ଓଡ଼ିଶାଲାଇଭ୍ ବ୍ୟୁରୋ

ବକେୟା ଦରମା ଓ ବୋନସ୍‌ ଦାବିରେ ମୈଥାନ କମ୍ପାନି ମୁଖ୍ୟଙ୍କ ମା’ ରୀତା ସିଂଙ୍କୁ ଅଟକ ରଖିଥିଲେ କର୍ମଚାରୀ।

ଯାଜପୁର ଜିଲ୍ଲା କଳିଙ୍ଗନଗରର ମୈଥାନ କମ୍ପାନିରେ ଶ୍ରମିକ ଅଶାନ୍ତି। ୧୦ ମାସର ବକେୟା ଦରମା ଏବଂ ୨ ବର୍ଷର ବୋନସ୍‌ ଦାବିରେ କର୍ମଚାରୀମାନେ କମ୍ପାନିର ମୁଖ୍ୟ ସିପ୍ରା ସିଂଙ୍କ ମା’ ରୀତା ସିଂଙ୍କୁ ୨୪ ଘଣ୍ଟା ଧରି ଏକ ପ୍ରକାର ଗୃହବନ୍ଦୀ କରି ରଖିଥିଲେ। ଜିଲ୍ଲା ପ୍ରଶାସନ ଏବଂ ପୋଲିସ ତାଙ୍କୁ ୨୪ ଘଣ୍ଟା ପରେ ଉଦ୍ଧାର କରିଛି। ପୋଲିସ କର୍ଡନ ମଧ୍ୟରେ ତାଙ୍କୁ କଳିଙ୍ଗନଗରରୁ ଭୁବନେଶ୍ୱରକୁ ଅଣାଯାଇଛି।

କଳିଙ୍ଗ ନଗର ଶିଳ୍ପାଞ୍ଚଳର ଜଖପୁରା ଥାନା ଅଞ୍ଚଳରେ ରହିଛି ‘ମୈଥାନ ଇସ୍ପାତ’ କାରଖାନା। ଏହି କାରଖାନରେ ଗତ ୧୦ ମାସ ହେଲା ଉତ୍ପାଦନ ବନ୍ଦ ରହିଛି। ଫଳରେ କର୍ମଚାରୀମାନେ ସେମାନଙ୍କ ଦରମା ପାଇ ନାହାନ୍ତି। ବକେୟା ଦରମା ଦେବା ପାଇଁ କର୍ମଚାରୀମାନେ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ବିଫଳ ହୋଇଥିଲେ।

ମଙ୍ଗଳବାର ଦିନ କମ୍ପାନି ମୁଖ୍ୟ ସିଂଙ୍କ ମା’ ରୀତା ସିଂ କଳିଙ୍ଗନଗର ଆସିଥିଲେ। ସେ କମ୍ପାନିର ଗେଷ୍ଟ ହାଉସ୍‌ରେ ରହିଥିଲେ। ଏହି ଖବର କର୍ମଚାରୀ ଓ ଶ୍ରମିକମାନଙ୍କ ପାଖରେ ପହଞ୍ଚିଥିଲା। ବକେୟା ଦରମା ଦାବିରେ କର୍ମଚାରୀମାନେ ଗେଷ୍ଟ ହାଉସ୍‌ ନିକଟକୁ ଆସିଥିଲେ।

ରୀତା ସିଂହ ଗେଷ୍ଟ ହାଉସ୍‌ ଭିତରେ ରହିଥିବା ବେଳେ ବହାରେ କର୍ମଚାରୀମାନେ ଧାରଣାରେ ବସିଥିଲେ। ଫଳରେ ରୀତା ବାହାରକୁ ଆସିପାରି ନଥିଲେ। ଗେଷ୍ଟ ହାଉସ୍‌ରେ ସେ ଏକ ପ୍ରକାର ଅଟକ ରହିଥିଲେ। କର୍ମଚାରୀଙ୍କ ଆନ୍ଦୋଳନରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ମଧ୍ୟ ସାମିଲ ହୋଇଥିଲେ।

ମଙ୍ଗଳବାର ଦିନ ୩ଟାରୁ ବୁଧବାର ସନ୍ଧ୍ୟା ୫ଟା ଯାଏଁ ସେହି ଗେଷ୍ଟ ହାଉସ୍‌ରେ ରୀତା ଅଟକ ରହିଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଯାଜପୁର ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଧାରଣାରତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ କର୍ମଚାରୀମାନେ ତାଙ୍କ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ ପୋଲିସ କର୍ଡନ ସହାୟତାରେ ରୀତାଙ୍କୁ ଉଦ୍ଧାର କରାଯାଇଥିଲା।

‘‘ମୁଁ କମ୍ପାନିର ଏମ୍‌ଡି ନୁହେଁ କି ଅଂଶୀଦାର ନୁହେଁ। ମୋ’ ଝିଅ ସିପ୍ରା ସିଂ ମୈଥାନ କମ୍ପାନିର ମୁଖ୍ୟ। ମତେ ଅଟକ ରଖିବା ସମ୍ପୂର୍ଣ୍ଣ ବେଆଇନ। ଆଗରୁ ଆମମାନଙ୍କୁ ସମ୍ମାନ ମିଳୁଥିଲା। ହେଲେ ଏବେ ସମୟ ପୂରା ବଦଳି ଯାଇଛି’’, ଉଦ୍ଧାର ହେବା ପରେ ଏହା କହିଛନ୍ତି ରୀତା ସିଂ।

ରୀତା ସିଂଙ୍କୁ ପୋଲିସ ଉଦ୍ଧାର କରୁଥିବା ବେଳେ କର୍ମଚାରୀମାନେ ବିରୋଧ କରିଥିଲେ। ରୀତାଙ୍କୁ ଆନ୍ଦୋଳରତ କର୍ମଚାରୀ ଘେରିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ସେମାନଙ୍କୁ ଅଟକ ରଖିଛି।

Comment