ଓଡ଼ିଶାଲାଇଭ ବ୍ୟୁରୋ

କାଳିଆ ଯୋଜନାରେ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଆଣିଛନ୍ତି। କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ୍ ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଗଲା ପରେ କୃଷି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନୂଆ ଗାଇଡଲାଇନ୍ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ନୂଆ ଗାଇଡଲାଇନ ଅନୁସାରେ ଚାଷୀଙ୍କୁ ଏବେ ୧୬ ହଜାର ବଦଳରେ ବର୍ଷକୁ ୧୦ ହଜାର ଟଙ୍କା ମିଳିବ। ଯେଉଁଥିରେ କେନ୍ଦ୍ର ସରକାର ୬ ହଜାର ଟଙ୍କା ଓ ରାଜ୍ୟ ସରକାର ୪ ହଜାର ଟଙ୍କା ଦେବେ।

ପିଏମ୍ କିଷାନ ଯୋଜନାରେ ଭୂମିହୀନମାନଙ୍କ ପାଇଁ କୌଣସି ଯୋଜନା ନାହିଁ। ତେଣୁ ରାଜ୍ୟ ସରକାର କାଳିଆ ଯୋଜନାରେ ଭୂମୀହୀନ ଚାଷୀମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଦେବେ। ସେହିପରି କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ନଥିବା ବଡ଼ଚାଷୀଙ୍କୁ ପିଏମ୍ କିଷାନ୍ ଯୋଜନା ଆଧାରରେ ବର୍ଷକୁ ୬ ହଜାର ଟଙ୍କା ଦିଆଯିବ।

ନୂଆ ଗାଇଡଲାଇନ୍ ଅନୁଯାୟୀ ଚାଷୀଙ୍କୁ ଏହି ଟଙ୍କା ୨୦୨୦-୨୧ ଆର୍ଥିକ ବର୍ଷରୁ ଚାଷୀଙ୍କୁ ପ୍ରଦାନ କରାଯିବ।

ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ। ଯେଉଁଥିରେ ରାଜ୍ୟର ଚାଷୀମାନଙ୍କୁ କିସ୍ତି ଆକାରରେ ବର୍ଷକୁ ୧୦ ହଜାର ଟଙ୍କା ଦିଆଯାଉଥିଲେ। ସେହିପରି କେନ୍ଦ୍ରରେ ମଧ୍ୟ ପିଏମ୍ କିଷାନ୍ ଯୋଜନା ଆରମ୍ଭ କରାଯାଇଥିଲା। ଏଥିରେ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦିଆଯାଉଥିଲା। କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ୍ ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଏଣିକି ରାଜ୍ୟରେ ମିଶିକି କାର୍ଯ୍ୟକାରୀ ହେବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ନିକଟରେ ସୂଚନା ଦେଇଥିଲେ।

Comment