ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ଦିନର ଉଚ୍ଛେଦ କାର୍ଯ୍ୟ ପରେ ମାଟିରେ ମିଶିଲା ମଙ୍ଗୁ ମଠ। ବୁଲ୍‌ଡୋଜର ମାଡ଼ରେ ଏହି ପୁରୁଣା ମଠ ମାଟିରେ ମିଶିଛି। ମଙ୍ଗୁ ମଠ ପରେ ପ୍ରଶାସନ ଏବେ ସାନ ଛତା ମଠ ଉପରେ ନଜର ପକାଇଛି। ସାନ ଛତା ମଠ ଉଚ୍ଛେଦ କାର୍ଯ୍ୟ ଚାଲିଛି।

ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଥିଲା। ପ୍ରଥମ ପାଳିରେ ମେଘନାଦ ପାଚେରୀ କଡ଼ରୁ ଜବରଦଖଲ ଉଚ୍ଛେଦ କରିବା ପରେ ପ୍ରଶାସନ ଏମାର ମଠ ଉଚ୍ଛେଦ କରିଥିଲା। ହେଲେ ଏହି ଉଚ୍ଛେଦକୁ ନେଇ ବିବାଦ ଦେଖାଦେଇଥିଲା। ଏମାର ମଠ ମହନ୍ତ ଗାଦି ଛାଡ଼ି ବାହାରକୁ ନଆସିବାରୁ ପ୍ରଶାସନ ଏମାର ମଠ ଛାଡ଼ି ବଡ଼ ଆଖଡ଼ା ମଠରେ ହାତ ମାରିଥିଲା।

ହେଲେ ସାଧୁ ସନ୍ଥ ବିରୋଧ କରିବାରୁ ପ୍ରଶାସନ ଉଚ୍ଛେଦ କାର୍ଯ୍ୟକୁ କିଛି ସମୟ ବନ୍ଦ କରିଥିଲା। ଗତ ୮ ତାରିଖରୁ ପୁଣି ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା ପ୍ରଶାସନ।

ମଙ୍ଗୁ ମଠ ମଧ୍ୟରେ ଗଢି ଉଠିଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ସମ୍ପୂର୍ଣ୍ଣ ରୂପେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଆଜି ବଳକା ଅଂଶକୁ ପ୍ରଶାସନ ପୂରା ଭାଙ୍ଗି ଦେଇଛି। ମଙ୍ଗୁ ମଠ ଉଚ୍ଛେଦ ପରେ ପ୍ରଶାସନ ସାନଛତା ମଠ ଉଚ୍ଛେଦ କରୁଛି।

ମଙ୍ଗୁ ମଠ ଉଚ୍ଛେଦ ନକରିବାକୁ ପୂର୍ବରୁ ପଞ୍ଜାମ ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଦିଲ୍ଲୀ ଓ ପଞ୍ଜାବର ସିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ପ୍ରତିନିଧି ମଣ୍ଡଳୀ ପୁରୀ ଗସ୍ତରେ ଆସି ମଠ ଉଚ୍ଛେଦ ନକରିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ।

Comment