ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲା ଆଜିଠାରୁ ଆପଣଙ୍କ ହାତ ମୁଠାରେ। କ୍ଷଣିକ ମଧ୍ୟରେ ଲୋକେ ନିଜ ମୋବାଇଲରେ ପାଇପାରିବେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସରକାରୀ ତଥ୍ୟ, ପର୍ବ ପର୍ବାଣୀ, ଉତ୍ସବ, ମହୋତ୍ସବ, ଐତିହ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା। ଏନେଇ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା “ମୋ କେନ୍ଦ୍ରାପଡା” ନାମକ ଏକ ଆପ୍ ଉନ୍ମୋଚନ କରିଛନ୍ତି।

ଏଣିକି ଲୋକମାନଙ୍କୁ ଆଉ ଆର୍‌ଟିଆଇରେ ତଥ୍ୟ ମାଗି ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବନି। ଆପଣ ନିଜର ଆଣ୍ଡ୍ରୋଏଡ୍ ମୋବାଇଲର ପ୍ଲେ ଷ୍ଟୋରରୁ “ମୋ କେନ୍ଦ୍ରାପଡା” ଆପ୍ ଡାଉନଲୋଡ କରି ଏସବୁ ଦେଖିପାରିବେ। ଯେଉଁଥିରେ ଜିଲ୍ଲାର ସମସ୍ତ ସୂଚନା ମିଳି ପାରିବ। ଶିକ୍ଷା, ସ୍ଵାସ୍ଥ୍ୟ, ପରିବହନ, ରାଜସ୍ଵ, ପର୍ଯ୍ୟଟନ ବିଭାଗ ଭଳି ସବୁ ବିଭାଗର ତଥ୍ୟ ଏହି ଆପ୍‌ରୁ ମିଳିବ।

ଜିଲ୍ଲାରେ ହେବାକୁ ଥିବା ଉତ୍ସବ, ସଭା ସମିତି, ଜାନିଯାତ୍ରା, ଐତିହ୍ୟ, ପରମ୍ପରା, ହସ୍ତକଳା, କଳା ଓ କଳାକାର, ବଳଦେବଜୀଉଙ୍କ ପ୍ରସିଦ୍ଧ ଭୋଗ ରସାବଳୀ, ପୁଟୁଳୀ ପିଠା, ମଗଜଲଡୁ ଆଦିର ଇତିହାସ ଓ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଏଠାରେ ମିଳିପାରିବ। ଏହାସହ ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ବିଶେଷକରି କଳାକାର ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, ଗ୍ରାମ୍ୟ ଗୃହ ନିର୍ମାଣ ଆଦିର ହିତାଧିକାରୀଙ୍କ ତାଲିକା ମଧ୍ୟ ମିଳିବପାରିବ।

ଏଣିକି ସରକାରଙ୍କ ଶିକ୍ଷା, ସ୍ଵାସ୍ଥ୍ୟ, ବ୍ଲକ ଓ ତହସିଲର କର୍ମଚାରୀମାନଙ୍କ ଛୁଟି ଆଗୁଆ ଜାଣି ପାରିବେ ଜନସାଧାରଣ। କାରଣ ଏହି ବିଭାଗରେ ଜନସାଧାରଣଙ୍କର ଦୈନିକ ଅଧିକ କାର୍ଯ୍ୟ ରହିଥାଏ। ଏଣିକି ସରକାରୀ କର୍ମଚାରୀମାନେ ଛୁଟିରେ ରହିବାକୁ ହେଲେ ନିଜନିଜ ବିଭାଗ ଜରିଆରେ ଏହି ଆପ୍‌ରେ ନିଜର ଛୁଟି ସମ୍ପର୍କରେ ତଥ୍ୟ ଅପଲୋଡ କରିବେ।

ସରକାରଙ୍କ 5T ଯୋଜନାରେ ଜିଲ୍ଲାରେ ଯାହା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ହାତକୁ ନେଇଛନ୍ତି ତାହାର ତଥ୍ୟ ଏହି ଆପ୍‌ରୁ ମିଳିପାରିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏପରିକି ଜନସାଧାରଣ ନିଜନିଜ ଅଞ୍ଚଳର ସରକାରୀ ବିଭାଗରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଜିଲ୍ଲା ପ୍ରଶାସନର ନଜରକୁ ଆଣି ପାରିବାର ସୁଯୋଗ ଦିଆଯାଇଛି ଏହି ଆପ୍ ମାଧ୍ୟମରେ।

କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟରେ ଏହି ଆପ୍ ଉନ୍ମୋଚନ ସମୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ପରିଡା, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଏନଆଇସିର ଏସଆଇ ସମ୍ବିତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ-ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Comment