ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଢ଼ିବ ମହା ବିକାଶ ଅଘାଡ଼ି ମେଣ୍ଟ। ଶିବସେନା, ଏନସିପି ଓ କଂଗ୍ରେସ ଦଳ ଏକାଠି ହୋଇ ରାଜ୍ୟରେ ମେଣ୍ଟ ସରକାରର ଗଠନ କରିବେ। ଯାହାର ନେତୃତ୍ୱ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ।
ତେବେ ମହାରାଷ୍ଟ୍ରରେ ଏହି ତିନି ଭାଗୁଆଳୀ ମେଣ୍ଟ ସରକାର କେତେ ଦିନ ତିଷ୍ଠିବ ଏବେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭିନ୍ନ ଭିନ୍ନ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ତିନି ଦଳ କେତେ ଦିନ ସରକାର ଚଳାଇପାରିବେ ଆଉ ସରକାର ଚଲାଇବା ପାଇଁ କେଉଁ ଫର୍ମୁଲା ଆପଣେଇବେ ତାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ଯଦି ସରକାର ଗଠନରେ ତିନି ଦଳ ମଧ୍ୟରେ ବୁଝାମଣା ଠିକ୍ ନହେଇପାରେ ତେବେ ରାଜ୍ୟରେ ସରକାର ଭାଙ୍ଗି ଯିବାର ମଧ୍ୟ ଆଶଙ୍କା ରହିଛି। ପୂର୍ବରୁ ମଧ୍ୟ ଏହାର ଉଦାହରଣ ବିହାର ରାଜନୀତିରେ ଦେଖିବାକୁ ମିଳିଛି।
ବିହାରରେ ଭାଙ୍ଗିଛି ତିନି ଭାଗୁଆଳୀ ମେଣ୍ଟ ସରକାର
ବିହାରରେ ତିନି ଭିନ୍ନ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଆରଜେଡି, ଜେଡିୟୁ ଓ କଂଗ୍ରେସ ଦଳ ୨୦୧୫ରେ ସରକାର ଗଠନ କରିଥିଲେ। ଏହି ମହାମେଣ୍ଟର ମୁଖ୍ୟଭାବେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ମାତ୍ର ଦୁଇ ବର୍ଷ ଭିତରେ ଭାଙ୍ଗିଯାଇଥିଲା ତିନି ଭାଗୁଆଳୀରେ ଗଢ଼ାହୋଇଥିବା ଏହି ମହାମେଣ୍ଟ ସରକାର। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନୀତିଶ କୁମାର।

ଏହି କଥାକୁ ଯଦି ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତି ସହ ତୁଳନା କରାଯାଏ ତେବେ ଭିନ୍ନ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଶିବସେନା, ଏନସିପି ଓ କଂଗ୍ରେସ ଏକାଠି ହୋଇ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି। ତେବେ ତିନି ଭାଗୁଆଳୀ ସରକାର ବହୁ ଦିନ ତିଷ୍ଠିବନି ବୋଲି ରାଜନୀତି ବିଶେଷଜ୍ଞମାନେ କହୁଛନ୍ତି।
ବିହାରର ଜେଡିୟୁ + ଆରଜେଡି + କଂଗ୍ରେସ ସରକାର
୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ କରିଥିଲା ଏନଡିଏ ସରକାର। ସେହି ସମୟରେ ମୋଦିଙ୍କ ନେତୃତ୍ୱକୁ ବିରୋଧ କରି ଏନଡିଏରୁ ବାହାରି ଆସିଥିଲେ ଜେଡିୟୁ ନେତା ନୀତିଶ କୁମାର। ସାରା ଭାରତ ବର୍ଷରେ ସରକାର ଗଠନର ସ୍ୱପ୍ନ ଦେଖୁଥିବା ଏନଡିଏ ପାଇଁ ବିହାରରେ ସରକାର ଗଠନର କଣ୍ଟା ସାଜିଥିଲେ ନୀତିଶ କୁମାର। ୨୦୧୫ ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ବ୍ରେକ୍ ଦେବା ପାଇଁ ନୀତିଶ କୁମାରଙ୍କ ଦଳ ଜେଡିୟୁ, ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଓ କଂଗ୍ରେସ ସହ ମିଶି ଗଠନ କରିଥିଲେ ମହାମେଣ୍ଟ।

୨୦୧୫ ବିହାର ନିର୍ବାଚନରେ ବିଜେପିକୁ ପରାଜୟର ଶୀକାର କରିବାକୁ ପଡ଼ିଥିଲା। ମହାମେଣ୍ଟ ବିଧାନସଭାର ୨୪୩ଟି ଆସନରୁ ମୋଟ୍ ୧୭୮ଟି ଆସନରେ ଜିତି ନୀତିଶ କୁମାରଙ୍କ ନେତୃତ୍ୱରେ ରାଜ୍ୟରେ ସରକାର ଗଠନ କରିଥିଲା। ହେଲେ ସରକାର ଚଳାଇବାକୁ ତିନି ଦଳ ଭିତରେ ବୁଝାମଣାର ଘୋର ଅଭାବ ଦେଖିବାକୁ ମିଳିଲା। ମହାମେଣ୍ଟ ଗଠନ ହେବାର ୨ବର୍ଷ ନହେଉଣୁ ତିନି ଦଳ ଭିତରେ ଅନେକ ବାଦ ବିବାଦ ଉଙ୍କି ମାରିସାରିଥିଲା।

୨୦୧୭ ମସିହାରେ ନୀତିଶଙ୍କ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଥିବା ଲାଲୁ ଯାଦବଙ୍କ ପୁଅ ତେଜ୍ୱସୀ ଯାଦବଙ୍କ ବିରୋଧରେ ସିବିଆଇ ଦୁର୍ନୀତି ଅଭିଯୋଗ ଆଣିଥିଲା। ଏହାପରେ ନିଜର ସ୍ୱଚ୍ଛଳ ଭାବମୂର୍ତ୍ତି ରଖିବା ପାଇଁ ନୀତିଶ କୁମାର ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲେ। ତେବେ ଏଥିରେ ତେଜ୍ୱସୀ ଯାଦବ ରାଜି ହୋଇନଥିଲେ, ଫଳରେ ୨୬ ଜୁଲାଇ ୨୦୧୭ରେ ମହାମେଣ୍ଟ ସରକାର ମୁଖ୍ୟମନ୍ତ୍ରୀ ପଦରୁ ନିଜେ ଇସ୍ତଫା ଦେଇଥିଲେ ନୀତିଶ କୁମାର। ମାତ୍ର ଦୁଇ ବର୍ଷ ଭିତରେ ଭାଙ୍ଗିଯାଇଥିଲା ତିନି ଦଳର ଭାଗୁଆଳୀ ମହାମେଣ୍ଟ ସରକାର।

ଏହାପରେ ନୀତିଶ ତା’ପରଦିନ ତାଙ୍କର ୭୦ ଜେଡିୟୁ ବିଧାୟକ ଓ ୫୩ ଜଣ ବିଜେପି ବିଧାୟକଙ୍କୁ ନେଇ ବିହାରରେ ସରକାର ଗଠନ କରିଥିଲେ। ଦୁଇ ବର୍ଷ ପୂର୍ବେ ଏନଡିଏ ସରକାରକୁ ଗୋଇଠା ମାରିଥିବା ନୀତିଶ କୁମାର ପୁଣିଥିରେ ଏନଡିଏ ପାଖକୁ ଫେରିଥିଲେ। ବିହାରରେ ଗଠନ ହୋଇଥିଲା ବିଜେପି ସମର୍ଥିତ ସରକାର ଏବଂ ଏହାର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର।

ବର୍ତ୍ତମାନ ମହାରାଷ୍ଟ୍ରରେ ମଧ୍ୟ ସମାନ ଢଙ୍ଗରେ ବିଜେପିଠାରୁ ଅଲଗା ହୋଇ ଶିବସେନା ଭିନ୍ନ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଏନସିପି ଓ କଂଗ୍ରେସ ସହ ସରକାର ଗଠନ କରିବାକୁ ଯାଉଛି। ଏହି ମହା ବିକାଶ ଅଘାଡ଼ି ମେଣ୍ଟ ରାଜ୍ୟରେ କେତେଦିନ ସ୍ଥିର ସରକାର ଦେଇପାରୁଛି ଏବେ ତାହା ହିଁ ଦେଖିବାକୁ ବାକି ରହିଲା।


















