ଓଡ଼ିଶାଲାଇଭ୍ ବ୍ୟୁରୋ

ଅଫିସରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ କମିସନରେଟ୍ ପୋଲିସ ସ୍ୱତନ୍ତ୍ର ଅଧିକାରୀଭାବେ ନିଯୁକ୍ତି ଦେବ।

ମହିଳାମାନେ କୌଣସି ଅଫିସରେ ରାତିରେ କାମ କରୁଛନ୍ତି କି? ଏବେ ସେମାନଙ୍କୁ କମିସନରେଟ୍ ପୋଲିସରେ ନିଯୁକ୍ତି ମିଳିବ। କମିସନରେଟ୍ ପୋଲିସ ପକ୍ଷରୁ ସେମାନଙ୍କୁ  ସ୍ୱତନ୍ତ୍ର ମହିଳା ଅଫିସରଭାବେ ନିଯୁକ୍ତି ମିଳିବ। ସୋମବାର ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ଜାନୁଆରୀ ୨ ତାରିଖରୁ କମିସନରେଟ୍ ପୋଲିସ ପକ୍ଷରୁ ଏଭଳି ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଆଧାରରେ ଅଫିସ ଓ କଲ୍ ସେଣ୍ଟରରେ ରାତିରେ କାମ କୁରଥିବା ମହିଳା କର୍ମଚାରୀ, ମହିଳା କଲେଜର ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ପୋଲିସ ଅଫିସରଭାବେ ନିଯୁକ୍ତି ଦିଆଯିବ।ଏହି ସ୍ୱତନ୍ତ୍ର ମହିଳା ପୋଲିସ୍ କର୍ମଚାରୀମାନେ ତାଙ୍କର ସାଧାରଣ ଜୀବନ ଭଳି ଅଫିସ୍ ଯାଇ କାମ କରିବେ। ତେବେ ଏହି ସମୟରେ ଯଦି ତାଙ୍କ ଚାରିପାଖରେ କୌଣସି ମହିଳାଙ୍କ ପ୍ରତି ଅସଦାଚରଣ ହେବାର ଖବର ସେମାନେ ପାଇବେ, ତେବେ ସେମାନେ ତୁରନ୍ତ ଏନେଇ ପୋଲିସକୁ ସୂଚନା ଦେବେ। ଏହାପରେ ପୋଲିସ୍ ତାଙ୍କର ସୂଚନା ଅନୁସାରେ କାମ କରିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।ବର୍ତ୍ତମାନର ସମାଜରେ ଅପରାଧୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।  ଏହାସହ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପୋଲିସ୍ ପ୍ରଶାସନ ସବୁବେଳେ ଚେଷ୍ଟାରତ ଅଛି । ତେଣୁ ଜାନୁଆରୀ ୨ ତାରିଖରୁ ଏହି ମହିଳା କର୍ମଚାରୀଙ୍କୁ ପୋଲିସ ବିଭାଗରେ ନିଯୁକ୍ତ କରାଯିବ। ଏହାସହ ସେମାନଙ୍କୁ ପୋଲିସ ଅଫିସରଭାବେ ସମସ୍ତ କ୍ଷମତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ନିଯୁକ୍ତି ମିଳିବା ପରେ ସେହି ମହିଳା ସ୍ୱତନ୍ତ୍ର ଆତ୍ମରକ୍ଷା କୌଶଳ ସମ୍ବନ୍ଧରେ ଶିକ୍ଷା ଦିଆଯିବ, ଯେଉଁଥିରେ ସେମାନେ ନିଜକୁ ସୁରକ୍ଷିତ ରଖିବାର କୌଶଳ ଜାଣିପାରିବେ। ତେବେ ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାର ପାରିଶ୍ରମିକ ମିଳିବ ନାହିଁ ବୋଲି କହିଛନ୍ତି ପୋଲିସ କମିସନର।

Comment