ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୭୫ ଲକ୍ଷ କୃଷକମାନଙ୍କୁ କାଳିଆ ଯୋଜନା ସହାୟତା ଦେବା ନାଁରେ ଠକିଛନ୍ତି ବୋଲି ଅଭିଯୋଗ କରିଛି ନବନିର୍ମାଣ କୃଷକ ସଂଗଠନ। ଏହି ଠକେଇ ଅଭିଯୋଗ କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ କେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟାଳୟରେ ନବନିର୍ମାଣ କୃଷକ ସଂଗଠନ ଏତଲା ଦାଖଲ କରିଛି।

କାଳିଆ ଯୋଜନା ପ୍ରଣୟନ କରି ରାଜ୍ୟର ୭୫ ଲକ୍ଷ ଚାଷୀଙ୍କୁ ବାର୍ଷିକ ୧୦ ହଜାର ସହାୟତା ଦେବାକୁ କହିଥିଲେ ମୁଖ୍ୟମନ୍ତ୍ରୀ। ଗତ ସାଧାରଣ ନିର୍ବାଚନରେ ଏହି ଚାଷୀ ପରିବାରର ଭୋଟ୍ ନେଇ ପୁଣି କ୍ଷମତାକୁ ଫେରିବାପରେ ଏବେ କାଳିଆ ଯୋଜନାର ବାର୍ଷିକ ସହାୟତା ୪ ହଜାରକୁ କମାଇଦେଲେ। ଫଳରେ ରାଜ୍ୟ ସରକାର ଚାଷୀମାନଙ୍କୁ ଠକିଛନ୍ତି ବୋଲି କୃଷକ ସଂଗଠନ ଅଭିଯୋଗ କରିଛି।

ସୋମବାର କେନ୍ଦ୍ରାପଡ଼ା ସହର ନିକଟ ଗରାପୁର ଛକରୁ ଶତାଧିକ ନବନିର୍ମାଣ କୃଷକ ସଦସ୍ୟଗଣ ଏକ ଶୋଭାଯାତ୍ରାରେ ଆସି କେନ୍ଦ୍ରାପଡ଼ା ଏସ୍‌ପିଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହ ଜିଲ୍ଲା ଅତିରିକ୍ତ ଏସପିଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

ନବନିର୍ମାଣ କୃଷକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ନିମାଇଁ ରାୟଙ୍କ ନେତୃତ୍ଵରେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ ଅକ୍ରୁର ପଲେଇ, ଉପଦେଷ୍ଟା ଦାସରଥୀ ସାହୁ, ଦିବାକର ସାହୁ, ବବିତା ସ୍ଵାଇଁ ଆଦି ବହୁ ଚାଷୀ ନେତାମାନେ ଏଥିରେ ଯୋଗ ଦେଇଥିଲେ।

Comment