ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ସ୍ଥଳରୁ ଜବତ ହୋଇଥିବା ମାଂସ ପିଣ୍ଡୁଳାର ଡିଏନଏ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ଏହି ଘଟଣା ପରଠାରୁ ନିଖୋଜ ଥିବା ଗଞ୍ଜାମର ସୀମାଞ୍ଚଳ ପରିଡାଙ୍କର ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ଆଜି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି।

ଗତ ଅକ୍ଟୋବର ୭ ତାରିଖରେ ରାଜଭବନ ପାଖ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇବା ସହିତ ଅନେକ ଲୋକ ଆହତ ହୋଇଥିଲେ। ହେଲେ ସେହିଦିନ ଘଟଣା ପରଠାରୁ ଗଞ୍ଜାମ ଜିଲ୍ଲା ବାଲିପଦର ଗାଁର ସୀମାଞ୍ଚଳ ପରିଡ଼ା ନିଖୋଜ ଥିଲେ। ତାଙ୍କୁ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା।ସେଦିନ ପୋଲିସ ମଧ୍ୟ ଘଟଣା ସ୍ଥଳରୁ ଅନେକ ମାଂସ ପିଣ୍ଡୁଳା ଜବତ କରିଥିଲା। ତେଣୁ ସୀମାଞ୍ଚଳଙ୍କର ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଥିଲା। ଏହାପରେ ଗଞ୍ଜାମରେ ସୀମାଞ୍ଚଳଙ୍କ ପରିବାର ଲୋକେ ନଡ଼ାରେ ତାଙ୍କର ଶରୀର କରି ପ୍ରତୀକାତ୍ମକ ଭାବେ ତାଙ୍କର ଶବଦାହ କରିଥିଲେ।

ଏହାପରେ କିନ୍ତୁ ପୋଲିସ ଜବତ ହୋଇଥିବା ମାଂସ ପିଣ୍ଡୁଳାର ଡିଏନଏ ପରୀକ୍ଷା କରିବାକୁ କହିଥିଲା। ଯାହାର ରିପୋର୍ଟ ଆଜି ପୋଲିସକୁ ହସ୍ତଗତ ହୋଇଛି। ସେଦିନ ବିସ୍ଫୋରଣରେ ସୀମାଞ୍ଚଳଙ୍କର ମୃତ୍ୟୁ ହୋଇଥିବା କମିସନରେଟ୍ ପୋଲିସ୍ ଆଜି ସ୍ପଷ୍ଟ କରିଛି। ଏଥିସହ ଇଣ୍ଡିଆନ୍ ଅଏଲ୍ କର୍ତ୍ତୁପକ୍ଷଙ୍କୁ ତୁରନ୍ତ ସୀମାଞ୍ଚଳଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ କୁହାଯାଇଛି। ଏଥିସହ ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

Comment