ଓଡ଼ିଶାଲାଇଭ୍ ବ୍ୟୁରୋ

  • ପ୍ୟାକେଜ ଘୋଷଣାର ୨୪ ଘଣ୍ଟା ନପୂରୁଣୁ ବିରୋଧ
  • ଭଙ୍ଗା ହୋଇପାରିଲାନି ବଡ଼ ଆଖଡ଼ା ମଠ
  • ପୁରୀରେ ଏକାଠି ହେଲେ ସାଧୁସନ୍ଥ
  • ମଠ ପାଚେରୀରେ ବସି ରହିଲେ ସାଧୁସନ୍ଥ
  • ପ୍ରଶାସନକୁ ପୂରାଇ ଦେଲେନି
  • ପୋଲିସ କର୍ଡନରେ ବଡ଼ ଆଖଡ଼ା ମଠ

ପୁରୀରେ ଚାଲିଥିବା ମଠ ଉଚ୍ଛେଦରେ ଆସିଲା ନୂଆ ମୋଡ଼। ଗତ ୧୩ ଦିନ ହେଲା ସୁରୁଖୁରୁରେ ମଠ ଉଚ୍ଛେଦ କରୁଥିବା ପ୍ରଶାସନକୁ ଆଜି ବଡ଼ ଝଟ୍‌କା ଲାଗିଛି। ମଠ ମହନ୍ତ ଏବଂ ସରକାର ମୁହାଁମୁହିଁ ହୋଇଛନ୍ତି।

ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ପ୍ରଶାସନର ଏହି ଉଚ୍ଛେଦକୁ ନୀରବ ପ୍ରତିବାଦ କରିଥିବା ବେଳେ ଆଜି ବଡ଼ ଆଖଡ଼ା ମଠ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି।

ମଠ ମହନ୍ତ ହରିନାରାୟଣ ମହାରାଜ ଏବଂ ତାଙ୍କ ସହଯୋଗୀମାନେ ଉଚ୍ଛେଦକୁ ଜୋରଦାର ବିରୋଧ କରିଛନ୍ତି। ସହଯୋଗୀମାନେ ପାଚେରୀରେ ବସି ରହି ପ୍ରଶାସନକୁ ପୁରେଇ ଦେଇ ନାହାନ୍ତି। ଫଳରେ ମଠ ମହନ୍ତ ଏବଂ ସରକାର ଏକ ପ୍ରକାର ମୁହାଁମୁହିଁ ହୋଇଛନ୍ତି।

ବଡ଼ ଆଖଡ଼ା ମଠ ଉଚ୍ଛେଦ କରିବାକୁ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ମହନ୍ତ ଏବଂ ସହଯୋଗୀ ମଠ ଛାଡ଼ି ନଥିଲେ।

ଏମାର ମଠରୁ ଆରମ୍ଭ ହେଲା ବିରୋଧ

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲା ପୁରୀ ଜିଲ୍ଲା ପ୍ରଶାସନ। ଅଗଷ୍ଟ ୧୯ରୁ ଆରମ୍ଭ ହୋଇଥିଲା ଏହି ଅଭିଯାନ। ମେଘନାଦ ପାଚେରୀ କଡ଼ରୁ ପ୍ରଥମେ ଜବରଦଖଲ ହଟିଥିଲା।

ମେଘନାଦ ପାଚେରୀ ଜବରଦଖଲମୁକ୍ତ ହେବା ପରେ ପ୍ରଶାସନ ଲଙ୍ଗୁଳି ଏବଂ ମଙ୍ଗୁ ମଠ ଉଚ୍ଛେଦ କରିଥିଲା। ଏହି ମଠ ଉଚ୍ଛେଦ ବେଳେ ପ୍ରତିବାଦର ସ୍ୱର ତେଜି ନଥିଲା। ଯେଉଁ କିଛି ଉଠା ଦୋକାନୀ ରାଜରାସ୍ତାରେ ପ୍ରତିବାଦ କରିଥିଲେ ସେମାନଙ୍କୁ ପ୍ରଶାସନ ବୁଝାଇ ଦେଇଥିଲା।

ଏହାପରେ ପ୍ରଶାସନ ଐତିହାସିକ ଏମାର ମଠକୁ ନୋଟିସ୍‌ ଦେଇଥିଲା। ଏମାର ମଠ ସଂଲଗ୍ନ ସମସ୍ତ ଦୋକାନୀ ଜିନିଷ ଖାଲି କରିଥିଲେ। ରଘୁନନ୍ଦନ ପାଠାଗାରରୁ ସମସ୍ତ ବହି ଭୂଅର୍ଜନ ସମ୍ମିଳନୀ କକ୍ଷକୁ ନିଆଗଲା। ପରେ ପାଠାଗାର, ଖଜାପଟି ଏବଂ ବଣିଆପଟି ଉପରେ ଚାଲିଲା ବୁଲ୍‌ଡୋଜର।

ଗୋଟିଏପଟେ ପ୍ରଶାସନ ପାଠାଗାର ଉଚ୍ଛେଦ କରୁଥିବା ବେଳେ ଅନ୍ୟପଟେ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ କବାଟ କିଳି ଅନଶନ କରିଥିଲେ। ପ୍ରଶାସନ ମହନ୍ତଙ୍କ ସହ ଆଲୋଚନା କରିଥିଲା। ହେଲେ ମହନ୍ତଙ୍କୁ ମନାଇ ପାରି ନଥିଲା ପ୍ରଶାସନ। ମହନ୍ତ ଗାଦି ଛାଡ଼ି ବାହାରକୁ ଆସି ନଥିଲେ। ଶେଷରେ ପ୍ରଶାସନ ଏମାର ମଠର ମୂଳ ଗାଦି ଛାଡ଼ି ଗତ ୩୧ ତାରିଖରେ ବଡ଼ ଆଖଡ଼ା ମଠକୁ ନୋଟିସ୍‌ ଦେଇଥିଲା।

ପ୍ରଶାସନିକ ଅଧିକାରୀ ଭାବି ନେଇଥିଲେ ଯେ ବଡ଼ ଆଖଡ଼ା ମଠରେ ସୁରୁଖୁରୁରେ ବୁଲ୍‌ଡୋଜର ଚାଲିବ। କିନ୍ତୁ ମଙ୍ଗଳବାର ଦିନ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥମାନେ ପୁରୀରେ ଏକାଠି ହେଲେ। ମଠ ଉଚ୍ଛେଦକୁ ତୀବ୍ର ବିରୋଧ କଲେ। ଶେଷରେ ଆଜି ବଡ଼ ଆଖଡ଼ା ମଠରେ ହାତ ମାରି ପାରିଲାନି ପ୍ରଶାସନ।

ବର୍ଷିଥିଲେ ଶଙ୍କରାଚାର୍ଯ୍ୟ

ପ୍ରଶାସନ ପୋଲିସ ଫୋର୍ସ, ବୁଲ୍‌ଡୋଜର ନେଇ ଏମାର ମଠ ଭାଙ୍ଗିବା ପାଇଁ ସଜବାଜ ହେଉଥିବା ବେଳେ ଗୋବର୍ଦ୍ଧନ ପୀଠାଧିଶ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ସରକାରଙ୍କ ଉପରେ ବର୍ଷିଥିଲେ।

ବିକଳ୍ପ ବ୍ୟବସ୍ଥା ଗ୍ରହଣ ନକରି ମଠ ଉଚ୍ଛେଦ କରାଯାଉଥିବାରୁ ଏହାକୁ ବିରୋଧ କରିଥିଲେ ଶଙ୍କରାଚାର୍ଯ୍ୟ। ମଠ ମହନ୍ତ, ସହଯୋଗୀଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରିବାକୁ ଶଙ୍କରାଚାର୍ଯ୍ୟ ଦାବି କରିଥିଲେ। ଏହାସହ ଉଚ୍ଛେଦ ବେଳେ ଆଧ୍ୟାତ୍ମିକ ଦିଗ ପ୍ରତି ଧ୍ୟାନ ଦେବା ଦରକାର ବୋଲି କହିଥିଲେ ଶଙ୍କରାଚାର୍ଯ୍ୟ।

ପ୍ୟାକେଜ୍ ପରେ ବି ବିରୋଧ

ଉଚ୍ଛେଦ ପ୍ରକ୍ରିୟାକୁ ସୁରୁଖୁରୁରେ ଶେଷ କରିବା ପାଇଁ ରାଜ୍ୟ ସରକାର ପୁରୀ ପାଇଁ ଥଇଥାନ ପ୍ୟାକେଜ ଘୋଷଣା କରିଥିଲେ। ହେଲେ ଏହି ପ୍ୟାକେଜ କାମ କରି ନଥିବା ଭଳି ମନେହେଉଛି। ବିଶେଷକରି ରାଜ୍ୟ ସରକାରଙ୍କ ପ୍ୟାକେଜରେ ମଠ ମହନ୍ତ, ସହଯୋଗୀ ଏବଂ ସେବାୟତଙ୍କ ପାଇଁ ସେମିତି କିଛି ନଥିବାରୁ ଏହାକୁ ନେଇ ଅସନ୍ତାଷ ପ୍ରକାଶ ପାଉଥିବା କୁହାଯାଉଛି।

ରାଜ୍ୟ ସରକାର ବିସ୍ଥାପିତ ପରିବାର, କ୍ଷତିଗ୍ରସ୍ତ ଉଠା ଦୋକାନୀ, ଲଜ୍‌ ପାଇଁ ପ୍ୟାକେଜ ଘୋଷଣା କରିଥିଲେ। ହେଲେ ଯେଉଁ ମଠ ଉଚ୍ଛେଦ ହେଉଛି ସେଠାକାର ମହନ୍ତ, ସହଯୋଗୀ ଏବଂ ସେବକମାନେ କ’ଣ କରିବେ ସେକଥା ସରକାର ଚିନ୍ତା କରି ନଥିବା ଏବେ ପୁରୀରେ ଆଲୋଚନାର ବିଷୟ ପାଲଟିଛି।

ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିବାର ୨୪ ଘଣ୍ଟା ନପୂରୁଣୁ ପୁରୀରେ ବିରୋଧ ହୋଇଛି। ସାଧୁସନ୍ଥମାନେ ଏକାଠି ହୋଇ ରାଜରାସ୍ତାକୁ ଆସିଛନ୍ତି। ଫଳରେ ସରକାର ଅଡୁଆରେ ପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here