ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଵାମୀଙ୍କ ଦ୍ଵିତୀୟ ବିବାହକୁ ଗ୍ରହଣ କରିପାରୁନଥିଲେ ପ୍ରଥମ ସ୍ତ୍ରୀ। ୩ଟି ସନ୍ତାନର ବାପା ପୁଣି କାହିଁକି ଦ୍ଵିତୀୟ ବିବାହ କରିବାକୁ ଚାହୁଁଛନ୍ତି ବୋଲି ବାରମ୍ବାର ସ୍ଵାମୀଙ୍କ ସହ କରୁଥିଲେ ଝଗଡ଼ା। ସ୍ତ୍ରୀ କଥା ନମାନି ସ୍ଵାମୀ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଶେଷରେ ଦ୍ଵିତୀୟ ସ୍ତ୍ରୀ ସହିତ ମିଶି ପ୍ରଥମ ସ୍ତ୍ରୀ ମିନା ମଳିକଙ୍କୁ କଟୁରୀରେ ହାଣି ହତ୍ୟା କଲେ ଗୋବର୍ଦ୍ଧନ ମଳିକ ଓ ରଶ୍ମିତା ମଳିକ। ଏପରି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଗଜରାଜପୁର ଗାଁରେ।

୨୦୧୫ ମସିହା ଡିସେମ୍ବର ୧୦ ତାରିଖରେ ନିଜ ସ୍ତ୍ରୀ ମିନା ମଳିକଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲେ ସ୍ଵାମୀ ଗୋବର୍ଦ୍ଧନ ମଳିକ ଓ ଦ୍ଵିତୀୟ ସ୍ତ୍ରୀ ରଶ୍ମିତା। ନିଜର ୩ଟି ପୁଅ ଝିଅ ଥାଉଥାଉ ଆଉ ଜଣେ ମହିଳାଙ୍କ ସହ  ପ୍ରେମ ସମ୍ପର୍କକୁ ସହଜରେ ଗ୍ରହଣ କରୁନଥିଲେ ମିନା। ସ୍ତ୍ରୀ ମିନାଙ୍କ ବାରଣ ସତ୍ତ୍ଵେ ଗୋବର୍ଦ୍ଧନ ଆଳି ଥାନା ଅନ୍ତର୍ଗତ ମୃଗନୟନୀ ଗାଁର ରଶ୍ମିତା ମଳିକଙ୍କୁ ପ୍ରେମ ବିବାହ କରି ଘରକୁ ଆଣିବାପରେ ଘରେ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ସବୁଦିନ ଲଢେଇ ଲାଗୁଥିଲା।

ଦ୍ଵିତୀୟ ପତ୍ନୀର ଚାପରେ ଗୋବର୍ଦ୍ଧନ ପ୍ରଥମ ସ୍ତ୍ରୀ ମିନାଙ୍କୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା। ଗତ ୨୦୧୫ ଡିସେମ୍ବର ୧୦ ତାରିଖ ସକାଳେ ଉଭୟ ସ୍ଵାମୀ ଓ ସଉତୁଣିଙ୍କ ସହିତ କଳି ଝଗଡା ହେବା ବେଳେ ମିନାଙ୍କୁ ଗୋବର୍ଦ୍ଧନ ଓ ରଶ୍ମିତା ଘର ଭିତରେ ଗୋଡେଇ ଗୋଡେଇ ହାଣି ହତ୍ୟା କରିଥିଲେ। ଯାହାକୁ ଗୋବର୍ଦ୍ଧନର ଝିଅ ଓ ପୁଅ ମାନେ ଦେଖିଥିଲେ।

ପରେ ରାଜକନିକା ଥାନା ଇନ୍ସପେକ୍ଟର ସନ୍ଧ୍ୟାରାଣୀ ବେଉରିଆ ଆଳି ଥାନା ମୃଗନୟନୀ ଗାଁରୁ ଉଭୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲେ। ମାମଲାର ବିଚାର ଆଜି ଶେଷ ହୋଇଛି। ଗୋବର୍ଦ୍ଧନର ଦୁଇ ଝିଅ ଓ ପଡୋଶୀଙ୍କ ସାକ୍ଷୀ ଗ୍ରହଣ କରି କେନ୍ଦ୍ରାପଡ଼ା ଜିଲ୍ଲା ଦୌରଜଜ୍ ଏହି ମାମଲାରେ ଉଭୟ ଅଭିଯୁକ୍ତ ଗୋବର୍ଦ୍ଧନ ଓ ତା’ର ଦ୍ଵିତୀୟ ସ୍ତ୍ରୀ ରଶ୍ମିତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ଉଭୟଙ୍କୁ ଆଜୀବନ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଉଭୟଙ୍କଠାରୁ ୨୦ ହଜାର ଲେଖାଏଁ ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଦୌରଜଜ୍।

Comment