ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଦେଖାଯାଇଛି ଚାଷୀ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ନୁରୁଗାଁରେ। ମୃତ ଚାଷୀଙ୍କ ନାଁ ରାମଚନ୍ଦ୍ର ବାରିକ। ରାମଚନ୍ଦ୍ର ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଗତ କାଲି ରାମଚନ୍ଦ୍ର ବିଷପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ରାଜନଗର ଓ ପରେ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ବିଭିନ୍ନ ସ୍ଥାନରୁ ପ୍ରାୟ ଏକ ଲକ୍ଷରୁ ଅଧିକ ଟଙ୍କା ଧାର କରି ଧାନ ଚାଷରେ ଖର୍ଚ୍ଚ କରିଥିଲେ ରାମଚନ୍ଦ୍ର। ଗତ ଘୁର୍ଣ୍ଣି ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ରାମଚନ୍ଦ୍ରଙ୍କର ପ୍ରାୟ ୪ ଏକର ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ବୁଲ୍‌ବୁଲ୍‌ରେ ଉଜୁଡା ଧାନକ୍ଷେତର କରୁଣ ଚିତ୍ର ଦେଖି ଭାଙ୍ଗି ପଡିଥିଲେ ରାମଚନ୍ଦ୍ର। ଏହି ଚିନ୍ତାରେ ରାମଚନ୍ଦ୍ର ବୁଧବାର ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ରାମଚନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ସରକାର ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଅନ୍ତୁ ବୋଲି କୃଷକ ସଂଘ ପକ୍ଷରୁ ଦାବି କରାଯାଇଛି। କ୍ଷତିପୂରଣ ଦାବିକରି ତାଙ୍କ ପରିବାର ଓ ଗ୍ରାମବାସୀମାନେ ରାଜନଗରର ଗୋପାଳପୁର ରାସ୍ତାରେ ବସି ରହିଛନ୍ତି। ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଓ ରାଜନଗର ତହସିଲଦାର ପହଞ୍ଚି ମୃତ ଧାନଚାଷୀ ରାମଚନ୍ଦ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ଦେଇଛନ୍ତି।

ଏହାସହ ରାମଚନ୍ଦ୍ରଙ୍କ ପରିବାରକୁ ଏକ ବିଜୁ ପକ୍କାଘର ଓ ଧାନଚାଷର କ୍ଷୟକ୍ଷତି ଆକଳନ କରାଯାଇ ସରକାରୀ ସହାୟତା ଦିଆଯିବ ବୋଲି ପ୍ରଶାସନର ପ୍ରତିଶ୍ରୁତି ପରେ ଲୋକେ ଆନ୍ଦଳୋନରୁ ଓହରିଯାଇଥିଲେ। ରାସ୍ତା ଅବରୋଧ ହଟି ଯାଇଛି ।

Comment