ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବିଧାୟକ ବ୍ରଜକିଶୋର ପ୍ରଧାନ। ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ କିଛି ଦୁର୍ବୃତ୍ତ ବ୍ରଜକିଶୋରଙ୍କ ଘରେ ଲଙ୍କାକାଣ୍ଡ ଘଟାଇବା ପରେ ଏବେ ତାଳଚେର ବାସଭବନରେ କେହି ନିଆଁ ଲଗାଇଦେଇଛନ୍ତି। ତାଳଚେରସ୍ଥିତ ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରାସ୍ଥିତ କ୍ୟାମ୍ପ ଅଫିସରରେ କିଛି ଦୁର୍ବୃତ୍ତ ବାହାର ପଟୁ କବାଟ ବନ୍ଦ କରି ଗ୍ୟାରେଜ୍‌ରେ ଥିବା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ତାଙ୍କ ଫର୍ଚୁନର ଗାଡ଼ି ସହ ବିଜୁ ଯୁବ ବାହିନୀର ଆମ୍ବୁଲାନ୍ସ ପୋଡ଼ିଯାଇଛି। ବାରମ୍ବାର ବିଧାୟକଙ୍କ ଗାଡ଼ି ପୋଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଧାୟକ ବ୍ରଜକିଶୋର ପ୍ରଧାନ ଶନିବାର ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ରାତି ପ୍ରାୟ ୧୨ଟାରେ ନନ୍ଦିରାସ୍ଥିତ ତାଙ୍କ କ୍ୟାମ୍ପ ଅଫିସରେ ପହଞ୍ଚିଥିଲେ। ସବୁଦିନ ଭଳି ତାଙ୍କ ଡ୍ରାଇଭର ଗ୍ୟାରେଜ୍‌ରେ ଗାଡ଼ି ରଖି ଶୋଇବାକୁ ଯାଇଥିଲେ। ବିଧାୟକ ଅଫିସରରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ବାହାରପଟୁ କବାଟ ବନ୍ଦ କରି ଗାଡ଼ିରେ ନିଆଁ ଲଗାଇଦେଇଥିଲେ। କିଛି ଶବ୍ଦ ଶୁଣି ବିଧାୟକ ବାହାରକୁ ଆସିବାକୁ ଉଦ୍ୟମ କରିଥିଲେ, ହେଲେ କବାଟ ବନ୍ଦ ଥିବାରୁ ସେ ବାହାରକୁ ଆସିପାରି ନଥିଲେ।

ଫଳରେ ବିଧାୟକ ବାହାର ଲୋକଙ୍କୁ ଫୋନ୍‌ କରି ଡାକିଥିଲେ। ଲୋକ ଆସି ତାଙ୍କ କବାଟ ଫିଟାଇବାରୁ ସେ ବାହାରକୁ ଆସିପାରିଥିଲେ ଏବଂ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।

ଗତ ଅଗଷ୍ଟ ୧୯ରେ ବିଧାୟକ ଶ୍ରୀ ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ତାଙ୍କ ଅନୁପସ୍ଥିତିରେ କେହି ଦୁର୍ବୃତ୍ତ ୨ଟି ଗାଡ଼ି, ମୋଟରସାଇକେଲ ସମତେ ଆସବାବପତ୍ର ପୋଡ଼ି ଫେରାର ହୋଇଯାଇଥିଲେ।

Comment