ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଲରୁ ପିଲାଙ୍କୁ ନେଇ ଫେରୁଥିବା ବେଳେ ବାଟରେ ଓଲଟି ପଡ଼ିଲା ଅଟୋ। ଫଳରେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ। ମୃତ ଛାତ୍ରୀଙ୍କ ନାଁ ଶୁଭସ୍ମିତା ସ୍ଵାଇଁ। ଏଥିରେ ଅନ୍ୟ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି।

ଓଉପଦା ସରସ୍ଵତୀ ଶିଶୁମନ୍ଦିର ଛୁଟି ହେବାପରେ ଅଟୋଟି ସ୍କୁଲ ପିଲାମାନଙ୍କୁ ନେଇ ଘରକୁ ଫେରୁଥିଲା। ଗରା ଗାଁ ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା। ଫଳରେ ଶୁଭଶ୍ମିତା ଅଟୋରୁ ଖସିପଡି ଅଟୋତଳେ ଚାପି ହୋଇ ଘଟଣାସ୍ଥଳରେ ଆଖିବୁଜି ଦେଇଥିଲା। ଆହତ ହୋଇଥିବା ଅନ୍ୟ ପିଲାଙ୍କୁ ପଟ୍ଟମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରୁ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଉତ୍ୟକ୍ତ ସ୍ଥାନୀୟ ଲୋକେ ଅଟୋରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପଟ୍ଟାମୁଣ୍ଡାଇ ପୋଲିସ୍ ପହଞ୍ଚି ପରିସ୍ଥିତିକୁ ଆୟତ କରିଛି। ଅଟୋରେ ଆବଶ୍ୟକଠାରୁ ଅଧିକ ଛାତ୍ରଛାତ୍ରୀ ଥିବାରୁ ଏପରି ହୋଇଥିବା ଅଭିଯୋଗ ହୋଇଛି।

Comment