ଓଡ଼ିଶାଲାଇଭ ବ୍ୟୁରୋ

ସାଧୁସନ୍ଥଙ୍କ ବିରୋଧ ସତ୍ତ୍ଵେ ଭଙ୍ଗାଗଲା ବଡ଼ ଆଖଡ଼ା ମଠ। ସୁପ୍ରିମ୍‌ କୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସ୍‌ କ୍ୟୁରିଙ୍କ ଗ୍ରିନ ସିଗନାଲ ପରେ ପୁଣି ଜୋର ଧରିଛି ଶ୍ରୀମନ୍ଦିର ଚାରୁପଟୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା। ଉଚ୍ଛେଦ ସ୍ଥାନରେ ୧୨ ପ୍ଲାଟୁନ ପୋଲିସ ସହ ୮ ଜଣ ମାଜିଷ୍ଟ୍ରେଟ ଉପସ୍ଥିତ ରହିଥିଲେ।

ରବିବାର ପ୍ରଥମ ପର୍ଯ୍ୟାୟରେ ବଡ଼ ଆଖଡ଼ା ମଠ କୋଠାର ଅଧା ଅଂଶ ଭଙ୍ଗାଯାଇଛି। ତେବେ ଦୁଇଦିନ ମଧ୍ୟରେ ମଠକୁ ସଂପୂର୍ଣ୍ଣ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। ଏହାସହ ମଠ ସାମ୍ନାରେ ଥିବା ୩୬ ଦୋକାନ ମଧ୍ୟରୁ ୩୧ ଦୋକାନ ଭଙ୍ଗାଯାଇଛି। ଅନ୍ୟ ଦୋକାନ ସାମ୍ନାରେ ଗଣେଶ ମେଢ଼ ବସିଥିବାରୁ ସେଗୁଡ଼ିକୁ ୨ ଦିନ ସମୟ ଦିଆଯାଇଛି।

ଗତ ୨ ତାରିଖରେ ବଡ଼ ଆଖଡ଼ା ମଠକୁ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ଜେସିବି ଓ ସୁରକ୍ଷା ବଳୟ ସହ ଘଟଣାସ୍ଥଳରେ ପହଞ୍ଚି ଥିଲା।। ହେଲେ ଉଚ୍ଛେଦକୁ ମଠ ମହନ୍ତ ସମେତ ନାଗା ସାଧୁସନ୍ଥମାନେ ଦୃଢ଼ ବିରୋଧ କରିଥିଲେ। ଫଳରେ ପ୍ରଶାସନ ପଛ ଘୁଞ୍ଚା ଦେଇଥିଲା। ଏହାପରେ କିଛିଦିନ ପର୍ଯ୍ୟନ୍ତ ମଠ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିଲା।

ଏହାକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଅଭିଯୋଗ ମଧ୍ୟ ଦାଖଲ ହୋଇଥିଲା। ହେଲେ ସୁପ୍ରିମ୍‌ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହାସହ ସ୍ଥିତି ସମୀକ୍ଷା କରିବାକୁ ଆମିକସ୍‌କ୍ୟୁରି ଓ ସିଲିସେଟର ଜେନେରାଲଙ୍କୁ ପଠାଇଥିଲେ। ତେବେ ଆମିକସ୍‌ କ୍ୟରି ସ୍ଥିତି ସମୀକ୍ଷା ପରେ ଏକ ବୈଠକ ଡାକିଥିଲେ।

ଏନେଇ ସେ କହିଥିଲେ, “ ପୁରୀର ଉନ୍ନତି ପାଇଁ ସରକାରଙ୍କ ପଦକ୍ଷେପ ଅନୁଚିତ। ଏହାକୁ ରୋକାଯିବା ଅନୁଚିତ। ଏହା ଦ୍ଵାରା ପୁରୀବାସୀଙ୍କ ସମେତ ଶ୍ରୀମନ୍ଦିରର ମଧ୍ୟ ଉନ୍ନତି ହେବ।”

ତେବେ ଆମିକସ୍‌ କ୍ୟୁରିଙ୍କ ଗ୍ରୀନ ସିଗନାଲ ପରେ ଏବେ ପୁଣି ତତ୍ପର ହୋଇ ପଡ଼ିଛି ଜିଲ୍ଲା ପ୍ରଶାସନ। ରବିବାର ବଡ଼ ଆଖଡ଼ା ମଠ ଭାଙ୍ଗିବା ପରେ ସୋମବାର ସାନଛତା ମଠ ଭାଙ୍ଗିବାର ଯୋଜନା ରହିଛି। ପୂର୍ବରୁ ଲଙ୍ଗୁଳି ମଠ, ରଘୁନନ୍ଦନ ଲାଇବ୍ରେରୀ ଉଚ୍ଛେଦ ହୋଇସାରିଛି।

Comment