ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବଦଳୁଥିବା ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ଅତ୍ୟଧିକ ମାଦକଦ୍ରବ୍ୟ ସେବନ ଯୋଗୁଁ ରାୟଗଡ଼ାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ୍ୟାନ୍‌ସର ରୋଗର ନିରୂପଣ ବ୍ୟବସ୍ଥା।

କ୍ୟାନସର ରୋଗ ନିରୂପଣ ସକାଶେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୌଣସି ପ୍ରକାର ବ୍ୟବସ୍ଥା ହୋଇନାହିଁ। ରୋଗୀଙ୍କ ଉପଚାର ନିମନ୍ତେ ବେଡ୍‌ ରହିଥିବାବେଳେ କେମୋ ଥେରାପି ପାଇଁ ପ୍ରଶିକ୍ଷିତ ଡାକ୍ତର ନାହାନ୍ତି। ଜିଲ୍ଲାରେ କ୍ୟାନସର ରୋଗୀଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ଓ କଟକ ଏସ୍‌ସିବି ମେଡିକାଲ କଲେଜକୁ ସ୍ଥାନାନ୍ତରଣ କରି ସେଠାରେ ପରୀକ୍ଷା କରାଯାଉଛି।

୨୦୧୮ ମସିହା ଜାନୁଆରି ୨୫ତାରିଖରୁ କ୍ୟାନସର ରୋଗୀଙ୍କ ସକାଶେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ବେଡ୍‌ ବ୍ୟବସ୍ଥା କରାଯାଇ ଜିଲ୍ଲାରୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା କ୍ୟାନସର ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯାଉଥିବା ଜଣାଯାଇଛି।

ଜାନୁଆରି ୧୮ଠାରୁ ଅଦ୍ୟାବଧି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪୬ ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ଚିକିତ୍ସାଳୟରେ କ୍ୟାନସର ରୋଗ ନିରୂପଣ ସକାଶେ ସ୍ୱତନ୍ତ୍ର ବ୍ୟବସ୍ଥା ନ ଥିବାରୁ ଉପରୋକ୍ତ ସଂଖ୍ୟା କେବଳ ନାମମାତ୍ର। ଜିଲ୍ଲାରେ ମୋଟ ଚିକିତ୍ସିତ କ୍ୟାନସର ରୋଗୀଙ୍କ ସଂଖ୍ୟାଠାରୁ ଏହା ବହୁଗୁଣା ବୋଲି ଜଣାଯାଇଛି। ଜିଲ୍ଲାରେ କ୍ୟାନସର ଏକ ପ୍ରକାର କାୟା ମେଲାଉ ଥିବାବେଳେ ଜିଲ୍ଲା ଚିକିତ୍ସାଳୟରେ ଉକ୍ତ ରୋଗ ନିରୂପଣ ଓ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ ଜରୁରୀ ହୋଇପଡ଼ିଥିବା ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

Comment