ଓଡ଼ିଶାଲାଇଭ୍ ବ୍ୟୁରୋ

୪୦ ତମ ସ୍ୱର୍ଣ୍ଣକ୍ଷେତ୍ର ଉପଲକ୍ଷେ ଚିଲିକାରେ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ନୌଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରବିବାର ଆୟୋଜିତ ଏହି ପ୍ରତିଯୋଗିତାରେ ୯ଟି ଦଳ ଭାଗ ନେଇଥିଲେ।

ଚଢ଼େଇଗୁହା ପାହାଡ଼ ନିକଟରେ ଆଇଏନ୍‌ଏସ୍‌ ଚିଲିକା ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା ଏହି ଡଙ୍ଗା ଚାଳନା ପ୍ରତିଯୋଗିତା। ଏଥିରେ ଭାଗ ନେଇଥିଲେ ପ୍ରାୟ ୨୦୦ ମତ୍ସ୍ୟଜୀବୀ। ହାଉଲା ଓ କାତମରା ଡଙ୍ଗାରେ ଏହି ପ୍ରତିଯୋଗିତା ଦେଖିବାକୁ ଦର୍ଶକଙ୍କ ଭିଡ଼ ଲାଗିଥିଲା।

ହାଉଲାମରା ପ୍ରତିଯୋଗୀତାରେ ବାଲୁଗାଁର ମା’ନାରାୟଣୀ ଗ୍ରୁପ୍‌ ଓ କାତମରାରେ ଜୟନ୍ତପୁରର ଯୋଗମାୟା ଗ୍ରୁପ୍‌ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଏହି ଅବସରରେ ନୌସେନା ଅଧିକାରୀ ଋତୁରାଜ ସାହୁ, ବାଲୁଗାଁ ଏସ୍‌ଡିପିଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ।

ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀଙ୍କୁ ନେଇ ଏହି ନୌଚାଳନା ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଏଭଳି ପ୍ରତିଯୋଗିତା ଅନୁଷ୍ଠିତ ହେଲେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଭିତରେ ଉତ୍ସାହ ସୁଷ୍ଟି ହେବ ବୋଲି ବାଲୁଗାଁ ଏସ୍‌ଡିପିଓ କହିଥିଲେ।

Comment