସମାଜରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ତାଙ୍କର ପ୍ରତ୍ୟେକଟି ପ୍ରଶ୍ନ ସମାଜର ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ। ତେଣୁ, ସେମାନେ ଶାସକମାନଙ୍କର ଗୁଲାମଗିରି ନକରି ସାଧାରଣ ଲୋକଙ୍କ ପାଇଁ କାମ କଲେ ସମାଜ ଆଗକୁ ବଢ଼ିପାରିବ ବୋଲି କହିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ।

କାର୍ଯ୍ୟକ୍ରମରେ ଆଇଆଇଟି ଖଡ଼ଗପୁରର ପ୍ରଫେସର ବିନୟ କୁମାର ପଟ୍ଟନାୟକ, ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ ଓ ବିଭାଗୀୟ ମୁଖ୍ୟ ସ୍ୱର୍ଣ୍ଣମୟୀ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

Comment