ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରେମ ପାଇଁ ବନ୍ଧୁକ ଛାଡ଼ିଲେ ଦୁଇ ମାଓବାଦୀ ଜଲି ଦେହୁରୀ ଓ ଛୋଟୁ ଗଞ୍ଜୁ। ପ୍ରେମ ପାଇଁ ଦୁହେଁ ମାଓ ସଙ୍ଗଠନ ଛାଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଟିକରପଡ଼ା ପଞ୍ଚାୟତରେ। ପ୍ରେମ ଲାଗି ମାଓବାଦୀ ସଙ୍ଗଠନ ଛାଡ଼ି ବିବାହ କରିଛନ୍ତି ପ୍ରେମୀଯୁଗଳ।

ଅନୁଗୁଳ ଜିଲ୍ଲା ଟିକରପଡ଼ା ପଞ୍ଚାୟତର ମଝିପଡ଼ା ଗ୍ରାମର ହେଉଛନ୍ତି ଜଲି ଦେହୁରୀ। ମାଓ ଓ ସଙ୍ଗଠନ ସଦସ୍ୟଙ୍କ ସଂସ୍ପର୍ଶରେ ଆସି ମାତ୍ର ୧୮ ବର୍ଷ ବୟସରେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ। ଏଥିପାଇଁ ସେ ଘର ଛାଡ଼ି ଦେଇଥିଲେ। ସେଠାରେ ସେ ମାଓ ପ୍ରଶିକ୍ଷଣ ବେଳେ ଛୋଟୁ ଗଞ୍ଜୁଙ୍କ ପ୍ରେମରେ ପଡ଼ିଥିଲେ। ଛୋଟୁଙ୍କ ଘର ଝାଡ଼ଖଣ୍ଡ ରାଞ୍ଚି ଜିଲ୍ଲାର ସିରମ ଗ୍ରାମରେ।

ଦୁହେଁ ବିବାହ କରିବା ପାଇଁ ସ୍ଥିର କରିଥିଲେ। ହେଲେ ଦୁହିଁଙ୍କର ପ୍ରେମ ସମ୍ପର୍କକୁ ମାଓ ସଙ୍ଗଠନ ସମର୍ଥ କରି ନଥିଲେ। ତେଣୁ ସେମାନେ ବିବାହ କରିବା ପାଇଁ ମାଓ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତି ନେଇଥିଲେ। ଉଭୟ ଲୁଚି ପଳାଇ ଆସି ପୋଲିସ ଆଗରେ ଆତ୍ମ ସମର୍ପଣ କରିଥିଲେ। ବୁଧବାର ଦୁହିଁଙ୍କ ପରିବାର ଲୋକଙ୍କ ସହମତିରେ ମଝିପଡ଼ା ବମ୍ପେଶ୍ୱର ଶିବ ମନ୍ଦିରରେ ପାରମ୍ପାରିକ ରୀତିନୀତିରେ ବିବାହ କରିଥିଲେ। ଏହି ବିବାହକୁ ଦେଖିବା ପାଇଁ ଗାଁରେ ଶହ ଶହ ଲୋକଙ୍କ ଭିଡ଼ ଲାଗିଥିଲା।

Comment