ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ମେଳାମାନଙ୍କରେ ଲୋକଙ୍କ ଆବଶ୍ୟକତାକୁ ଦେଖି ବିଭନ୍ନ ପ୍ରକାର ଦୋକାନ ବଜାର ପଡ଼ିଥାଏ। ଖାସ୍‌କରି ଘରକରଣା ଜିନିଷ ଉପରେ ସବୁଠୁ ଅଧିକ ଚାହିଦା ରହିଥାଏ। ସେହିପରି ଚଳିତ ବର୍ଷ କଟକ ଐତିହାସିକ ବାଲିଯାତ୍ରାରେ କାଇଁଚରେ ତିଆରି ବିଭିନ୍ନ ସୁନ୍ଦର ସୁନ୍ଦର ଘରକରଣା ଜିନିଷ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛି।

କାଇଁଚରେ ତିଆରି ମାଣ, ଫୁଲ ଡାଲା, ଭୋଗ ଡାଲା, କୁଲା, ପେଡ଼ି, ଫୁଲ ଷ୍ଟାଣ୍ଡ ଆଦି ଅନେକ ଘରକରଣା ଜିନିଷ ତିଆରି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା କପିଳେଶ୍ୱର ବ୍ଲକ ଜଝାଙ୍ଗର ମହାକାଳୀ ସ୍ୱୟଂ ସହାୟକ ଗୋଷ୍ଠୀ।

ଏହି ସ୍ୱଂୟ ସହାୟକ ଗୋଷ୍ଠୀ ବାଲିଯାତ୍ରାରେ ନିଜର ଷ୍ଟଲ ପକାଇ ହାତ ତିଆରି ଜିନିଷ ଲୋକଙ୍କୁ ବିକ୍ରି କରୁଛି। ସନ୍ଧ୍ୟା ହେବା କ୍ଷଣି ଓରମାସ୍‌ ଦ୍ୱାରା ପଡ଼ିଥିବା ପଲ୍ଲିଶ୍ରୀ ମେଳାରେ ସମସ୍ତ ଷ୍ଟଲମାନଙ୍କ ମଧ୍ୟରୁ ଏହି କାଇଁଚ ତିଆରି ଜିନଷ ପାଖରେ ସବୁଠୁ ଅଧିକ ଭିଡ଼ ଦେଖିବାକୁ ମିଳିଛି।

ଏହି କାଇଁଚ ତିଆରି ଜିନିଷଗୁଡ଼ିକର ଦାମ ୧୦ ଟଙ୍କାର ଆରମ୍ଭ ହୋଇ ୫ ଶହ, ୧ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

‘‘ଅଷାଢ ଏବଂ ଶ୍ରାବଣ ମାସରେ ବିଲରେ କାଇଁଚ ଚାଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କାଇଁଚ ସଂଗ୍ରହ କରନ୍ତି। ସେହି କାଇଁଚକୁ ଶୁଖିଗଲା ପରେ ଏହା ସୁନା ପରି ଦେଖାଯାଏ। ଯାହାକୁ ଗୋଲ୍ଡେନ ଗ୍ରାସ ମଧ୍ୟ କୁହାଯାଏ। କାଇଁଚ ଶୁଖିଗଲା ପରେ ମହିଳାମାନେ ଏଥିରେ ବିଭିନ୍ନ ପ୍ରକାରର ଜିନିଷ ତିଆରି କରନ୍ତି‘‘, କହିଛନ୍ତି ଗୋଷ୍ଠୀର ସଂପାଦକ ସ୍ୱର୍ଣ୍ଣପ୍ରଭା ସ୍ୱାଇଁ।

କାଇଁଚ ଶିଳ୍ପ ବିକାଶ ପାଇଁ ଏବେ ରାଜ୍ୟ ସରକାର ମଧ୍ୟ ସାହାଯ୍ୟ କରୁଛନ୍ତି। ଏହି ମହିଳାମାନେ ଏବେ ଏହି ଜିନିଷକୁ ରାଜ୍ୟ ସମେତ ରାଜ୍ୟ ବାହାରକୁ ବି ପଠାଇ ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି।

Comment