ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାତାରାତି ମହାରାଷ୍ଟ୍ର ରାଜନୀତିକୁ ପଲଟେଇ ଦେଇଥିବା ଅଜିତ ପାୱାର କିଏ? ଏହି ପଟ ପରିବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅଜିତ ହେଉଛନ୍ତି ଏନସିପିର ଅଧ୍ୟକ୍ଷ ଶରଦ ପାୱାରଙ୍କ ପୁତୁରା। ଦାଦାଙ୍କ ପାଖ ପାଖରେ ରହି ଅଜିତ ୧୯୮୦ ଦଶକରେ ପ୍ରଥମେ ରାଜନୀତିରେ ଏଣ୍ଟ୍ରି ମାରିଥିଲେ। ବାରାମତି ନିର୍ବାଚନ ମଣ୍ଡଳୀରୁ ସେ ୭ ଥର ବିଧାୟକ ରହିଆସିଛନ୍ତି।

ଆଜି ଶପଥ ଗ୍ରହଣ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଅଜିତ ପାୱାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅଜିତ ନିଜେ ଆଗରୁ ଉପମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି।

ଜୁଲାଇ ୨୨, ୧୯୫୯କୁ ଜନ୍ମ ଦିନ ପାଳନ କରୁଥିବା ଅଜିତଙ୍କ ଜନ୍ମ ଅହ୍ମଦନଗରରେ ହୋଇଥିଲା। ତାଙ୍କ ବାପା ଅନନ୍ତରାଓ ପାୱାର ହେଉଛନ୍ତି ଶରଦ ପାୱାରଙ୍କ ବଡ଼ ଭାଇ। ଚିନି କଳ ସମବାୟ ସମିତିର ଅଧ୍ୟକ୍ଷ ଭାବେ ଅଜିତ୍‌ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରନ୍ତି। ଏହି ପଦରେ ସେ ୧୬ ବର୍ଷ ରହିଥିଲେ। ସେ ବାରାମତି ଲୋକସଭା ଆସନରୁ ଥରେ ଜିତିଥିଲେ। ବାରାମତି ହେଉଛି ପାୱାର ପରିବାରର ଖାନ୍ଦାନୀ ଆସନ। ଉଭୟ ଦାଦା ଓ ପୁତୁରା ମିଶି ଏହି ବିଧାନସଭା ଓ ଲୋକସଭା ଆସନକୁ ନିଜ କବ୍‌ଜାରେ ରଖିଛନ୍ତି।

୨୦୧୦ରେ କଂଗ୍ରେସ ଏନସିପି ସରକାରରେ ଅଜିତ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ନିଜ ସମର୍ଥକ ଓ ଭୋଟର୍‌ଙ୍କ ନିକଟରେ ସେ ଦାଦା ବୋଲି ପରିଚିତ ହୁଅନ୍ତି। ୨୦୧୨ରେ ଏକ ଘୋଟାଲାରେ ତାଙ୍କ ନାଁ ଆସିଥିଲା। ତାଙ୍କ ଦଳ କ୍ଲିନ ଚିଟ୍‌ ଦେବା ପରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଚାଲିଥିଲେ। ତା’ ଛଡ଼ା ୧୫୦୦ କୋଟି ଟଙ୍କାର ଜଳସେଚନ ସ୍କାମରେ ବି ସେ ଅଭିଯୁକ୍ତ ଥିବା କୁହାଯାଉଛି।

ଅଜିତ ପାୱାର ତାଙ୍କର କେତୋଟି ବିବାଦୀୟ ମନ୍ତବ୍ୟ ନେଇ ବି ଚର୍ଚ୍ଚାକୁ ଆସିଛନ୍ତି। ୨୦୧୩ ଏପ୍ରିଲ ୧୩ ତାରିଖରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ କହିଥିଲେ ଯଦି କେନାଲରେ ପାଣି ନ ଆସୁଛି ଆମେ କ’ଣ ସେଥିରେ ପରିସ୍ରା କରିବା? ଏ ନେଇ ତାଙ୍କୁ ସର୍ବସାଧାରଣଙ୍କ ଆଗରେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଥିଲା ଓ ନିଜେ ସେ ଏହାକୁ ଜୀବନର ଏକ ମସ୍ତବଡ଼ ଭୁଲ ବୋଲି କହିଥିଲେ। ସେହିଭଳି ଦାଦା ଝିଅ ଭଉଣୀ ସୁପ୍ରିୟା ସୁଲେଙ୍କୁ ଭୋଟ ନଦେଲେ ସେହି ଗାଁକୁ ବିଜୁଳି ପାଣି କନେକ୍ସନ କାଟି ଦିଆଯିବ ବୋଲି ଆଉ ଏକ ବିବାଦୀୟ ମନ୍ତବ୍ୟ ସେ ଦେଇଥିଲେ। ନିର୍ବାଚନ ସମୟରେ ଆଚରଣ ସଂହିତାର ଉଲ୍ଲଂଘନ ଅଭିଯୋଗ ବି ତାଙ୍କ ନାମରେ ଆସିଛି।

Comment