ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ମଙ୍ଗଳବାର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗିର କଳାକାରମାନେ ପ୍ରସିଦ୍ଧ ‘ଘୁଡ଼ୁକି’ ନୃତ୍ୟର ପରିବେଷଣ କରିଥିଲେ। ସେହିପରି ସମ୍ବଲପୁର କଳାକାରମାନଙ୍କ ଦ୍ଵାରା ପରିବେଷିତ ସମ୍ବଲପୁରୀ ଲୋକନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା।

ଓଡ଼ିଶାର ଲୋକକଳାକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ପ୍ରତି ମାସରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଓଡ଼ିଆ ଲୋକକଳାକାରମାନଙ୍କୁ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ।

ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ବଲାଙ୍ଗିର ଜିଲ୍ଲାରୁ ଆସିଥିବା ଲୋକକଳାକାରମାନେ ପ୍ରସିଦ୍ଧ ଘୁଡୁକି ନୃତ୍ୟ ପ୍ରଦର୍ଶନ କରିଥିଲେ। ବଲାଙ୍ଗିର ଜିଲ୍ଲାର ଏହି ପ୍ରସିଦ୍ଧ ଲୋକକଳା ନୃତ୍ୟରେ ଦର୍ଶକ ବେଶ୍‌ ବିଭୋର ହୋଇଥିଲେ।

ପରେ ମଞ୍ଚକୁ ଆସିଥିଲେ ସମ୍ବଲପୁରରୁ ଆସିଥିବା କଳାକାରମାନେ। ସେମାନେ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିଥିଲେ। ଦର୍ଶକମାନେ ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ଝୁମିଥିଲେ।

‘‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତି ମାସରେ ଆୟୋଜିତ ହେଉଥିବା ‘ଆମ ଲୋକକଳା, ଆମ ସଂସ୍କୃତି’ର ଏହା ହେଉଛି ସପ୍ତମ କାର୍ଯ୍ୟକ୍ରମ। ଓଡ଼ିଶାର କୋଣ ଅନୁକୋଣରେ ରହିଥିବା ବିବିଧ କଳାକୁ ସମସ୍ତଙ୍କ ସମ୍ନାରେ ପରିବେଷଣ କରିବା ହେଉଛି ବିଭାଗର ଲକ୍ଷ୍ୟ। ଓଡ଼ିଶାରେ ୪୭୧ ଲୋକକଳା ସଂଘ ରହିଛି, ଯାହା ସମଗ୍ର ଭାରତ ବର୍ଷରେ ବିରଳ। ସରକାର ଆମ ଲୋକକଳା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ଥିବା ଲୋକକଳାକୁ ଜୀବିତ ରଖିବା ସହିତ ଲୋକ କଳାକାରଙ୍କ ଜୀବିକା ନିର୍ବାହ କରିବାରେ ସହାୟକ ହେଉଛନ୍ତି”, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ ଏବଂ ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

Comment